Advertisment

ସାକାର ହେବ କି ଭାରତର ଟେଷ୍ଟ ଚାମ୍ପିଅନ୍‌ସିପ୍ ବିଜୟ ସ୍ୱପ୍ନ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ପ୍ରଥମ ସିଜନ୍‌ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍‌ଦାର୍‌ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ

author-image
Biswajit Mohanty
ଅଦ୍ୟତନ ହୋଇଛି
Dream of India winning the Test Championship

Dream of India winning the Test Championship

ଭାରତୀୟ କ୍ରିକେଟ୍ ଟିମ୍ ଟେଷ୍ଟ୍‌ ଫର୍ମାଟ୍‌ରେ ଶୀର୍ଷ ମାନ୍ୟତା ଠାରୁ ଏବେ ଗୋଟିଏ ପାଦ ଦୂରରେ ଅଛି। ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ତ ଟିମ୍ ଇଣ୍ଡିଆ ଏକ ନମ୍ବର ସ୍ଥାନରେ ଅଛି; କିନ୍ତୁ ଟେଷ୍ଟ୍‌ରେ ରୋହିତ ସେନା ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ଏବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ୍‌ ସିରିଜ୍ ଚାଲିଛି। ୧-୦ରେ ଆଗରେ ଥିବା ଭାରତୀୟ ଟିମ୍  ସିରିଜକୁ ୨-୦ କିମ୍ବା ଅଧିକ ବ୍ୟବଧାନରେ କବ୍‌ଜା କରିବା ସ୍ଥଳେ ଶୀର୍ଷ ମାନ୍ୟତା ହାସଲ କରିବ। ତେବେ ଏହି ଶୀର୍ଷ ମାନ୍ୟତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ୨୦୨୩ର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ।

ଜୁନ୍ ୭-୧୧ ଡବ୍ଲ୍ୟୁଟିସି ଫାଇନାଲ୍:

ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ମ୍ୟାଚ୍ ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏବେ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ସିଜନ୍ ଚାଲିଛି। ପ୍ରଥମ ସିଜନ୍‌ରେ ଭାରତୀୟ ଟିମ୍ ଫାଇନାଲ୍‌କୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା । ସାଉଥାମ୍ପଟନ୍ ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ କେନ୍ ୱିଲିଅମ୍‌ ସନ୍‌ ଙ୍କ ନ୍ୟୁଜିଲାଣ୍ଡ ଟିମ୍‌ଠାରୁ ଭାରତ ୮ ୱିକେଟ୍‌ ପରାଜିତ ହୋଇଥିଲା।

Advertisment

ଏବେ ଦମଦାର ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ:

ନ୍ୟୁଜିଲାଣ୍ଡ ଫାଇନାଲ୍ ଦୌଡ଼ରେ ନାହିଁ। ଯଦି ଭାରତ ଫାଇନାଲ୍‌ରେ ପହଞ୍ଚେ, ତା’ହେଲେ ସେହି ଅଷ୍ଟ୍ରେଲିଆକୁ ଭେଟିବ, ଯାହା ସହିତ ଏବେ ସେ ଘରେ ଟେଷ୍ଟ ସିରିଜ୍ ଖେଳୁଛି। ବିଶ୍ୱ (ଟେଷ୍ଟ) ଚାମ୍ପିଅନ୍‌ସିପ୍ ପୂର୍ବରୁ ଉଭୟ ଟିମ୍‌ର ଏହା ଶେଷ ଟେଷ୍ଟ ସିରିଜ୍।

ଭାରତୀୟ ଟିମ୍ ଯେଉଁଭଳି ଭାବେ ନାଗପୁର ଠାରେ ପ୍ରଥମ ଟେଷ୍ଟ ଜିତିଲା, ସେଥିରୁ ଏଭଳି ସମ୍ଭାବନା ସଞ୍ଚାର ହୋଇଛି ଯେ ଭାରତ ଏଥର ଟେଷ୍ଟ ଚାମ୍ପିଅନ୍‌ସିପ୍ ଜିତିପାରିବ।

କ’ଣ କହୁଛି ବର୍ତ୍ତମାନ ସମୀକରଣ:

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍‌ରେ ଏବେ ଅଷ୍ଟ୍ରେଲିଆ (୭୦.୮୩ ପ୍ରତିଶତ ପଏଣ୍ଟ) ପ୍ରଥମ, ଭାରତ ଦ୍ୱିତୀୟ (୬୧.୬୭), ଶ୍ରୀଲଙ୍କା (୫୩.୩୩) ତୃତୀୟ ଓ ଦକ୍ଷିଣ ଆଫ୍ରିକା (୪୮.୭୨) ଚତୁର୍ଥ ସ୍ଥାନରେ ରହିଛି।

ଦକ୍ଷିଣ ଆଫ୍ରିକା ନିଜ ଘରେ ୱେଷ୍ଟ୍‌ଇଣ୍ଡିଜ୍ ସହ ଦୁଇଟି ଟେଷ୍ଟ ଖେଳିବ। ଯଦି ଆଫ୍ରିକୀୟ ଟିମ୍ ଏହି ଦୁଇ ମ୍ୟାଚ୍ ଜିତେ, ତା’ର ୫୫.୫୫ ପ୍ରତିଶତ ପଏଣ୍ଟ ହୋଇଯିବ।

ଅନ୍ୟପଟେ, ଭାରତୀୟ ଟିମ୍ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଜିତେ, ତା’ହେଲେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ହାରିଲେ ବି ତା’ର ୫୬.୯୪ ପ୍ରତିଶତ ପଏଣ୍ଟ୍‌ ରହିବ। ଏହାର ଅର୍ଥ ଆଉ ଗୋଟିଏ ମ୍ୟାଚ୍ ଜିତିବା ସ୍ଥଳେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଠାରୁ ଆଗରେ ରହିବ।

ଶ୍ରୀଲଙ୍କା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ରି ଘରେ ଦୁଇ ଟେଷ୍ଟ୍‌ ମ୍ୟାଚ୍ ଖେଳିବ। ଯଦି ଶ୍ରୀଲଙ୍କା ଏହି ଦୁଇ ମ୍ୟାଚ୍‌ରେ ହାରିଯାଏ, ତା’ହେଲେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟେଷ୍ଟ୍‌ ଜିତିଲେ ବି ଫାଇନାଲ୍‌ରେ ପହଞ୍ଚିଯିବ। ଯଦି ଶ୍ରୀଲଙ୍କା କ୍ଲିନ୍‌ସ୍ୱିପ୍ କରେ, ତା’ହେଲେ ତା’ର ୬୧.୧୧ ପ୍ରତିଶତ ପଏଣ୍ଟ୍‌ ହୋଇଯିବ। ଏପରି ସ୍ଥିତିରେ ଭାରତ ଚାରିଟିରୁ ତିନିଟି ଟେଷ୍ଟ ଜିତିବା ଜରୁରୀ।

ତେବେ ଶ୍ରୀଲଙ୍କା ପାଇଁ ନ୍ୟୁଜିଲାଣ୍ଡରେ ଉଭୟ ଟେଷ୍ଟ୍‌ ଜିତିବା କଷ୍ଟସାଧ୍ୟ। ଶ୍ରୀଲଙ୍କା ଯଦି ଗୋଟିଏ ବି ଟେଷ୍ଟ୍‌ ହାରେ ଅଥବା ଗୋଟିଏ ମ୍ୟାଚ୍ ଡ୍ର’ ରହେ, ତା’ହେଲେ ବି ସିଂହଳୀ ଟିମ୍‌ର ସମ୍ଭାବନା ହ୍ରାସ ପାଇବ।

ଅଷ୍ଟ୍ରେଲିଆ ଫାଇନାଲକୁ ଯିବା ପ୍ରାୟତଃ ନିଶ୍ଚିତ। ତେବେ ଟିମ୍‌କୁ ପରାଜୟର କ୍ଲିନ୍‌ସ୍ୱିପ୍ ଏଡ଼ାଇବାକୁ ହେବ। କଙ୍ଗାରୁ ଟିମ୍ ଯଦି ଚାରିଟିଯାକ ମ୍ୟାଚ୍ ହାରିଯାଏ, ତା’ହେଲେ ବି ଟପ୍-୨ରେ ରହିବ; ତେବେ ତାକୁ ଅନ୍ୟ ଟିମ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିପାରେ।

ଭାରତ କାହିଁକି ଦାବିଦାର:

ଟିମ୍ ଇଣ୍ଡିଆ ଏଯାଏଁ ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପହଞ୍ଚିନି; କିନ୍ତୁ ପହଞ୍ଚିବାର ସମ୍ଭାବନା ଅଧିକ। ଯଦି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ଖେଳାଯିବ, ତା’ହେଲେ ଭାରତ ବି ଦାବିଦାର ରହିବ।

ରୋହିତ ସେନାକୁ ଦାବିଦାର ବିବେଚନା କରାଯିବାର କାରଣ ହେଉଛି – ଟିମ୍‌ରେ ବରିଷ୍ଠ ଖେଳାଳିଙ୍କ ଅଭିଜ୍ଞତା, ଦୃଢ଼ ନେତୃତ୍ୱ, କେତେକ ବ୍ୟାଟରଙ୍କ ମଧ୍ୟରେ ଟିମକୁ ପ୍ରତିକୂଳ ପରିସ୍ଥିତିରୁ ମୁକୁଳାଇବାର ସାମର୍ଥ୍ୟ ଏବଂ ମ୍ୟାଚ୍‌ର ମୋଡ଼ ବଦଳାଇବାର କୌଶଳ ଜାଣିଥିବା ବୋଲର୍, ବିଶେଷକରି ସ୍ପିନରଙ୍କ ଉପସ୍ଥିତି। ଅବଶ୍ୟ ଓଭାଲ୍‌ରେ ପିଚ୍ କେମିତି ହେବ, ତାହା ଏବେଠୁ କହିହେବନି।

ଟିମ୍‌ରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଅଭିଜ୍ଞ ଓ ଦକ୍ଷ ବ୍ୟାଟର୍ ଥିବା ବେଳେ ଶୁଭମନ ଗିଲଙ୍କ ଭଳି ପ୍ରତିଭାଶାଳୀ ଯୁବ ବ୍ୟାଟର୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଧୂଆଁଦାର ବ୍ୟାଟର୍ ବି ରହିଛନ୍ତି।

ୱିକେଟ୍‌କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କ ଅଭାବ ଅନୁଭୂତ ହେଉଥିଲେ ହେଁ ତାହା ବଡ଼ ସମସ୍ୟା ନୁହେଁ। ୱିକେଟ୍‌କିପିଂ ପାଇଁ କେଏସ୍ ଭରତ, ଈଶାନ କିଶନ ଓ ଲୋକେଶ ରାହୁଲ ଅଛନ୍ତି।

ବୋଲିଂ ଲାଇନ୍ଅପ୍‌ରେ ଯଶପ୍ରୀତ ବୁମ୍‌ରା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇ ଟିମ୍‌କୁ ଆସି ନାହାନ୍ତି। ତେବେ ତାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମୀ, ମହମ୍ମଦ ସିରାଜ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଉଛନ୍ତି।

ଫାଇନାଲ୍ ମିଶନ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ର ସଫଳ ସମାପନ କରିବାକୁ ହେବ। କେବଳ ସିରିଜ୍ ବିଜୟ ଯଥେଷ୍ଟ ନୁହେଁ, ଭଲ ବ୍ୟବଧାନରେ ବିଜୟ ହାସଲ ଜରୁରୀ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India World Test Championship Final
Advertisment
Advertisment