• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

୨୦୨୪ ନିର୍ବାଚନ ଆସିବା ସମୟରେ ୨୫ ବର୍ଷ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ବିଜେଡି ସରକାରଙ୍କ ଲୋକପ୍ରିୟତା ତଳମୁହାଁ ହେଉଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ଏହା ପଛର ମର୍ମ କ’ଣ? ଦୁଇଟି ଜାତୀୟ ଗଣମାଧ୍ୟମ ସର୍ବେ ରିପୋର୍ଟ ମୁତାବକ ହେଉ ଅବା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ହେଉ, ବିଭିନ୍ନ ମହଲରେ ଆଲୋଚନା ହେଉଛି।

କୁହାଯାଏ ବିଜେଡି ପ୍ରଥମ କରି ଯେତେବେଳେ ଶାସନ କ୍ଷମତାକୁ ଆସିଲା ଏହା ଏକ ଧର୍ମନିରପେକ୍ଷ ଦଳ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା। ଏବେ କିନ୍ତୁ ବିଜେଡି-ବିଜେପି ଗୋଟିଏ ରାସ୍ତାରେ, ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ; ଉଭୟଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆଣିଛି କଂଗ୍ରେସ।

ବିଜେଡି କିନ୍ତୁ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ଅବଲମ୍ବନ କରୁଥିବା ସବୁବେଳେ ଦାବି କରି ଆସିଛି। ରାଜ୍ୟର ବିକାଶ ପାଇଁ ସଂଘୀୟ ବ୍ୟବସ୍ଥାରେ କ୍ଷମତାରେ ଥିବା କେନ୍ଦ୍ର ବିଜେପି ସରକାର ସହିତ ଉତ୍ତମ ବୁଝାମଣା ରଖିଥିବା ଦଳ କହି ଆସିଛି। ତେବେ ଏହା କ’ଣ ଜନାଦର ହ୍ରାସର କାରଣ ହୋଇପାରେ?

ଏକ କ୍ରମାଗତ ନିରବଛିନ୍ନ ସ୍ଥାୟୀ ସରକାରର ପଂଚମ ପାଳିରେ ଓଡ଼ିଶାର ଦୁଇଟି ଚିତ୍ର ସାମ୍ନାକୁ ଆସୁଛି- ‘ନୂଆ ଓଡ଼ିଶା’, ବର୍ତ୍ତମାନ ଯାହା ବେଶ୍ ଚର୍ଚ୍ଚିତ, ଚଳଚଂଚଳ ଓ ଗତିଶୀଳ ମନେହୁଏ। ଯେଉଁଥିରେ ରାଜ୍ୟର ଯୁବବର୍ଗଙ୍କ ଅଂଶୀଦାର ଅଧିକ ନଜର ଆସେ। ତେବେ ଅନ୍ୟ ଚିତ୍ରଟିର ଚର୍ଚ୍ଚା ସେଭଳି ଦୃଷ୍ଟିଆକର୍ଷଣରୁ ବାହାରେ। ଚକାଚକ, ରଙ୍ଗୀନ ମସ୍ତି ମିଜାଜଠାରୁ ବହୁ ଦୂର ସମସ୍ୟା, ବିଭ୍ରାଟ, ବ୍ୟତିକ୍ରମ ଓ ଦୁଃଖର ଚିତ୍ରତୋଳେ। ଆଉ ଏହାକୁ ନେଇ ‘ରାଜ୍ୟର ସ୍ଥିତି ଏବଂ ସରକାରଙ୍କ ଗତି’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।

ସମ୍ପ୍ରତି ସମଗ୍ର ରାଜ୍ୟରେ ସରକାରଙ୍କ ନୀତି ଓ ବ୍ୟବସ୍ଥାକୁ ନେଇ ଏକ ଅସନ୍ତୋଷ ଓ ଚାପାଉତ୍ତେଜନା ଦେଖାଦେଇଛି। ତେଲ, ଡାଲି ଆଦି ସାମଗ୍ରୀ ଦରଦାମ ନିୟନ୍ତ୍ରଣ ହରାଉଛି। ସାଧାରଣ ରସୁଣ କିଲୋ ୪୦୦ ଟଙ୍କା ପାର କଲାଣି। ରାଜ୍ୟରେ ରୋଜଗାରର ସୁଯୋଗ ଦେଖାଯାଉ ନାହିଁ। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ପ୍ରତିବର୍ଷ ହାରାହାରି ୧୦ ହଜାର ଦାଦନଙ୍କ ମୃତ୍ୟୁ ଘଟୁଛି।

ଗଲା ୬ ବର୍ଷ ଭିତରେ ପ୍ରାୟ ୬୦ ହଜାର ଦାଦନଙ୍କ ଜୀବନ ଗଲାଣି। ଓଡ଼ିଶାରେ ଶିଳ୍ପାୟନ ଓ ନିବେଶ ପାଇଁ ଦେଶ ବିଦେଶ ବୁଲି ସରକାର ଯେଉଁ ବଡ ବଡ ଶିଳ୍ପପତିମାନଙ୍କୁ ଆକର୍ଷିତ ଏବଂ ଆମନ୍ତ୍ରିତ କରିଥିଲେ ତା’ଉପରେ ଚର୍ଚ୍ଚା ଆଲୋଚାନା ଆଉ ହେଉ ନାହିଁ। ସ୍କୁଲ କଲେଜଠାରୁ ଆରମ୍ଭ କରି ସରକାରୀ ଦପ୍ତର ଗୁଡିକରେ ପଦ ପଦବୀ ଖାଲି ପଡିଛି। ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସଦ୍ୟ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ୪୧ ବିଭାଗରେ ପାଖାପାଖି ଲକ୍ଷେ ପଦବି ଖାଲି ପଡ଼ିଛି।

ସେପଟେ ଶିକ୍ଷକ, ଡାକ୍ତରଙ୍କ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନେ ରାଜଧାନୀରେ ଆସି ପ୍ରତିବାଦ କରୁଛନ୍ତି। ଏଭଳି କି ନିଜ ହକ୍ ପାଇଁ କିଛି ଦୃଷ୍ଟିବାଧିତ ସରକାରଙ୍କ ଠାରୁ ନିରାଶ ହୋଇ କୋର୍ଟଙ୍କ ଆଶ୍ରୟ ନେଲେ। ସେହିଭଳି ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ସହଜସାଧ୍ୟ ହେଉ ନାହିଁ। ଅଧା ଓଡିଶାରେ ଏବେ ସୁଦ୍ଧା ପାଇପ ଯୋଗେ ପାଣି ପହଂଚି ପାରିଲା ନାହିଁ।

ମାର୍ଚ୍ଚ ୨୦୨୩ ସୁଦ୍ଧା ୫୮% ଗାଁରେ ପାଣି ପହଂଚିଛି ଏବଂ ବାକି ଗାଁଗୁଡିକୁ ୨୦୨୫ ସୁଦ୍ଧା ଅର୍ଥାତ ଆଗାମୀ ନିର୍ବାଚନ ପରେ କଭର କରିବାକୁ ଓଡିଶା ସରକାର ଲକ୍ଷ୍ୟ ରଖିଛନ୍ତି। ଯେତିକି ଗାଁକୁ ପାଇପ ଖଂଜା ଯାଇଥିବା ସରକାର ଦାବି କରନ୍ତି ସେଥିରୁ ଅନେକ ସ୍ଥାନରେ ପାଣି ମିଳୁ ନଥିବାର ଲୋକେ ଅଭିଯୋଗ କରନ୍ତି।

କୃଷି କ୍ଷେତ୍ରରେ ମଧ୍ୟ କ୍ଷେତକୁ ଜଳସେଚନ, ସଠିକ ସମୟରେ ସାର ବିହନ ନମିଳିବା, ମଣ୍ଡି ଅବ୍ୟବସ୍ଥା ଆଦି ସମସ୍ୟା ଲାଗିରହିଛି । ସରକାରଙ୍କ ୫ମ ପାଳି ସରିବାକୁ ବସିଲାଣି କିନ୍ତୁ ସବୁ ଜିଲ୍ଲାରେ ବ୍ୟାପକ ଶୀତଳଭଣ୍ଡାର ନିର୍ମାଣ କରିବା କଥା ଶୀତଳଭଣ୍ଡାରରେ ହିଁ ରହିଗଲା!

ସେପଟେ ମଦର ବନ୍ୟା! ବର୍ଷକରେ (୨୦୨୨-୨୩) ମଦ ବ୍ୟବସାୟରୁ ସରକାର ୬୪୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ କଲେଣି। ନିଶାର ନାଗଫାଶରେ ରାଜ୍ୟ ଏଭଳି କବଳିତ ଯେ, ପ୍ରତିବର୍ଷ ବ୍ୟବସାୟ ବଢି ରାଜସ୍ୱ ବୃଦ୍ଧି ଘଟୁଛି। ସେହି ବର୍ଷ ହିଁ ୬୩ କୋଟି ୪୫ ଲକ୍ଷ ଟଙ୍କାର ବିଭିନ୍ନ ଚୋରା ନିଶା ଦ୍ରବ୍ୟ ଜବତ କରାଯାଇଛି।

ଏଭଳି ସ୍ଥିତିରେ ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ସାଧାରଣରେ ସମାଲୋଚନା ଓ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଗାଁରୁ ସହର ସର୍ବତ୍ର ଅର୍ପଣ ରଥ ବୁଲାଇ ‘ବାରମିଶା’ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି, କେଉଁଠି ଓଡିଶାର ଆରାଧ୍ୟ ପୋଖରୀରେ ବିସର୍ଜନ ହେଲେଣିତ କେଉଁଠି ପଡିଆରେ ପଡିରହିବା, ଡାଲାଅଟୋରେ ବସାଯିବା ଏଭଳି ଅନେକ ଘଟଣାକୁ ନେଇ ଜନମାନସରେ ଅସନ୍ତୋଷ ଭରିରହିଛି।

ସେହିଭଳି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମଧ୍ୟ ଓଡ଼ିଶାର ବରପୁତ୍ରମାନଙ୍କ ବିଷୟରେ ଅନେକ ବିବାଦୀୟ ଚିତ୍ର ସାମ୍ନାକୁ ଆସିଛି।

ଓଡ଼ିଶା ସର୍ବଧର୍ମ ସମନ୍ୱୟର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଆଦ୍ୟଭୂମି। ବିଶ୍ୱମୈତ୍ରୀ, ସେବା ଓ ସମାନତାର ଅଦ୍ଭୁତ ସମନ୍ୱୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ। ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହିତ ବିଶ୍ୱ ଦରବାରରେ ଏହାକୁ ପରିଚିତ କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କଲେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ।

ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଂଚାଇବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ୪ ହଜାର କୋଟି ଟଙ୍କା ସରକାର ବ୍ୟୟବରାଦ କଲେ। ଭଲ କଥା, କିନ୍ତୁ ‘ନୂଆ-ଓ’ ମାଧ୍ୟମରେ ପରୀକ୍ଷା ମୁଣ୍ଡଉପରେ ଥିବାବେଳେ ସ୍କୁଲ କଲେଜରେ ଯେଉଁ ନାଚ ଗୀତ, ଆଇଟମ ଡ୍ୟାନ୍ସ କାର୍ଯ୍ୟକ୍ରମ କରିବା, କେତେକ ସ୍ଥାନରେ ପରୀକ୍ଷା ବାତିଲ ହେବା, ଅତିଥି କଳାକାରଙ୍କୁ ନେଇ ରଂଗାରଙ୍ଗ ମଡର୍ଣ୍ଣ ଡ୍ୟାନ୍ସ ପରିବେଷଣ, ଖାଇବାକୁ ନେଇ ପିଲାଙ୍କ ମଧ୍ୟରେ ଅସନ୍ତୋଷ, ମାରପିଟ, ଘଙ୍ଗାରୁଜା ଆଦି ସମସ୍ତ ବିଷୟ ଶିକ୍ଷାନୁଷ୍ଠାନଗୁଡିକ ଉପରେ କି ପ୍ରଭାବ ପକାଉଛି? ଏହାଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉନାହିଁ କି?

ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହି ପ୍ରଶ୍ନ ଉଠୁଛି। ଏହି ସମସ୍ତ ଘଟଣାବଳୀ ଶାସନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିମୁଖତାର କାରଣ ବୋଲି ଧରାଯିବ ନାହିଁ କି? ଭୋଟରଙ୍କ ଭରସା ଜିତିବା ପାଇଁ, ଲୋକପ୍ରିୟତାର ପୁନଃସ୍ଥାପନ ଓ ଏହାକୁ ଅତୁଟ ରଖିବାକୁ ହେଲେ ଏ ଦିଗରେ ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)