Advertisment

କଂଗ୍ରେସର ପବ୍ଲିସିଟି ଷ୍ଟ୍ରାଟେଜି; ‘ଭୋଟ୍‌ ଫର୍‌ ପଟ୍ଟନାୟକ’

‘ଓଡ଼ିଶା ବଞ୍ଚାଅ ସମାବେଶ’ ମାଧ୍ୟମରେ ମୁଣ୍ଡ ଟେକିଲା କଂଗ୍ରେସ। ଏକ ଦଶନ୍ଧି ପରେ ଦମ ଦେଖାଇଛି ଦଳ। ଚର୍ଚ୍ଚାରେ ‘ଭୋଟ୍‌ ଫର୍‌ ପଟନାୟକ’ ଟି-ସର୍ଟ, କ୍ରେନ୍‌ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍‌ ଏବଂ ମହମ୍ମଦ ମୋକିମ୍‌ଙ୍କ ବିଜ୍ଞାପନ।

author-image
Dilip Sabat
ଅଦ୍ୟତନ ହୋଇଛି
Before 2024 elections in Odisha, Congress shows of strength

Before 2024 elections in Odisha, Congress shows of strength

୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସ କରିଛି ଶକ୍ତି ପ୍ରଦର୍ଶନ। ଦୀର୍ଘ ଏକ ଦଶନ୍ଧି ପରେ ଦଳ ଦେଖାଇଛି ଦମ। ଇତି ମଧ୍ୟରେ ରାଜ୍ୟରେ ଦୁଇ ଦୁଇଟି ସାଧାରଣ ନିର୍ବାଚନ ଅତିବାହୀତ ହୋଇସାରିଲାଣି। ଯାହାକୁ ନେଇ ସାଧାରଣରେ ଏକ ଧାରଣା ହୋଇଥିଲା- ନା ହାତ ଆଉ ଉଠିବ ନାହିଁ! ତେବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରରେ ଆୟୋଜିତ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଦଳର ଶକ୍ତି ଦେଖି ଲୋକେ କହିଲେଣି ପ୍ରତିବର୍ଷ କଂଗ୍ରେସ ଏଭଳି ଗୋଟିଏ ଦୁଇଟି ସମାବେଶ କରିବାରେ ଅସୁବିଧା କଣ ଥିଲା?

Advertisment

ବିଳମ୍ବରେ ହେଲେ ବି ଏକ ଆଖିଦୃଶିଆ ସ୍ଥାନକୁ ଆସିଛି କଂଗ୍ରେସ। ରାଜ୍ୟବାସୀଙ୍କୁ ଛୁଇଁଲା ଭଳି ସ୍ଲୋଗାନ୍‌ ‘ଓଡ଼ିଶା ବଞ୍ଚାଅ ସମାବେଶ’ ହଠାତ ସ୍ଥିର କରିବା, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କର୍ମୀ ରାଜଧାନୀରେ ଠୁଳ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଖଡ୍‌ଗେଙ୍କ ତୀକ୍ଷ୍ଣ ନିସାନା ଦଳ ଭିତରେ ଓ ବାହାରେ ଏକ କମ୍ପନ ସୃଷ୍ଟି କରିଛି। ସମାବେଶର ଶକ୍ତିକୁ ନେଇ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଏକ ଆଶାର ସଂଚାର ଦେଖାଦେଇଛି।

କେବଳ ସେତିକି ନୁହେଁ, କଂଗ୍ରେସର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଖଡ୍‌ଗେ ସରକାରଙ୍କୁ ତୀକ୍ଷ୍ଣ ସମାଲୋଚନା କରିଛନ୍ତି। ୨୪ ବର୍ଷର ଏକ ସ୍ଥିର ସରକାରରେ ରାଜ୍ୟ ଦାରିଦ୍ର୍ୟ ଓ ଦାଦନର ଅପରିବର୍ତ୍ତିତ ଚିତ୍ର ଦେଖାଇ କଂଗ୍ରେସ ଅଧ୍ୟକ୍ଷ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି।

Advertisment

ବହୁ ବର୍ଷ ପରେ ଏଭଳି ସମାବେଶର ଆୟୋଜନ ଏବଂ ଏହାକୁ ଆକର୍ଷଣୀୟ ଓ ଶୋଭାବର୍ଦ୍ଧକ କରିବା ଦିଗରେ କଂଗ୍ରେସର ‘ପବ୍ଲିସିଟି ଷ୍ଟ୍ରାଟେଜି’ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି। ବିଜୟ ପଟ୍ଟନାୟଙ୍କ ‘ଭୋଟ୍‌ ଫର୍‌ ପଟନାୟକ’ ଟି-ସର୍ଟ, କ୍ରେନ୍‌ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍‌ ଏବଂ ମହମ୍ମଦ ମୋକିମଙ୍କ ବିଜ୍ଞାପନ ଆଦି ଆଲୋଚନାକୁ ଖୋରାକ୍‌ ଯୋଗାଇଛି। ଭିନ୍ନତାରେ ଏକତାକୁ ବିଶ୍ୱାସ ରଖୁଥିବା ଦଳ ଏହି ସମାବେଶକୁ ସଫଳ କରିବା ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ମିଳିତ ସହଯୋଗ କାମନା କରିଥିବା ଜଣାପଡୁଛି।

ରାଜଧାନୀର ଲୋୟର ପିଏମ୍‌ଜିରେ ଆୟୋଜିତ ସମାବେଶ ସ୍ଥଳରେ ୪/୫ଟି କ୍ରେନ୍ ସାହାଯ୍ୟରେ ଉପରୁ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେ, ଅଜୟ କୁମାରଙ୍କ ଫଟୋ ବେଶ ଆକର୍ଷଣୀୟ ଥିଲା। କମ୍ ସ୍ଥାନରେ ଅଧିକ ଭିଡ ସୃଷ୍ଟି କରିବା ଏବଂ କ୍ୟାମେରାର ଗୋଟିଏ ଆଙ୍ଗଲ୍‌ରେ ଦଳୀୟ ପୋଷ୍ଟର ବ୍ୟାନର ଆଦି ସଜାଇ ରଖିବା ଉତ୍କୃଷ୍ଟ ‘ପବ୍ଲିସିଟି ଷ୍ଟ୍ରାଟେଜି’କୁ ପ୍ରତିଫଳିତ କରିଛି। ଶୁଣାଯାଉଛି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ରାତି ୨ଟା ଯାଏ ସମାବେଶ ସ୍ଥଳରେ ଏସବୁ ନିରିକ୍ଷଣ କରୁଥିଲେ।

ସବାବେଶ ସ୍ଥଳରେ ‘ଭୋଟ୍‌ ଫର୍‌ ପଟନାୟକ’ ଟି-ସର୍ଟ ନିଆରା ଚର୍ଚ୍ଚା ସୃଷ୍ଟି କରିଛି। ସମାବେଶରେ ସାମିଲ ହୋଇଥିବା ଅନେକ କଂଗ୍ରେସ କର୍ମୀଙ୍କୁ ଏହି ଟି-ସର୍ଟରେ ଦେଖାଯାଇଥିଲା ଯାହାର ପଛରେ ‘ହାତ’ ଚିହ୍ନରେ ବିଜୟ ପଟ୍ଟନାୟକଙ୍କ ଫଟୋ ରହି ବଡ ବଡ ଅକ୍ଷରରେ ‘ଭୋଟ୍‌ ଫର୍‌ ପଟ୍ଟନାୟକ’ ଲେଖାଥିବା ଦେଖାଯାଇଛି।

ତେବେ ଫଟୋ ନୁହେଁ, ଦୂରରୁ କେବଳ ଲେଖାଟି ହିଁ ଅତି ସ୍ପଷ୍ଟ ଭାବେ ଦେଖାଯିବା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ସେପଟେ ଆଚାର୍ଯ୍ୟ ବିହାରରୁ ପିଏମ୍‌ଜି ସମାବେଶ ସ୍ଥଳ ଯାଏଁ ଖୁଣ୍ଟରେ ଦଳର ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍‌ ଅନେକଙ୍କୁ ଚକିତ କରିଥିଲା।

ପୋଷ୍ଟର୍‌ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଫଟୋ ଏବଂ ତଳେ ରଶ୍ମୀରଂଜନ ପଟ୍ଟନାୟକଙ୍କ ଫଟୋ ସହିତ ପିସିସି ସମ୍ପାଦକ ବ୍ରହ୍ମପୁର ଲୋକସଭା ଉଲ୍ଲେଖ ରହିଛି। ଭୁବନେଶ୍ୱର ଲୋକସଭାରେ ବ୍ରହ୍ମପୁର ପୋଷ୍ଟର୍‌ ଅନେକଙ୍କୁ ଅଡୁଆରେ ପକାଇଥିଲା।

ତେବେ ସମାବେଶ ପ୍ରତି ସବୁଠାରୁ ଅଧିକ ପ୍ରଭାବିତ କରିଛି ସେହିଦିନ ଏକ ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଦଳୀୟ ବିଜ୍ଞାପନ। ଯେଉଁ ସ୍ଥାନରେ ଅଧିକାଂଶ ସମୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ପ୍ରଚାର ଦେଖାଯାଇଛି ସେଠାରେ ଓଡ଼ିଶା କଂଗ୍ରେସର ବିଜ୍ଞାପନ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

କଂଗ୍ରେସର ‘ଓଡ଼ିଶା ବଞ୍ଚାଅ ସମାବେଶ’ ଆଗାମୀ ୨୦୨୪ ନିର୍ବାଚନକୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ପର କଥା କିନ୍ତୁ ଏହି ମାଧ୍ୟମରେ ଦଳ ଏକ ଆଖିଦୃଶିଆ ସ୍ଥିତିକୁ ଆସିଛି ବୋଲି କୁହାଯାଇପାରିବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Congress Odisha Congress Odisha Politics
Advertisment
Advertisment