କୌଣସି ଜାତିର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ତା’ର ଭାଷା ଓ ସାହିତ୍ୟରୁ ଜଣାଯାଏ । ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ଶବ୍ଦ ସମ୍ପଦରେ ଭାରତର ଅନ୍ୟାନ୍ୟ କଥିତ ଭାଷାର ଆଦର୍ଶ ସ୍ଥାନୀୟ ହେଲେ ହେଁ ଏହାର ଖଣ୍ଡିଏ ପୂର୍ଣ୍ଣାଙ୍ଗ ଅଭିଧାନ ନ ଥିଲା । ୧୮୪୧ ମସିହାଠାରୁ ୧୯୧୬ ମସିହା ପର୍ଯ୍ୟନ୍ତ ଯେଉଁ ପାଞ୍ଚଖଣ୍ଡ ଅଭିଧାନ ପ୍ରକାଶ ପାଇଥିଲା, ତାହା ପୂର୍ଣ୍ଣାଙ୍ଗ ନ ଥିଲା । ଯାହା ଫଳରେ ଅନେକ ସମୟରେ ଏକ ପ୍ରଦେଶବାସୀ ଓଡ଼ିଆ ଅନ୍ୟ ପ୍ରଦେଶବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରଚଳିତ ଶବ୍ଦମାନ ବୁଝି ପାରୁ ନ ଥିଲେ । ଯେତେବେଳେ ଓଡ଼ିଆ ଭାଷାଭାଷୀକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲା, ସେତେବେଳେ ବଙ୍ଗାଳୀ ସାହିତ୍ୟିକ କାନ୍ତିଲାଲ୍ ଭଟ୍ଟାଚାଯ୍ୟଙ୍କ କଟୁକ୍ତି ଓଡ଼ିଆ ଏକ୍ ସ୍ୱତନ୍ତ୍ର ଭାଷା ନୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରସ୍ତାବକୁ ପ୍ରକାରାନ୍ତରେ ବିରୋଧ କରିଥିଲା । ଏହା ସମ୍ଭବତଃ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ବ୍ୟଥିତ କରିଥିଲା ।
ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଶ୍ରୀ ପ୍ରହରାଜ ଏକ ପୂର୍ଣ୍ଣାଙ୍ଗ ଓଡ଼ିଆ ଅଭିଧାନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟାରମ୍ଭ କରିଥିଲେ । ୧୯୧୩ରୁ ୧୯୧୮ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବହୁ ସହସ୍ର ଶବ୍ଦ ସଂଗ୍ରହ କରି ଗୋପାଳ ଚନ୍ଦ୍ର ପ୍ରହରାଜ ତାହା ତାଙ୍କ ଟିପା ଖାତା ଓ କାଗଜମାନଙ୍କରେ ଟିପି ରଖୁଥିଲେ । ୧୯୧୯ ଖ୍ରୀଷ୍ଟାଦ୍ଦରେ ଏହି ସବୁ ଶବ୍ଦକୁ ସ୍ୱତନ୍ତ୍ର ଖାତାରେ କର୍ମାନୁକ୍ରମରେ ଲେଖିକାକୁ ଆରମ୍ଭ କରି ୧୯୨୭ ସାଲ ଅଗଷ୍ଟ ମାସରେ ପାଣ୍ଡୁଲିପିର ପ୍ରାଥମିକ ଲେଖା ଏକ ପ୍ରକାର ସମ୍ପନ୍ନ କଲେ । ପ୍ରାଥମିକ ପାଣ୍ଡୁଲିପିର ସଂଶୋଧନ, ସମ୍ମାନ ଓ ପରିପୂରଣ ଆଦି କାର୍ଯ୍ୟରେ କେତେକ ସହକର୍ମୀ ଓ ଶ୍ରୀମତୀ ପୀତାମ୍ବରୀ ଦେବୀଙ୍କୁ ନିଯୁକ୍ତ କଲେ ।
Also Read
୧୯୧୩ରୁ ୧୯୩୫ ଅର୍ଥାତ୍ ମୁଦ୍ରଣ ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷର ନିରବଚ୍ଛିନ୍ନ ଉଦ୍ୟମ, ଅଦ୍ୟମ ଚେଷ୍ଟା ଅପରିସୀମ ଧୈର୍ଯ୍ୟ ଓ ସକାରାତ୍ମକ ମନୋଭାବର ପ୍ରତୀକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ବିରଳକୃତି । ଏହା ସାତଖଣ୍ଡରେ ବିଭକ୍ତ । ସ୍ଥାନ ପାଇଥିବା ମୋଟ ଶବ୍ଦ ସଂଖ୍ୟା ୧ ଲକ୍ଷ ୮୫ ହଜାର ଓ ମୋଟ୍ ପୃଷ୍ଠା ସଂଖ୍ୟା ୯୫୦୩। ଶବ୍ଦଗୁଡ଼ିକର ଅର୍ଥ ଓଡ଼ିଆ, ହିନ୍ଦି, ବଙ୍ଗଳା ଓ ଇଂରାଜୀରେ ରହିଛି । ଶବ୍ଦର ଉଚ୍ଚାରଣ ଇଂରାଜୀରେ ଦିଆଯାଇଛି । ଯାହାକି ବିଶ୍ୱ ଦରବାରରେ ଓଡ଼ିଆ ଭାଷାକୁ କଳଜୟୀ କରିପାରିଲା । ଏହାର ନାମକରଣ ମୟୂରଭଞ୍ଜର ରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେବଙ୍କ ବଡ଼ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ନାମାନୁସାରେ କରାଯାଇଛି ।
କାରଣ ରାଜାଙ୍କ ଇଚ୍ଛା ଓ ପ୍ରତି ବଦଳରେ ଗ୍ରନ୍ଥ ସଂକଳନ ନିମିତ୍ତ ବ୍ୟୟର ସିଂହଭାଗ ଅର୍ଥରାଶି ପ୍ରଦାନ । ଉକ୍ତ ଗ୍ରନ୍ଥର କେବଳ ଶବ୍ଦ ସଂଗ୍ରହ କରିବା ପାଇଁ ସାତ ବର୍ଷ ଲାଗିଥିଲା ଓ ବହୁ ଦୁର୍ଗମ ଉପାନ୍ତ ଅଞ୍ଚଳକୁ ଯାତ୍ରା ଏବଂ ଆର୍ଥିକ ସହାୟତା ନିମନ୍ତେ ଅନେକଙ୍କ ଧନୀ ରାଜା ମହାରାଜାଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା । ଏପରିକି ଢେଙ୍କାନାଳ ରାଜା ସହାୟତା ପରିବର୍ତ୍ତେ ତାଙ୍କୁ ମୋଟର ଗାଡ଼ିରେ ନେଇ ଘନ ଜଙ୍ଗଲରେ ଛାଡ଼ି ଦେଇଥିଲେ । ବିଚରା ଶ୍ରୀ ପ୍ରହରାଜ ସାରାରାତି ଗଛ ଉପରେ ବସି ପରଦିନ କିଛି ଆଦିବାସୀଙ୍କ ସହାୟତାରେ ଜନବସତିକୁ ଫେରିଥିଲେ ।
ଖ୍ୟାତନାମା ଓଡ଼ିଆ ଭାଷାବିତ, ଲେଖକ, ପ୍ରାବନ୍ଧିକ, ଲୋକ ସାହିତ୍ୟ ଗବେଷକ, ଭାଷା ପ୍ରବୀଣ, ବାରିଷ୍ଟର ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଓକିଲ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ତାଙ୍କର ଗଭୀର ଅଭିରୁଚି ହେତୁ ସେ ଆମମାନଙ୍କ ପାଇଁ ଆଉ ଏକ ଶଦ୍ଦର କୋଣାର୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ନିର୍ମାଣ କରି ଏ ଜାତିର ଐତିହାସିକ ଆବଶ୍ୟକତାକୁ ପୂରଣ କରି ପାରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ନିର୍ମାଣ କରି ଗୋପାଳ ଚନ୍ଦ୍ର ପ୍ରହରାଜ ଆମ ଓଡ଼ିଆ ଭାଷକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଜୀବନବ୍ୟାପୀ ପରିଶ୍ରମ ଅତୁଳନୀୟ।
ଭାଷାକୋଷ ନିର୍ମାଣ ପାଇଁ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ପ୍ରହରାଜଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଯେଉଁଥି ପାଇଁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭାବରେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତ। ଗୋପାଳ ଚନ୍ଦ୍ର ପ୍ରହରାଜ ବୃତ୍ତିରେ ଜଣେ ଓକିଲ ହୋଇଥିଲେ ବି ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଅଭିରୁଚି ହେତୁ ସେ ଓଡ଼ିଆ ଜାତି ପାଇଁ ଭାଷାର କୋଣାର୍କ ପୂଣ୍ଣଚନ୍ଦ୍ର ଭାଷାକୋଷ ତିଆରି କରି ଏ ଜାତିର ଐତିହାସକ ଆବଶ୍ୟକତା ପୂରଣ କରିଛନ୍ତି। ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଶୀର୍ଷକ ଏକ ଲେଖା ଲେଖିଥିଲେ। ଏହା ତାଙ୍କର ପ୍ରଥମ ଲେଖା ଥିଲା। ତାଙ୍କ ଲେଖାରେ ହିନ୍ଦୁସ୍ତାନୀ, ପାର୍ସୀ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳିଥିଲା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସାହିତ୍ୟ ସାଧନା ଥିଲା ଅତି କଠିନ।
୧ ଲକ୍ଷ ୮୫ ହଜାର ଶବ୍ଦର ସଂକଳନ କରିବା ଓ ତାକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ଏବଂ ତାକୁ ପ୍ରକାଶ କରିବା ଏକ ଅସାଧ୍ୟ କାମ। ଗୋପଳ ଚନ୍ଦ୍ର ପ୍ରହରାଜ ଜଣେ ଆଇନଜୀବୀ ଥିଲେ। ସେ ମଧୁବାବୁଙ୍କ ସମସାମୟିକ ଥିଲେ। ସେ ସମୟରେ ତାଙ୍କର ପ୍ରତିପତ୍ତି ଥିଲା। ସେ ଏକ ବିଳାସମୟ ଜୀବନ ବିତାଇ ପାରିଥାନ୍ତେ, କିନ୍ତୁ ସେ ସେପରି କରିନଥିଲେ। ତାଙ୍କ ଜୀବନର ସବୁଠୁ ବଡ଼ ଅବଦାନ ହେଉଛି ସେ ୭ ଖଣ୍ଡ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରଚନା କରିଥିଲେ। ସେଥିପାଇଁ ସେ ଅନେକ ପରିଶ୍ରମ କରିଥିଲେ। ବହୁ ରାଜାଙ୍କୁ ମଧ୍ୟ ଭେଟିଥିଲେ। ବହୁ ପ୍ରଚେଷ୍ଟା ପରେ ସେ ଏହାକୁ ପ୍ରକାଶ କରିପାରିଥିଲେ। ସେତେବେଳେ ପୁଣି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବିରେ ସଂଗ୍ରାମ ଚାଲିଥିଲା। ତା’ ଭିତରେ ଏଭଳି ଏକ ଚେଷ୍ଟା ସତରେ ଅତୁଳନୀୟ।
ରାତି ଅଧରେ ଡିବିରି ଆଲୁଅରେ ସାରା ଓଡ଼ିଶାର ଲୋକମୁଖର ଭାଷାକୁ ସଂଗ୍ରହ କରି ଗୋପାଳ ଚନ୍ଦ୍ର ଯେଉଁ ମନ୍ଦିର ନିର୍ମାଣ କରିଥିଲେ ତାକୁ ଏବେ ଓଡ଼ିଆ ଜାତି ଓଡ଼ିଆ ଭାଷାର କୋଣାର୍କ ବୋଲି ସ୍ୱୀକାର କରୁଛି। କେବଳ ଭାଷାକୋଷ ନୁହେଁ ତାଙ୍କ ଅନ୍ୟ ଲେଖାଗୁଡ଼ିକ ମଧ୍ୟ ବେଶ ଉଚ୍ଚକୋଟୀର। ପ୍ରତିକୂଳ ପରସ୍ଥିତିରେ ବି ଗୋପଳ ଚନ୍ଦ୍ର ପ୍ରହରାଜ ଯେଉଁ ଅନୁକୂଳ ତିଆରି କରିଯାଇଛନ୍ତି ତାହା ଓଡ଼ିଶାକୁ ଗୌରାବାନ୍ୱିତ କରିଛି। ପ୍ରଚଣ୍ଡ ପାଣ୍ଡିତ୍ୟର ଅଧିକାରୀ ଏହି ଯଶସ୍ୱୀ ସାହିତ୍ୟ ସାଧକଙ୍କ ଭାଷା ପ୍ରୀତି ହେତୁ ସଂପ୍ରତି ଓଡ଼ିଆ ସାହିତ୍ୟର ମାନ ବିଶ୍ୱ ସାହିତ୍ୟ ସମକକ୍ଷ ହୋଇପାରିଛି ।
ଭାଷାକୋଷ ବ୍ୟତୀତ ଉତ୍କଳ କାହାଣୀ ୧ମ ଓ ୨ୟ ଭାଗ, ଭାଗବତ ଟୁଙ୍ଗୀରେ ସଂଧ୍ୟା, ବାଇ ମହାନ୍ତି ପାଞ୍ଜି, ମିଆଁ ସାହେବଙ୍କ ରୋଜନାମଚା, ଧୋରେ ବାଇଆ ଧୋ, ଦୁନିଆର ହାଲଚାଲ, ନନାଙ୍କ ବସ୍ତାନୀ, ଆମ ଘରର ହାଲ୍ଚାଲ୍, ବାଇନାନୀଙ୍କ ବୁଜୁଳି, ବାଇ ଦାସଙ୍କ ଭଜନ ଓ ଶିଶୁଗୀତ, ଢଗଢମାଳି ବଚନ, ୧ମ ଓ ୨ୟ, ଜେଜେବାପାଙ୍କ ଟୁଣିମୁଣି, ସ୍ୱପ୍ନରେ ରାଜଯୋଗ, ଧରାବନ୍ଧର ପୁଞ୍ଜି ପାଞ୍ଚ, ସ୍ୱପ୍ନର ରାଜଧାନୀ ଯୋଗ, ମନର ପାଞ୍ଚ, ଭାଷାକୋଷ ପାଇଁ ସଫର, ଦୁନିଆର ରୀତି ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ରଚନାବଳୀ।
ପ୍ରଥିତ ଯଶା, ଯୋଗଜନ୍ମା ସାହିତ୍ୟ ରଥି ଗୋପାଳ ଚନ୍ଦ୍ର ପ୍ରହରାଜ ଛାଡ଼ି ଯାଇଥିବା ଅଲିଭା ସ୍ମୃତି ଉତ୍କଳୀୟ ଚେତନାର ବୌଦ୍ଧିକ ଔଦଲ୍ୟତାକୁ ବିଶ୍ୱ ସମ୍ମୁଖରେ ଚିର ପ୍ରକଟିତ କରି ରଖିବ ଏଥିରେ ସନ୍ଦେହର ଅବକାଶ ନାହିଁ। ୧୯୧୨ରୁ ୧୯୪୩ ପର୍ଯ୍ୟନ୍ତ ତାଙ୍କର ସାହିତ୍ୟ ସାଧନା ଜାତି ନିର୍ମାଣର କର୍ତ୍ତବ୍ୟକୁ ତ୍ୱରାନ୍ୱିତ କରିଛି। ଓଡ଼ିଆ ଭାଷାକୋଷ ବ୍ୟତୀତ ବହୁ ପ୍ରବନ୍ଧ, ଜୀବନୀ, ଚିଠି, ସମୀକ୍ଷା, ମୁଖବନ୍ଧର ଲେଖକ ଓ ସଂକଳକ ଭାବେ ଗୋପଳ ଚନ୍ଦ୍ର ପ୍ରହରାଜ ସୁପରିଚିତ । ନିଜ ଇଚ୍ଛାରେ ଜୀବନ ବଞ୍ଚିଥିବା ଓ ସମାଲୋଚନାକୁ ଖାତିର କରୁନଥିବା ଏହି ପ୍ରତିଭା ୧୬ ମେ ୧୯୪୫ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ।
ଲେଖା : ପିୟୁଷ ରଂଜନ ପରିଡ଼ା, ସାଧାରଣ ସମ୍ପାଦକ, ପ୍ରହରାଜ ପ୍ରତିଭା ପୂଜା ପରିଷଦ,ସିଦ୍ଧେଶ୍ୱରପୁର, କଟକ