• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜସିଟ୍‌ । କିଛି ଦିନ ପୂର୍ବରୁ ତାଙ୍କ ବିରୋଧରେ ସିବିଆଇ ଚାର୍ଜଫ୍ରେମ୍‌ କରିବା ପରେ ଏବେ ଅତିରିକ୍ତ ଚାର୍ଜସିଟ୍‌ କରିଛି ଇଡି । ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ମଧ୍ୟ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରାଯାଇଛି ।

ସେସନ୍ସ କୋର୍ଟରେ ଇଡି ପକ୍ଷରୁ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରାଯାଇଛି । ବିଶ୍ୱାଳ ଦଂପତିଙ୍କ ସହ ସିସୋରର ୨ଟି କଂପାନୀ ନାଁରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ଚାର୍ଜସିଟ୍ ହୋଇଛି ।

୨୦୧୭ ସେପ୍ଟେମ୍ବର ୧୯ରେ ସିସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ତାପୂର୍ବରୁ ୩ ବର୍ଷ ଧରି ବିଭିନ୍ନ ସମୟରେ ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରା ବି ହୋଇଥିଲା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା ।

ଏଗ୍ରିମେଣ୍ଟ ଅନୁସାରେ ଲକ୍ଷ୍ମୀ ବିଳାସୀନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ । ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସୀନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ଦେଇଥିଲେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସ । ବାକି ଟଙ୍କା ଜମି ରେଜିଷ୍ଟ୍ରେସନ ବେଳେ ଦେବାକୁ ସ୍ଥିର ହୋଇଥିଲା । ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ । ସେ ଦେଇଥିବା ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ । ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସୀନୀ ।

ତେବେ ପ୍ରମାଣ ଦେଖାଇ ପାରିନଥିଲେ । କହିଥିଲେ ପ୍ରଶାନ୍ତ ତାଙ୍କୁ କୌଣସି ରସିଦ ଦେଇ ନଥିଲେ । ପରେ ଟଙ୍କା ଫେରସ୍ତ ନେଇ ଏକ ଏଗ୍ରିମେଣ୍ଟ ପେପର ଦେଖାଇଥିଲେ ଲକ୍ଷ୍ମୀ ବିଳାସିନୀ । ଏହି ଟଙ୍କା କାରବାରରେ ପ୍ରଭାତ ବିଶ୍ୱାଳଙ୍କୁ ଦୋଷୀ ପାଇବା ପରେ ସିବିଆଇ ଶେଷରେ ୨୦୧୭ରେ ତାଙ୍କୁ ଗିରଫ କରିଥିଲା । ୨୦୧୮ ଜୁନ୍ ୨୭ରେ ତାଙ୍କୁ ବେଲ୍ ମିଳିଥିଲା । ତେବେ ସେହି ମାମଲାରେ ୩୦ ଜୁଲାଇରେ ପ୍ରଭାତଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।