• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୨୦ ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ ବାହାର କରାଯିବ ବାଲି । ଏଥିପାଇଁ ଏଏସ୍‌ଆଇ ଓ ଘରୋଇ ନିର୍ମାଣ ସଂସ୍ଥା ବିଡିଆର ପକ୍ଷରୁ କାମ ଆରମ୍ଭ ହୋଇଛି । ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରି ଲିଫ୍ଟ ଯୋଗେ ମନ୍ଦିର ଭିତର ବାଲିକୁ କଢାଯିବ । ଲିଫ୍ଟ ପ୍ଲାଟଫର୍ମ ସହ ଉତ୍ତରପଶ୍ଚିମ କୋଣରେ ରାସ୍ତା ତିଆରି ଚାଲିଛି । ଏକ ବିଶାଳକାୟ ଲୁହା ବିମ୍‌କୁ ମନ୍ଦିରର ଉତ୍ତର କୋଣରେ ଲଗାଯାଇଛି । ଏଭଳି ଆହୁରି ତିନିଟି ଲୁହା ବିମ୍ ଲଦାଯିିବ । ଲିଫ୍ଟ ଜରିଆରେ ମନ୍ଦିର ଭିତର ବାଲି ବାହାର କରାଯିବ ।

ପରେ ମନ୍ଦିର ପାଦଦେଶରୁ ନିଷ୍କାସିତ ବାଲି, ପାଇପ ଯୋଗେ ଉତ୍ତର ପଶ୍ଚିମ କୋଣରେ ପଡିବ । ବାଲି ନିଷ୍କାସନ ପାଇଁ ପ୍ରାୟ ତିନି ବର୍ଷ ଲାଗିବ । ଘରୋଇ ନିର୍ମାଣ ସଂସ୍ଥା ବିଡିଆର ଲିଫ୍ଟ ଓ ଟ୍ରଲି ଇନଷ୍ଟଲେସନ ଲାଗି ପ୍ଲାଟଫର୍ମ ନିର୍ମାଣ କରୁଛି । ଏହାପରେ ଏଏସ୍‌ଆଇ ବାଲି ନିଷ୍କାସନ କାମ ଆରମ୍ଭ କରିବ । ବାଲି ନିଷ୍କାସନ ସମୟରେ ଯେପରି କୀର୍ତ୍ତିରାଜିକୁ କୌଣସି କ୍ଷତି ନହେବ ସେଥିଲାଗି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହିଛନ୍ତି ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ।

୧୯୦୩ ରେ କୋଣାର୍କ ମନ୍ଦିରର ଜଗମୋହନରେ ବାଲି ଭର୍ତ୍ତି କରାଯାଇ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା । ଆଉ ସେତେବେଳେ ବାଲି ଭର୍ତ୍ତି କାମ ଲାଗି ଏଏସ୍ଆଇ ଟିମ୍‌ରେ ଥିଲେ ଇଞ୍ଜିନିୟର ବିଷନ ସ୍ୱରୂପ । ବିଷନଙ୍କ ଇଞ୍ଜିନିୟର ନାତି ପି.ଆର. ସ୍ୱରୂପ କୋଣାର୍କ ଆସି ମନ୍ଦିର ପରିଦର୍ଶନ କରିଛନ୍ତି । ବାଲି କଢାଗଲେ ଏହି ବିରଳ କୀର୍ତ୍ତି ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ସେପଟେ ଐତିହାସିକଙ୍କ ମତ, ଏଭଳି ନିଷ୍କାସନ କାମ ଆଗରୁ କେଉଁଠି ବି ହୋଇନାହିଁ । ବିଳମ୍ବ ହେଲେ ବି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କାମ ହେଉ ।

ଅଧିକ ପଢ଼ନ୍ତୁ: ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

୨୦୧୦, ୨୦୧୫ ଓ ୨୦୧୯ରେ ବିଶେଷଜ୍ଞ ଟିମ୍ ଦ୍ୱାରା କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥିତିର ଯାଞ୍ଚ କରାଯାଇଥିଲା । ଗତ ସେପ୍ଟେମ୍ବର ୧୬ରେ ଆମିକସ୍ କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏବେ ମନ୍ଦିରରୁ ବାଲି କଢ଼ା ଯିବା ପ୍ରକ୍ରିୟା ଆରମ୍ଭ ହେବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମନରେ ଅନେକ ଆଶା ।