Advertisment

ବଢ଼ିଲା ସର୍ପ ଦଂଶନ ଟେନସନ୍ ! ଗୋଟିଏ ଦିନରେ ୫ ମୃତ

ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।

author-image
Satyendu Shekher Mishra
undefined

Snake Bite

ରାଜ୍ୟରେ ବଢ଼ି ଚାଲିଛି ସର୍ପାଘାତ ମୃତ୍ୟୁ । ଚିନ୍ତାରେ ସରକାର । ଗାଇଡ୍ ଲାଇନ୍ ଜାରି କଲା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଖାସ୍ କରି କେନ୍ଦୁଝରର ଏକ ଘରୋଇ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ପରେ ଚେତିଛି ପ୍ରଶାସନ । ଗାଇଡ୍‌ଲାଇନ୍‌ରେ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍କୁଲକୁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ ଟିମ୍ ପଠାଇ ସର୍ପାଘାତ ସଂପର୍କରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଅ । ହଷ୍ଟେଲଗୁଡ଼ିକୁ ବେଙ୍ଗ ଓ ମୂଷାମୁକ୍ତ ରଖ ।

Advertisment

ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା କିପରି ହେବ, ସେନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଦ୍ଦର୍ଦଶାବଳୀରେ କୁହାଯାଇଛି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,କିଛି ଦିନ ହେଲା ରାଜ୍ୟରେ ସାପକାମୁଡ଼ା ରୋଗୀ ସଂଖ୍ୟା ବଢ଼ିଛି । ସାପ କାମୁଡ଼ା ପରେ ୬୦ ମିନିଟ୍ ହେଉଛି ଗୋଲ୍ଡେନ ଆୱାର । ଏହି ସମୟକୁ ଗୁଣି ଗାରେଡିରେ ସମୟ ନଷ୍ଟ ନକରି ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଲେ, ରୋଗୀର ଜୀବନ ବଞ୍ଚାଯାଇପାରିବ । ଅନ୍ୟପକ୍ଷରେ ପ୍ରତିଦିନ କେତେ ସାପ କାମୁଡ଼ା ରୋଗୀ ହସପିଟାଲକୁ ଆସୁଛନ୍ତି ସେ ସଂପର୍କରେ ତଥ୍ୟ ଦେବାକୁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ପ୍ରଶ୍ନ, ବର୍ଷାଦିନେ କାହିଁକି ଅଧିକ ସର୍ପାଘାତ ହୁଏ ? କିଭଳି ସାପକୁ ନିଜ ଘରଠୁ ଦୂରେଇ ରଖିବେ ? ବିଷାକ୍ତ ସାପ କାମୁଡିଛି ନା ନାହିଁ କିଭଳି ଜାଣିବେ ? ବିଶେଷଜ୍ଞଙ୍କ ମତ, ବର୍ଷାଦିନ ହେଉଛି ସାପଙ୍କ ବ୍ରିଡିଂ ସିଜିନ । ଏହାସହ ଗାତରେ ପାଣି ପଶିବା ଫଳରେ ସାପମାନେ ବାହାରକୁ ପଳାଇ ଆସନ୍ତି। ସାପ କବଳରୁ ବର୍ତ୍ତିବା ଲାଗି ବର୍ଷା ଋତୁରେ ଘର ଚାରିପାଖ ପରିଷ୍କାର ରଖନ୍ତୁ।

Advertisment

ଘର ନିକଟରେ ବୋତଲରେ କାର୍ବୋଲିକ୍ ଏସିଡ୍ ପୂରାଇ ରଖନ୍ତୁ । ଅଥବା ବ୍ଲାକ୍ ଫିନାଇଲ, ବ୍ଲିଚିଂ ପାଉଡର ସିଞ୍ଚନ୍ତୁ । ବିଷଧର ସାପ କାମୁଡ଼ିଲେ ଶରୀରରେ ଦୁଇଟି ଦାନ୍ତ ଚିହ୍ନ ରହିବା ସହ ରକ୍ତସ୍ରାବ ହୋଇ କାମୁଡ଼ିବା ସ୍ଥାନ ଫୁଲି ଦରଜ ହୋଇଥାଏ । ଏଭଳି ଲକ୍ଷଣ ଦେଖାଦେଲେ, ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଆନ୍ତୁ ।

ଏସବୁ ଭିତରେ ଆଜି ରାଜ୍ୟରେ ସାପ କାମୁଡ଼ାରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦେବଗଡ଼ ପୌରାଞ୍ଚଳରେ ଚିତି ସାପ କାମୁଡ଼ାରେ ସର୍ବେଶ୍ବର ଦେହୁରୀଙ୍କ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏପଟେ କଳାହାଣ୍ଡି ଜିଲ୍ଲା କଲମପୁରରେ ଜଣେ ୫୦ ବର୍ଷୀୟା ମହିଳା, ମୟୂରଭଞ୍ଜ ଶରତ ଥାନା ଅନ୍ତର୍ଗତ କଟୁରିଆ ଗାଁରେ ଏକ ଦେଢ଼ ବର୍ଷର ଶିଶୁପୁତ୍ର ଏବଂ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଅତାମଳା ଗାଁରେ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Snake Help-Line
Advertisment
Advertisment