Advertisment

Naveen Patnaik : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ, ଆଗକୁ ଅଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି ।

author-image
Deviprasad Jena
Naveen Patnaik

Naveen Patnaik

ଲଗାତାର୍ ନବମ ଥର ପାଇଁ ବିଜେଡିର ସୁପ୍ରିମୋ ହେଲେ ନବୀନ । ଶଙ୍ଖ ଭବନରେ ରାଜ୍ୟ ପରିଷଦ ବୈଠକରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଗଲା । କିନ୍ତୁ, ପାୱାର ପଲିଟିକ୍ସରେ ମାହିର ନବୀନଙ୍କ ପାଇଁ ଅପୋଜିସନ୍ ପଲିଟିକ୍ସ ବେଶ୍ ଆହ୍ବାନପୂର୍ଣ୍ଣ ରହିବ ।

Advertisment

ଅସନ୍ତୁଷ୍ଟଙ୍କୁ ଥଇଥାନ, ବରିଷ୍ଠଙ୍କୁ ଦାୟିତ୍ବ ଓ ୨୪ ନିର୍ବାଚନରେ ଫେଲ୍ ମାରିଥିବା ନେତାଙ୍କ ଭାଗ୍ୟ ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଆଗକୁ ରାଜ୍ୟ କମିଟି ଘୋଷଣା ହେବାକୁ ଥିବା ବେଳେ ଅସନ୍ତୁଷ୍ଟଙ୍କ ପାଇଁ ନବୀନଙ୍କ ମୁଣ୍ଡ ବିନ୍ଧା ବଢିପାରେ ।

ଆଜି ଶଙ୍ଖ ଭବନରେ ବସିଥିବା ରାଜ୍ୟ ପରିଷଦ ବୈଠକରେ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ଅପରପକ୍ଷେ ଦାୟିତ୍ବ ନେଉ ନେଉ ନବୀନ ନେତାଙ୍କୁ ଦେଖାଇଲେ ଆଇନା । ପଢାଇଲେ ପାଠ । କହିଲେ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ । ଗତ ନିର୍ବାଚନରେ ମିଛ ପ୍ରଚାରକୁ ସୋସିଆଲ୍ ମିଡିଆରେ ଆମେ କାଉଣ୍ଟର କରିପାରିଲୁ ନାହିଁ ବୋଲି ଦଳ ପରାଜିତ ହେଲା ବୋଲି କହି ଦଳର ସୋସିଆଲ ମିଡିଆ ଟିମ୍ ଦାୟିତ୍ବରେ ଥିବା ନେତାଙ୍କୁ ବି ଟାର୍ଗେଟ୍ କରିଛନ୍ତି ନବୀନ ।

Advertisment

ଅଧିକ ପଢ଼ନ୍ତୁ: ନବମ ଥର ସଭାପତି ହେଲେ ନବୀନ, କିନ୍ତୁ ଶଙ୍ଖ ଭବନ ଆସିଲେନି ଭେଟ୍‌ରାନ୍‌ ନେତା

ଅନ୍ୟପଟେ ନବୀନଙ୍କ ଆହ୍ବାନ ଅନେକ କିଛି ସ୍ପଷ୍ଟତା ଆଣିଥିବା କହିଛନ୍ତି କିଛି ବରିଷ୍ଠ ନେତା । ୱକଫ୍ ବିଲ୍ ଓ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଷ୍ଟାଲିନଙ୍କ ସଭାରେ ବିଜେଡି ଯୋଗଦେବା ପରେ ଦଳର ପ୍ରକୃତ ଆଭିମୁଖ୍ୟ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ଏବେ ନବୀନ ଓଡ଼ିଶା ସ୍ବାର୍ଥ ପାଇଁ ଲଢେଇ କଥା କହି କେନ୍ଦ୍ର ବିରୋଧରେ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ବୋଲି ନେତାଙ୍କ ମତ । ସେପଟେ ନବୀନଙ୍କ ମିଛ ପ୍ରଚାର ବୟାନ ଉପରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି- ଫଲସ୍ ନାରେଟିଭ୍ ଯୋଗୁଁ ନୁହେଁ, ବରଂ ବିଜେଡି ନିଜ ଅଯୋଗ୍ୟତାରୁ ହାରିଲା ।

ଏଣେ ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ଦଳର ତୁଙ୍ଗ ନେତୃମଣ୍ଡଳି ଓ କର୍ମୀ ବେଶ୍ ଉତ୍ସାହିତ । ଦୀର୍ଘ ଦିନ ପରେ ଶଙ୍ଖ ଭବନରେ କର୍ମୀ ଓ ନେତାଙ୍କ ଗହଳି ଦେଖିବାକୁ ମିଳିଥିଲା । କିନ୍ତୁ ଅସନ୍ତୋଷର କଳାବାଦଲ ଏବେ ବି ଘେରି ରହିଛି । କ୍ଷମତା ଯିବା ପରେ ନେତାଙ୍କ ଉପରେ ନବୀନଙ୍କ ପକଡ଼ ଖସୁଛି । ଯେଉଁଥିପାଇଁ କିଏ ମେଳି କରୁଛି ତ ଆଉ କିଏ ନେତୃତ୍ବ ବିରୋଧରେ ପ୍ରଶ୍ନ ଉଠାଉଛି । ନବୀନଙ୍କ ନବମ ପାଳିରେ ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଦାୟିତ୍ବ ବାଣ୍ଟିବା ସମୟରେ ଅନେକ ଆହ୍ବାନ ରହିବ ।

ପ୍ରଥମ ଆହ୍ବାନ ହେବ, ଅସନ୍ତୁଷ୍ଟ ବରିଷ୍ଠ ଓ ଯୁବ ନେତାଙ୍କୁ କିପରି ଥଇଥାନ କରିବେ । ଦ୍ବିତୀୟରେ ୨୪ ବିପର୍ଯ୍ୟୟର କାରଣ ସାଜିଥିବା ଆଗଧାଡିର ନେତାଙ୍କୁ ଆଉଟ୍ କରିବେ ନା ରଖିବେ? କାରଣ ଯୁବ ଚେହେରାଙ୍କୁ ଦାୟିତ୍ବ ଦେବାକୁ ଦାବି ଉଠିଲାଣି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହେଲା ପାଣ୍ଡିଆନ୍ ଫାକ୍ଟର ।

ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଦଳରେ ଅସନ୍ତୁଷ୍ଟ ଥିବା କିଛି ନେତା ଏହି କଥାକୁ ଖୋଲାଖୋଲି ସ୍ବୀକାର କରିଛନ୍ତି । ଅନ୍ୟପଟେ ନେତାଙ୍କ ଏକାଠି ବୈଠକକୁ କେହି ରୋକି ପାରିବେ ନାହିଁ ବୋଲି ମଧ୍ୟ ସ୍ବର ଉଠିଛି । ସେପଟେ ବିବାଦ ପାଇଁ ଆହୁରି ୧୫ଟି ସାଂଗଠନିକ ଜିଲ୍ଲାରେ ସଭାପତି ଘୋଷଣା ହୋଇନି । ଏପରିକି ନବୀନଙ୍କ ନିର୍ବାଚନ ମଣ୍ଡଳୀ ଥିବା ଗଞ୍ଜାମରେ ବି ସହମତି ହୋଇପାରୁନି । ଖୁବ୍ ଶୀଘ୍ର ନବୀନ ନୂଆ ଟିମ୍ ଗଠନ କରିବେ । ତେବେ ନବୀନଙ୍କ ନୂଆ ଟିମ୍ କେମିତି ହେଉଛି ଆଉ କିଛି ସଂସ୍କାର ଆସୁଛି ନା ନାହିଁ ତା'ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନରେ କାହିଁକି ହାରିଲା ବିଜେଡି, କାରଣ କହିଲେ ନବୀନ...

Naveen Patnaik BJD Odisha Politics Biju Janata Dal
Advertisment
Advertisment