• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଉଚ୍ଛୁଳା ସମୁଦ୍ରର ଢ଼େଉ ପରି । ଜଣେ ସ୍ୱପ୍ନ ଦେଖୁଥାଏ, ଆଉ ଜଣେ ପ୍ରେମ ଖୋଜୁଥାଏ । ଅଢ଼େଇ ଅକ୍ଷରେ ଏତେ ଶକ୍ତି ଅଛି ଯେ, ଯାହାକୁ ବି କବଳିତ କରେ ସହଜେ ମୁକ୍ତି ମିଳେନି । ଏହି ପ୍ରେମ ପାଇଁ କେବେ କଣ୍ଟକିତ ପଥ ଆପଣାର ହୋଇଯାଏ, ପୁଣି କେତେବେଳେ ଦୁନିଆଟା ଶକ୍ତିହୀନ ଆଉ ଅନ୍ଧାର ହୋଇଯାଏ । ତେବେ ଗୁଜରାଟରେ ଏପରି ଏକ ପ୍ରେମକାହାଣୀ ସାମ୍ନାକୁ ଆସିଛି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଜଣେ ୨୪ ବର୍ଷ ବର୍ଷିୟ ଯୁବତୀ ନିଜର B.Com ପଢ଼ୁଆ ବୟଫ୍ରେଣ୍ଡ୍‌ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ସ୍କୁଲ ସମୟରୁ B.Com ପଢ଼ୁଆ ଛାତ୍ର ଓ ୨୪ ବର୍ଷ ବର୍ଷିୟ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣକ ପ୍ରେମିକ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ । ଫାଇନାଲ ପରୀକ୍ଷାରେ ପ୍ରେମୀ ବାରମ୍ବାର ଫେଲ୍ ହେବାପରେ ପାସ୍‌ କରାଇବା ଭାର ନିଜ କାନ୍ଧକୁ ନେଇଥିଲେ । ଏଥିପାଇଁ ପ୍ରେମିକ ଉତ୍ତରାଖଣ୍ଡ ବୁଲିବାକୁ ଯାଇ ଥିବା ବେଳେ ପ୍ରେମିକା ଯାଇଥିଲା ପରୀକ୍ଷା ହଲକୁ । ପ୍ରେମିକ ବଦଳରେ ପରୀକ୍ଷା ଦେବାପାଇଁ ପ୍ରଥମେ ସେ କମ୍ପ୍ୟୁଟର ସାହାଯ୍ୟରେ ଏକଜାମ୍‌ ହଲ୍‌ ଟିକେଟରେ ନିଜ ଫଟୋ ଲଗାଇଥିଲେ । ଆଉ ପ୍ରିଣ୍ଟଆଉଟ୍‌ ଧରି ପରୀକ୍ଷା ହଲକୁ ପଶିଥିଲେ ।

ଅଧିକ ପଢ଼ନ୍ତୁ: ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ପରୀକ୍ଷା ହଲରେ ସୁପରଭାଇଜରଙ୍କ ଡ୍ୟୁଟି ବାରମ୍ବାର ବଦଳୁଥିବାରୁ ସେମାନେ ବ୍ୟକ୍ତିଗତ ଭାବରେ କୌଣସି ପରୀକ୍ଷାର୍ଥୀଙ୍କୁ ଜାଣିନଥାନ୍ତି । ସେଥିପାଇଁ ଯୁବତୀଙ୍କ ମିଛ ଧରିବା ଏକପ୍ରକାର ଅସମ୍ଭବ ଥିଲା । ଆଉ ଏହାର ସୁଯୋଗ ନେଇ ଯୁବତୀ ଜଣକ ଏପରି କାଣ୍ଡ ଘଟାଇଥିଲେ । କିନ୍ତୁ ପରୀକ୍ଷା ହଲରେ ଅନ୍ୟ ଜଣେ ଛାତ୍ରଙ୍କ ଅଭିଯୋଗ ପରେ ତାଙ୍କର ହଲ୍ ଟିକେଟ୍ ଯାଞ୍ଚ କରାଯାଇଥିଲା । ଫଳରେ ଏକଜାମିନରଙ୍କ ହାତରେ ଧରାପଡ଼ି ଗଲେ ପ୍ରେମିକା । ଏବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‍ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯୁବତୀ ଜଣକ ଜଣେ ସରକାରୀ କର୍ମଚାରୀ । ଏଭଳି ସ୍ଥିତିରେ ତାଙ୍କର ଚାକିରି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । ଏବେ ପରୀକ୍ଷା ହଲରୁ ଧରାପଡ଼ିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି ।