/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746631589.jpg)
କାହିଁକି ବଛାଗଲା ୯ ଟାର୍ଗେଟ୍ ?
ବଦଲା ଏମିତି ଯାହା କେବେ ବି କଳ୍ପନା କରିନଥିବ ପାକିସ୍ତାନ । ପ୍ରତିଶୋଧ ଏତେ ଅଚାନକ୍ ଯେ ବର୍ତ୍ତିବାକୁ ବି ବେଳ ପାଇଲେନି ପାକ୍ ଆତଙ୍କୀ । ହେଲେ, କାହିଁକି ପାକିସ୍ତାନ ଓ ପିଓକେରେ ଥିବା ନିର୍ଦ୍ଦିଷ୍ଟ ସେଇ ୯ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ ପାଇଁ ବାଛିଲା ଆମ ପରାକ୍ରମୀ ଭାରତୀୟ ସେନା, ଏଇ ସ୍ଥାନଗୁଡ଼ିକର ପାକ୍ ଆଧାରିତ ଆତଙ୍କୀ ଗୋଷ୍ଠୀ ସହ କଣ ସଂପର୍କ ଆସନ୍ତୁ ଜାଣିବା ।...
ଅପରେସନ୍ ସିନ୍ଦୂରର ମାତ୍ର ୨୫ ମିନିଟର ଦନାଦନ୍ ଷ୍ଟ୍ରାଇକ୍ । ଜୈଶ୍ ଏ ମହମ୍ମଦର ଗଡ଼ ବାହାୱଲପୁର ଓ ଲସ୍କର ଏ ତୋଏବାର ମୁଖ୍ୟାଳୟ ମୁରିଦକେ ସହ ୯ ଆତଙ୍କୀ ଫ୍ୟାକ୍ଟ୍ରିର ଏକଦମ୍ କାମ୍ ତମାମ୍ । ପ୍ରଥମେ ଭାରତର ଗୁଇନ୍ଦା ସଂସ୍ଥା RAW ଏସବୁ ଟାର୍ଗେଟକୁ ବାଛିଲା । ଆଉ ପାକିସ୍ତାନରେ ନପଶି ପୂରା ପ୍ଲାନିଂ ସହ ବାୟୁସୀମାରେ ଥାଇ ଲସ୍କର ଓ ଜୈସର ଠିକଣାକୁ ମାଟିରେ ମିଶାଇଛନ୍ତି ଆମ ବାୟୁବୀର ।
କାହିଁକି ଖୋଜି ଖୋଜି ଏସବୁ ଆତଙ୍କୀ ଠିକଣାକୁ ଟାର୍ଗେଟ କରାଗଲା, ପ୍ରେସମିଟରେ ଗୋଟି ଗୋଟି କରି ବତାଇଛନ୍ତି ଦୁଇ ମହିଳା ଅଧିକାରୀ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେସି ଓ ବାୟୁସେନାର ଉଇଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ।
ଟାର୍ଗେଟ୍ ନମ୍ବର ୧: ପାକିସ୍ତାନର ବାହାୱାଲପୁର ସ୍ଥିତ ମର୍କଜ୍ ସୁଭାନଲ୍ଲା, ମୋଷ୍ଟୱାଣ୍ଟେଡ୍ ଟେରରିଷ୍ଟ ମୌଲାନା ମାସୁଦ୍ ଆଜହର ପ୍ରତିଷ୍ଠିତ ଜୈଶ-ଏ ମହମ୍ମଦର ମୁଖ୍ୟାଳୟ ୧୫ ଏକର ପରିମିତ ଅଞ୍ଚଳରେ ବ୍ୟାପ୍ତ । ଜୈଶର ସେଇ ଟେରର କ୍ୟାମ୍ପ୍ ଯେଉଁଠି ଆତଙ୍କବାଦୀଙ୍କୁ ନିଯୁକ୍ତିଠୁ ନେଇ ଆକ୍ରମଣର ତାଲିମ୍, ମତାଦର୍ଶର ଟ୍ରେନିଂ ଦିଆଯାଉଥିଲା । ଶୀର୍ଷ ଆତଙ୍କବାଦୀ ନେତାମାନେ ଏଇଠି ଏକାଠି ହୋଇ ଭାରତ ବିରୋଧରେ ଅହରହ ଆତଙ୍କୀ ହମଲାର ପ୍ଲାନ୍ କରୁଥିଲେ । ୨୦୧୯ର ପୁଲୱାମା ହମଲାର ଷ୍ଟ୍ରାଟେଜି ଏବଂ ଆତଙ୍କୀଙ୍କୁ ପ୍ରଶିକ୍ଷଣ ଏଇଠୁ ହିଁ ଦିଆଯାଇଥିଲା । ଭାରତୀୟ ସୀମାଠୁ ୧୦୦ କିଲୋମିଟର ଦୂରରେ ଥିଲେ ବି ଏୟାର ଷ୍ଟ୍ରାଇକରେ ଉଡ଼ିଯାଇଛି ଜୈଶର ଏ ଆତଙ୍କୀ ଫ୍ୟାକ୍ଟ୍ରି।
ଅଧିକ ପଢ଼ନ୍ତୁ: ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା, ଜାଣନ୍ତୁ କେମିତି ଥିଲା ଅପରେସନର ୨୫ ମିନିଟ୍
ଟାର୍ଗେଟ୍ ନମ୍ବର-୨: ପାକିସ୍ତାନର ମୁରିଦକେ ସ୍ଥିତ ମରକଜ ତୈବା । ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ମୁଖ୍ୟାଳୟ । 26-11 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦର ଗଡ଼ । ପାକିସ୍ତାନରେ ଲସ୍କରର ସବୁଠୁ ବଡ଼ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ । ଏଇଠୁ ଟ୍ରେନିଂ ନେଇଥିଲେ ମୁମ୍ବାଇ ଆକ୍ରମଣର ଆତଙ୍କୀ ଅଜମାଲ କସାବ, ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲି ଓ ତହାୱୁର ହୁସେନ୍ ରାଣା । ଓସାମା ବିନ୍ ଲାଡେନର ଆର୍ଥିକ ଅନୁଦାନରେ ୨୦୦୦ମସିହାରୁ ୮୨ ଏକର ଇଲାକାରେ ପ୍ରତିଷ୍ଠିତ ଲସ୍କର ଏ ତୋଇବାର ଏ ପେଣ୍ଠ ସ୍ଥଳୀକୁ ଆତଙ୍କବାଦୀଙ୍କ ନର୍ସରୀ ବୋଲି କୁହାଯାଏ । ଯେଉଁଠି ବଜାରଠୁ ନେଇ ମଦ୍ରାସା- ଆତଙ୍କୀଙ୍କ ବାସସ୍ଥାନ, ବଜାର, ସ୍ପୋର୍ଟ୍ସ ଫାସିଲିଟି ସବୁ କିଛି ଅଛି । ପ୍ରତି ବର୍ଷ ହଜାରେରୁ ଅଧିକ ଛାତ୍ରଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ ନାଁରେ ଆତଙ୍କୀର ପାଠ । ତେଣୁ ଅନ୍ତର୍ଜାତୀୟ ସୀମାରୁ ୧୮ରୁ ୨୫ କିଲୋମିଟର ଦୂର ଏଇ କ୍ୟାମ୍ପ ଉପରେ ଷ୍ଟ୍ରାଇକ୍ କରି ଜୈଶର ଅଣ୍ଟା ଭାଙ୍ଗିଦେଇଛି ଭାରତ ।
ଟାର୍ଗେଟ୍ ନମ୍ବର-୩ : ମେହମୁନା ଜୋୟା କ୍ୟାମ୍ପ । ପାକିସ୍ତାନ ସିଆଲକୋଟ ସ୍ଥିତ ହିଜବୁଲ୍ ମୁଜାହିଦ୍ଦିନର ଏକ ବୃହତ ଆତଙ୍କୀ ଆଡ୍ଡା । ଅନ୍ତର୍ଜାତୀୟ ସୀମାରୁ ୧୨କିଲୋମିଟର ଦୂରରେ ଅବସ୍ଥିତ ଏଇ କ୍ୟାମ୍ପରୁ ଆତଙ୍କୀଙ୍କୁ ନିୟମିତ ଅନୁପ୍ରବେଶ ଓ ହମଲାର ଟ୍ରେନିଂ ଦେଇ ଜାମ୍ମୁ ଓ କାଶ୍ମୀରକୁ ପଠାଇଥାଏ ହିଜାବୁଲ୍ ମୁଜାହିଦ୍ଦିନ । ୨୦୧୬ର ପଠାନ୍ କୋଟ ଏୟାରବେସ୍ ଆକ୍ରମଣର ଯୋଜନା ଏଇଠୁ ହିଁ ହୋଇଥିଲା । ତେଣୁ ଏହାକୁ ବି ସଫା କରିଛି ଭାରତ।
ଟାର୍ଗେଟ୍ ନମ୍ବର-୪ : ସର୍ଜାଲ୍ କ୍ୟାମ୍ପ ସିଆଲକୋଟ୍ ସ୍ଥିତ ଆଉ ଏକ ବଡ଼ ଟେରର କ୍ୟାମ୍ପ୍ । ଗତ ମାର୍ଚ୍ଚରେ ଜମ୍ମୁ ଓ କାଶ୍ମୀରରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ପଛରେ ଥିବା ଆତଙ୍କବାଦୀମାନେ ଏଇଠି ତାଲିମ ନେଇଥିଲେ । ଭାରତୀୟ ବାୟୁସେନାର ମିଜାଇଲ୍ ମାଡ଼ରେ ଇଏ ବି ମାଟିରେ ମିଶିଛି ।
ପାକିସ୍ତାନ ମାଟିରେ ଥିବା ପ୍ରମୁଖ ଏଇ ୪ ଟେରର ଟ୍ରେନିଂ ସେଣ୍ଟର ସହ ପାକ୍ ଅଧିକୃତ କାଶ୍ମୀରର ଧ୍ବଂସ ହୋଇଥିବା ୫ଟି ଆତଙ୍କୀ ଆଡ୍ଡା ଭିତରୁ ଇଏ ଟାର୍ଗେଟ୍ ନମ୍ବର -୫ରେ ରହିଥିଲା, ମୁଜାଫରାବାଦର ଶାୱାଇ ନାଲା କ୍ୟାମ୍ପ । ପିଓକେ-ଭାରତ ସୀମାରୁ ୩୦ କିମି ଦୂରରେ ଅବସ୍ଥିତ ଇଏ କ୍ୟାମ୍ପ ବି ଲସ୍କର-ଏ-ତୋଇବାର ତାଲିମ କେନ୍ଦ୍ର ଥିଲା । ୨୦୨୪ ଅକ୍ଟୋବର ୨୦ରେ ସୋନମାର୍ଗ ଆକ୍ରମଣଠୁ ନେଇ ଅକ୍ଟୋବର ୨୪ରେ ଗୁଲମାର୍ଗ ହମଲା ଓ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀମାନେ ଏଇଠୁ ହିଁ ତାଲିମ ନେଇଥିଲେ ।
ଟାର୍ଗେଟ୍ ନମ୍ବର -୬ : ଏୟାରଷ୍ଟ୍ରାଇକରେ ମାଟିରେ ମିଶିଥିବା ମୁଜାଫରାବାଦର ଆଉ ଏକ ଆତଙ୍କୀ ଶିବିର ସୟେଦନା ବିଲାଲ କ୍ୟାମ୍ପ । ଜୈଶ-ଏ-ମହମ୍ମଦର ଏଇ ଆତଙ୍କବାଦୀ ଲଞ୍ଚପ୍ୟାଡରେ ଆତଙ୍କୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଠୁ ନେଇ ଗରିଲା ତାଲିମ୍ ଓ ମାସ ମାସ ଧରି ଦୁର୍ଗମ ଜଙ୍ଗଲରେ ଲୁଚିଛପି ରହିବାର ଟ୍ରେନିଂ ଓ କୌଶଳ ଶିଖାଯାଉଥିଲା ।
ଟାର୍ଗେଟ୍ ନମ୍ବର -୭ : ଏଲଓସିଠୁ ପ୍ରାୟ ୩୦ କିଲୋମିଟର ଦୂର କୋଟଲି ସ୍ଥିତ ଗୁଲପୁର ଟେରର କ୍ୟାମ୍ପ । ଲସ୍କର ଟେରର ଗ୍ରୁପର ଏଇ ବେସରୁ ପ୍ରଶିକ୍ଷଣ ପାଇ ଜମ୍ମୁ-କାଶ୍ମୀରର ରାଜୋରୀ ଓ ପୁଞ୍ଚ ଜିଲ୍ଲାରେ ଆତଙ୍କ ଖେଳାନ୍ତି ଆତଙ୍କୀ । ୨୦୨୩ ଏପ୍ରିଲ ୨୦ର ପୁଞ୍ଚ୍ ହମଲା ହେଉ କି ୨୦୨୪ ଜୁନ ୯ରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ, ଏଇ କ୍ୟାମ୍ପରୁ ହିଁ ହୋଇଥିଲା ଏସବୁ ଆତଙ୍କୀ ଅପରେସନ୍ ।
ଟାର୍ଗେଟ୍ ନମ୍ବର -୮ - ବର୍ଣ୍ଣାଲା କ୍ୟାମ୍ପ, ଭିମ୍ବେର : ଏଲଓସିରୁ ୯ କିମି ଦୂରରେ ଅବସ୍ଥିତ ଏଇ ଶିବିରରେ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର, ଆଇଇଡି ଓ ଜଙ୍ଗଲ ବଞ୍ଚିବା କୌଶଳ ଉପରେ ତାଲିମ ଦିଆଯାଉଥିଲା ।
ଟାର୍ଗେଟ୍ ନମ୍ବର -୯-ଅବ୍ବାସ କ୍ୟାମ୍ପ, କୋଟଲି : ଏଲଓସିରୁ ପ୍ରାୟ ୧୩ କିମି ଦୂରରେ ଅବସ୍ଥିତ ଆତଙ୍କୀଙ୍କ ଏଇ ଗଡ଼ରେ ବିଶେଷତଃ ଆତ୍ମଘାତୀ ଆତଙ୍କୀଙ୍କୁ ତାଲିମ ସହ ପ୍ରସ୍ତୁତ କରି ରଖାଯାଉଥିଲା । ଏକ ସମୟରେ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ଏଠି ତାଲିମ ଦିଆଯିବାର ବ୍ୟବସ୍ଥା ଥିଲା । ଆଉ ଏକା ମାଡ଼କେ ଇଏ ବି ଶେଷ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)