/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746632016.jpg)
Operation Sindoor Success
ଆଜି ରାତି ପାହିବା ଆଗରୁ, ନିଦରୁ ଉଠିସାରିଥିଲା ସାରା ଭାରତ। ସମସ୍ତଙ୍କ ମୁହଁରେ ଥିଲା ଅପରେସନ୍ ସିନ୍ଦୂରର ଜୟ ଜୟକାର। ସେନାର ପରାକ୍ରମକୁ ନେଇ ଗର୍ବ, ସରକାରଙ୍କ ପଦକ୍ଷେପକୁ ନେଇ ସନ୍ତୁଷ୍ଟି। ସେପଟେ ଗତରାତିର ଅପରେସନକୁ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସର୍ବଦଳୀୟ ବୈଠକ ବସିବାକୁ ଥିବା ବେଳେ, ଆଜି କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଅପରେସନ୍ ସିନ୍ଦୂର ଦେଶ ପାଇଁ ଗର୍ବର ବିଷୟ ।
ଭାରତ ଲଢ଼ିଛି ହକ୍ର ଲଢ଼େଇ। ଆତଙ୍କୀଙ୍କ ମେରୁହାଡ଼ ଭାଙ୍ଗିବାକୁ ନିଜ ଅଧିକାର ମୁତାବକ ନେଇଛି ଆକ୍ସନ୍। ଗତରାତିରେ ଅପରେସନ୍ ସିନ୍ଦୂର ସଫଳ ହେବା ପରେ, ଆଜି ଦେଶର ସୁପ୍ରିମ କମାଣ୍ଡରଙ୍କୁ ଏସଂପର୍କରେ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଇସିନା ହିଲକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସେ ଅପରେସନ୍ ସଫଳ ହୋଇଥିବା ଜଣାଇଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏଁ ଅପରେସନର ଆମୂଳଚୂଳ ସ୍ଥିତି ଉପରେ ନଜର ରଖିଥିଲେ ମୋଦି । ଆଉ ଆଜି ସକାଳୁ ବି ଚଳଚଞ୍ଚଳ ଥିଲା ୭-ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ। ପ୍ରଥମେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୩ ସେନା ମୁଖ୍ୟ ଓ NSA ଅଜିତ ଡୋଭାଲ୍ । ଏହାପରେ ବସିଥିଲା କେନ୍ଦ୍ର କ୍ୟାବିନେଟ ବୈଠକ। କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କୁ ଅପରେସନ ସଫଳତା ନେଇ ସୂଚନା ଦେଇଥିଲେ ପିଏମ ମୋଦି। ସାରା କ୍ୟାବିନେଟ୍ ସେନାକୁ ଭୂୟସୀ ପ୍ରଶଂସା କରିଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ବି ସାରା ଦେଶ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି। ଏପଟେ ଆସନ୍ତାକାଲି ଦିନ ୧୧ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସବୁ ଦଳଙ୍କୁ ଅପରେସନ ସିନ୍ଦୂର ବାବଦରେ ଅବଗତ କରିବେ କେନ୍ଦ୍ର ସରକାର।
ଅଧିକ ପଢ଼ନ୍ତୁ: କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ
ଆତଙ୍କବାଦୀଙ୍କୁ ମଜା ଚଖାଇଥିବା, ସାରା ବିଶ୍ବକୁ ଛାତି ଫୁଲାଇ ଜଣାଇଛି ଭାରତ। ୯ ଆତଙ୍କୀ ଆଡ୍ଡା ଉପରେ ଗତରାତିର ସାମରିକ କାର୍ଯ୍ୟାନୁଷ୍ଠାନ କଥା, ଆମେରିକା, ବ୍ରିଟେନ୍, ରୁଷ, ୟୁଏଇ ଓ ସାଉଦି ଆରବକୁ ଅବଗତ କରିଛି ଭାରତ। କହିଛି କିଭଳି ୨୫ ମିନିଟରେ ନେଇଛି ୨୬ ନିରୀହଙ୍କ ହତ୍ୟାର ବଦଲା। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ NSA ଅଜିତ ଡୋଭାଲ୍ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ବେଳେ, ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟଙ୍କୁ ବି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି । ଏପଟେ ସବୁ ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ପଞ୍ଜାବ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକ୍କିମ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ଏବଂ ଲଦାଖର ଉପରାଜ୍ୟପାଳଙ୍କୁ ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଥିବା ସୂଚନା ମିଳିଛି। ସମସ୍ତ ଅର୍ଦ୍ଧସାମରିକ ବାହିନୀଙ୍କ ଛୁଟି ବାତିଲ କରିବା ସହ ଛୁଟିରେ ଥିବା ଯବାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଶାହ। ଉତ୍ତର ଭାରତର ବହୁ ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ ଘୋଷଣା କରାଯାଇଛି ଏବଂ ଉତ୍ତର ପ୍ରଦେଶରେ ରାଜ୍ୟବ୍ୟାପୀ ରେଡ୍ ଆଲର୍ଟ ଜାରି ହୋଇଛି। ପାକିସ୍ତାନର ଯଦି କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ ନିଏ, ତେବେ ତାର ଜବାବ ଦେବାକୁ ଭାରତୀୟ ସେନା ପୂରା ତୟାର ଅଛି ବୋଲି କୁହାଯାଇଛି।
ଭାରତ ରାତି ଅଧିଆ ରକ୍ତର ହିସାବ ନେବା ପରେ, ରାଗ ତମତମ ପାକିସ୍ତାନ ସେନା। ୨ ସପ୍ତାହ ଧରି ଏଲ୍ଓସିରେ ଜାରି ଥିବା ଅସ୍ତ୍ରବିରତି ଉଲ୍ଲଂଘନ, ଆଜି ବେଲଗାମ୍ ହୋଇଛି । ମାତ୍ରାଧିକ ରକେଟ୍ ଓ ମୋର୍ଟାର୍ ଆଦି ମାଡ଼ ହେବା ଫଳରେ ୧୦ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ, ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ଭାରତ ଆଡ଼ୁ ବି ଏହାର କଡ଼ା ଜବାବ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)