• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପା ! ଉପରକୁ ପଥର ପରି ଶକ୍ତ, ହେଲେ ଭିତରେ ତରଳି ଯାଉଥିବା ମଣିଷ । ମାଗିବା ଆଗରୁ ସବୁ ସୁଖ ଅଜାଡ଼ି ଦିଅନ୍ତି । ଦୁନିଆରେ ସମସ୍ତେ ପୁଅ ପୁଅ ହେଉଥିବା ବେଳେ ବାପା କିନ୍ତୁ ଝିଅକୁ ଭାରି ଆଦର କରନ୍ତି । ବିପଦ ଆପଦରେ ରକ୍ଷକ ରୂପରେ ଛିଡ଼ା ହୁଅନ୍ତି । ଝିଅ ପାଇଁ ସେ ପ୍ରେରଣାର ସ୍ରୋତ । ବାପା ଥିଲେ ଜୀବନଟା କେବେ ବୋଝ ଲାଗେନି । ଆଉ ଯାର ବାପା ନାହିଁ, ତାକୁ ସମସ୍ତେ ଉଣା ଆଖିରେ ଦେଖନ୍ତି । ହେଲେ ଏବେ ଜଣେ ବାପାଙ୍କ ଏପରି କାହାଣୀ ଆସିଛି, ଯାହା ସମସ୍ତଙ୍କୁ ଭାବୁକ କରୁଛି । ଝିଅ ପାଇଁ ସେ ତାଙ୍କ ଜୀବନର ବଡ଼ ତ୍ୟାଗ କରିବା ପାଇଁ ପଛାଇ ନାହାନ୍ତି ।

ଇକ୍ୱାଡୋର ଦେଶରେ ଏପରି ଏକ କାହାଣୀ ସତରେ ଖୁବ ହୃଦୟସ୍ପର୍ଶୀ । ୪୭ ବର୍ଷିୟ ରାମୋସ୍‌ ନାମକ ଜଣେ ବ୍ୟକ୍ତି ନିଜ ଝିଅକୁ ପାଇବା ପାଇଁ ବଡ଼ ବଳିଦାନ ଦେଇଛନ୍ତି । ନିଜ ପରିଚୟକୁ ବି ହରାଇବା ପାଇଁ ସେ ପ୍ରସ୍ତୁତ । ଝିଅର ଅଭିଭାବକ କିଏ ହେବ, ସେଥିପାଇଁ ସ୍ୱାମୀସ୍ତ୍ରୀ’ଙ୍କ ମଧ୍ୟରେ ଆଇନରେ ଲଢ଼େଇ ଚାଲିଛି । ମା’ ପାଖରେ ଝିଅ ଥିବାବେଳେ ରାମୋସ୍‌ ଝିଅକୁ ପାଖରେ ରଖିବା ପାଇଁ ଚାହୁଁଛନ୍ତି । ହେଲେ ଇକ୍ୱେଡୋର ଦେଶରେ ମହିଳାଙ୍କ ପ୍ରତି ଆଇନ୍‌ ବେଶୀ କୋହଳ । ଆଇନ୍‌ର ଦ୍ୱାରସ୍ଥ ହେଲେ ପ୍ରାୟ ସମୟରେ ମହିଳାଙ୍କ ସପକ୍ଷରେ ହିଁ ରାୟ ଯାଏ । ବିବାହ ବିଚ୍ଛେଦ ପରେ ପିଲାର ଦାୟିତ୍ୱ ମା’କୁ ହିଁ ଦିଆଯାଇଥାଏ ।

ଅନେକ ଦିନ ଧରି ଝିଅର କଷ୍ଟୋଡି ପାଇଁ କୋର୍ଟରେ ଲଢ଼େଇ କରିବା ପରେ ଶେଷରେ ବଡ଼ ନିଷ୍ପତ୍ତି ନେଇଥିଲେ ରାମୋସ୍‌ । ଝିଅକୁ ନିଜ ପାଖରେ ତଥା ନିଜ ସାଙ୍ଗରେ ରଖିବା ପାଇଁ ସେ ଏବେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ପାଲଟି ଯାଇଛନ୍ତି । ବର୍ତ୍ତମାନ ସେ ସମସ୍ତ ଆଇନଗତ ପରିଚୟ ଦଲିଲରେ “FEMENINO” ଲେଖୁଛନ୍ତି ।

ରାମୋସ୍‌ କହିଛନ୍ତି, ମୁଁ ଏବେ ଜଣେ ମହିଳା । ଜଣେ ମା’ । ଏବେ ମୋତେ ମୋ ଝିଅ ଠାରୁ କେହି ଅଲଗା ରଖିପାରିବେ ନାହିଁ । ତାଙ୍କ କହିବାନୁସାରେ, ଇକ୍ୱାଡୋର ସମାଜରେ ବାପାଙ୍କୁ ଅଧିକ ମହତ୍ୱ ଦିଆଯାଏ ନାହିଁ । କୌଣସି ବି ପରିସ୍ଥିତିରେ ମା’କୁ ହିଁ ସମର୍ଥନ କରେ ସମାଜ ତଥା କୋର୍ଟ । ହେଲେ ରାମୋସ୍‌ ଲିଙ୍ଗ ପରିବର୍ତ୍ତନ କରିବା ପରେ ମାମଲାର ପୁନର୍ବିଚାର କରାଯିବ । ଏବେ ମାମାଲାର କୌଣସି ସମାଧାନ ନହେବା ଯାଏ ଝିଅ ମା’ ପାଖରେ ହିଁ ରହିବ ।

ଏହି କଷ୍ଟୋଡି ବ୍ୟାଟେଲ୍‌ରେ କିଏ ଜିତିବ ସମୟ କହିବ । ହେଲେ ଜଣେ ବାପା ନିଜ ଝିଅ ପାଇଁ ଏତେ ବଡ଼ ନିଷ୍ପତ୍ତି ନେବା ନିହାତି ଏକ ବରଳ ତଥା ଅତ୍ୟନ୍ତ ବଡ଼ ଘଟଣା । ହୁଏତ ଝିଅ ମା’ ପାଖରେ କିମ୍ବା ବାପାରୁ ମା’ ହୋଇଥିବା ରାମୋସ୍‌ ପାଖରେ ରହିପାରେ, କିନ୍ତୁ ତାଙ୍କର ଏହି ତ୍ୟାଗ ସବୁଦିନ ମନେ ରହିବ ।