• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆବର୍ଷ କାହା ପାଇଁ ଉତ୍ସାହ, ଉଦ୍ଦୀପନା ତଥା ସୁଖସମୃଦ୍ଧି ଆଣିଥିବା ବେଳେ କାହା ଲାଗି କାଳ ସାଜିଛି । ନୂତନ ବର୍ଷର ପ୍ରଥମ ଦିନରେ ନୂଆଦିଲ୍ଲୀରେ ଅଞ୍ଜଳି କାର୍‌ରେ ଘୋଷାଡ଼ି ହୋଇ ପ୍ରାଶ ହରାଇଥିବା ବେଳେ ଦ୍ୱିତୀୟ ଦିନରେ ଗୁଡ଼ଗାଓଁରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦିନ ଜଣେ ୨୦ ବର୍ଷୀୟ ଯୁବକ କାମ ସାରି ଅଫିସ୍‌ରୁ ନିଜ ଘରକୁ ବାହାରିଥିଲେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ବାଇକ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରକ୍‌ ସହ ଧକ୍କା ହେବା ଫଳରେ ବାଇକ୍‌ ଗୁଣ୍ଡ ହୋଇଯିବା ସହ ସମୀର ଘଟଣାସ୍ଥଳରେ ଗୁରୁତର ହୋଇ ବେହୋସ୍‌ ହୋଇଯାଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ନୋଏଡା ପୋଲିସ ଘଣାସ୍ଥଳରେ ପହଞ୍ଚି ସମୀରଙ୍କୁ କୈଲାଶ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସମୀରଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗଙ୍ଗାରାମ ହସ୍ପିଟାଲରେ ସର୍ବପ୍ରଥମେ ସମୀରଙ୍କୁ ଚିକିତ୍ସା କରିଥିବା ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଭୀମ ସିଂ ନନ୍ଦାଙ୍କ ଅନୁଯାୟୀ, ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ସମୀରଙ୍କ ମୁଣ୍ଡ ଏବଂ ଥୋଡ଼ିରେ ଗଭୀର ଆଘାତ ଲାଗିଥିଲା । ମୁହଁର ପ୍ରାୟ ୧୬ ହାଡ଼ ଫାଟି ଯାଇଥିଲା । ମୁହଁର କିଛି ହାଡ଼ ଗୁଣ୍ଡ ହୋଇଯିବା ସହ ଜିଭ ମଧ୍ୟ ଦୁଇ ଖଣ୍ଡ ହୋଇଯାଇଥିଲା ।

ତାଙ୍କ ସ୍ଥିତି ଦେଖି ମଧ୍ୟରାତ୍ରିରେ ହିଁ ଅପରେସନ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ୧୦ ଜଣିଆ ଡାକ୍ତରୀ ଟିମ୍‌ । ପ୍ରଥମେ କୃତ୍ରିମ ଶ୍ୱାସକ୍ରିୟା(Artificial Breathing) ମାଧ୍ୟମରେ ରୋଗୀକୁ ଜୀବନ୍ତ ରଖାଗଲା । ଏହା ପରେ ଜଣେ ଜଣାଶୁଣା ନ୍ୟୁରୋ ସର୍ଜନଙ୍କ ତତ୍ୱାବଧାନରେ ଆରମ୍ଭ ହେଲା ଅପରେସନ୍ ।

ଡାକ୍ତରୀ ବିଜ୍ଞାନର ଚମତ୍କାର ଦେଖାଇଥିଲେ ଡାକ୍ତର । ମୁହଁର କୌଣସି କଟାକଟି ନକରି ସମସ୍ତ ଫ୍ରାକଚରକୁ ଯୋଡ଼ାଯୋଡ଼ି କରାଯାଇଥିଲା । ଏହା ପରେ ଟାଇଟାନିୟମ୍ ପ୍ଲେଟ୍ ଏବଂ ସ୍କ୍ରୁ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଭଙ୍ଗା ହାଡ଼କୁ ଯୋଡ଼ି ସେଟ୍ କରାଯାଇଥିଲେ । ତା’ପରେ ଜିଭରେ, ଉପର ଓଠ, ନାକ ଏବଂ ଆଖିପତାରେ ଲାଗିଥିବା ଆଘାତ ପାଇଁ ଚିକିତ୍ସା କରାଯାଇଥିଲା ।

ଅସ୍ତ୍ରୋପଚାର କରିବା ପାଇଁ ୮ଘଣ୍ଟା ସମୟ ନେଇଥିଲେ ଡାକ୍ତରୀ ଟିମ୍‌ । ଏବେ ସମୀରଙ୍କୁ ନୂଆ ଜୀବନ ମିଳିଛି କହିଲେ ଚଳେ । ଜାନୁଆରୀ ୨ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀ କେବଳ ତରଳ ଖାଦ୍ୟ ଗ୍ରହଣ କରିବାରେ ସକ୍ଷମ ହୋଇଛି । ତଥାପି ତାଙ୍କୁ ହସ୍ପିଟାଲରେ ଆଉ ଏକ ସପ୍ତାହ ରହିବାକୁ ପଡ଼ିବ, ତା’ପରେ ଡାଙ୍କୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ମୁଖ୍ୟ ସର୍ଜନ ।