Advertisment

କାହିଁକି ପାଳନ ହୁଏ ‘ଛେର୍‌ଛେରା’, କ’ଣ ଏହାର ଅର୍ଥ

ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍‌ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍‌ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ…

author-image
Pramod Behera
Western Odisha Ganaparba Puspuni

Western Odisha Ganaparba Puspuni

କୃଷି ଓ ପୁଷ୍‌ପୁନି ପର୍ବ:

ପୌଷ ପୂର୍ଣ୍ଣିମାକୁ ପୁଷ୍‌ପୁନି କୁହାଯାଏ। ଏହାର ଅନ୍ୟ ନାମ ‘ଛେର୍‌ଛେରା’ ପର୍ବ। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ। ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କର ପ୍ରଧାନ ଜୀବିକା କୃଷି ହୋଇଥିବାରୁ ଏହି ପର୍ବଟି କୃଷି ସହିତ ସମ୍ବନ୍ଧିତ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍‌ରେ ଏହି ପର୍ବ ପାଳନ କରାଯାଏ।

Advertisment

ନୂଆଖାଇରେ ଯେଉଁ ନୂଆ ଧାନର ପୂଜା କରାଯାଇଥାଏ, ପୁଷ୍‌ପୁନି ପର୍ବରେ ତାହା ସଂପୂର୍ଣ୍ଣ କରାଯାଏ। କାରଣ ପୌଷ ମାସ ସମଗ୍ର ଓଡ଼ିଶାରେ ଧାନ ଅମଳ ପାଇଁ ପ୍ରକୃଷ୍ଟ ସମୟ। ଏହି ସମୟରେ ଗ୍ରାମବାସୀମାନେ ଧାନକଟା, ଧାନ ବେଙ୍ଗଳା କାର୍ଯ୍ୟରେ ବ୍ୟସ୍ତ ରହିଥାଆନ୍ତି। ଧାନଖଳାରେ ପାଚିଲା ଧାନ ସାଙ୍ଗକୁ କ୍ଷେତବାଡ଼ିରେ ସଜ୍ଜିତ ହୋଇ ରହିଥିବା ରବିଫସଲ ପ୍ରତ୍ୟେକଙ୍କ ମନରେ ସରସତା ଭରି ଦେଇଥାଏ। ଯାହାର ପ୍ରତିଫଳନ ‘ପୁଷ୍‌ପୁନି’ ପର୍ବର ଆନନ୍ଦ ଉଲ୍ଲାସ ଭିତରେ ଦେଖିବାକୁ ମିଳେ।

Western Odisha Ganaparba Puspuniପୁଷ୍‌ପୁନି ଅବସରରେ ନାଚଗୀତ

ଫସଲ ପରେ ଏହି ପର୍ବ ପାଳନ କରାଯାଉଥିବାରୁ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି କରାଯାଏ। ପିଠା ସହିତ ଆମିଷ ରୋଷେଇ କରି ମଧ୍ୟ ଗାଁସାରା ବଣ୍ଟାଯାଏ। ଭୋଜନ ପରେ ଗାଁ ଦାଣ୍ଡରେ କୁସ୍ତି, କସରତ ସାଙ୍ଗକୁ ବିଭିନ୍ନ ପ୍ରକାର କ୍ରୀଡ଼ାର ଆୟୋଜନ କରାଯାଏ। ଏହା ଏକ କୃଷି ସମ୍ବଳିତ ସାମାଜିକ ପର୍ବ ହୋଇଥିବାରୁ କୃଷକ ଓ ଶ୍ରମିକମାନଙ୍କ ମଧ୍ୟରେ ଏହି ସମୟରେ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷରିତ କରାଯାଏ। ଅର୍ଥାତ୍ କୃଷକ ପୁଷ୍‌ପୁନି ପର୍ଯ୍ୟନ୍ତ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥାଏ। ଯଦି ଚାହିଁବ ପୁଣି ଏହି ଦିନ ଆଗାମୀ ବର୍ଷ ନିମିତ୍ତ ମଧ୍ୟ କାର୍ଯ୍ୟ କରିବାକୁ ଚୁକ୍ତି ସ୍ୱାକ୍ଷର କରେ।

Advertisment

ଛେର୍‌ଛେରା ମଗା:

ଏହି ପର୍ବର ଅନ୍ୟତମ ଆକର୍ଷଣୀୟ ବିଭବ ହେଉଛି ‘ଛେର୍‌ଛେରା ମଗା’। ଗୀତ, ନାଚ ସହିତ ଏହା ସଂଶ୍ଳିଷ୍ଟ। ପୌଷ ପୂର୍ଣ୍ଣିମାର ପାଞ୍ଚ-ସାତ ଦିନ ପୂର୍ବରୁ ଗାଁର କିଶୋରମାନେ ହାତରେ ଖଣ୍ଡେ ଖଣ୍ଡେ ବାଡ଼ି ଧରି ଦୁଆର ଦୁଆର ବୁଲି ଗୀତ ଗାଆନ୍ତି। ସମତାଳରେ ଭୂଇଁ ଉପରେ ବାଡ଼ି ବଜାଇ ଠକ୍‌ଠକ୍ କରନ୍ତି। ଗୀତରେ ‘ଛେର୍‌ଛେରା’ ଶବ୍ଦ ବାରମ୍ବାର ଉଚ୍ଚାରଣ କରୁଥାଆନ୍ତି। ଗୀତଟିକୁ ଆମେ ଲୋକଗୀତର ଏକ ଚମତ୍କାର ଉଦାହରଣ ଭାବେ ଗ୍ରହଣ କରିପାରିବା। ଗୀତଟି ହେଉଛି –

Western Odisha Ganaparba Puspuniଗାଁର କିଶୋରମାନେ ଘର ଘର ବୁଲି ଶସ୍ୟ ଆଦାୟର ଦୃଶ୍ୟ

“ଛେର୍ ବୁଢ଼ୀ ଛେର୍ ଛେରା

ଘରର ବୁଢ଼ୀ କାହିଁଗଲା

ଦେମି ଦେମି ବଲୁଛେ

ହାଏଡ ଖୁଡ୍ ଖୁଡ୍ କରୁଛେ

ପେଚା ମାଂକଡ୍ ବଇଛେ

ପାଏନ୍ ଖୁଲ୍‌ଖୁଲ୍ ଯାଉଛେ

ଦେମି ଦେମି ବଲ୍‌ସନ୍

ପିଠାପନା ଆନ୍‌ସନ୍

ଛେର୍ ବୁଢ଼ୀ ଛେର୍ ଛେରା

ଘର ବୁଢ଼ୀ କାହିଁଗଲା

କୁଡ଼ା ପିଠା ଖାଇ ଛେରେଇ ହେଲା

ଛେର୍ ଛେର୍ ଛେରା।”

ଗୀତର ଭାବାର୍ଥ:

ନୂଆ ଚାଉଳରେ ନୂଆ କୁଣ୍ଡାମିଶା ପିଠା ଲୋଭ କରି କେଉଁ ଘରର କେଉଁ ଏକ ବୁଢ଼ୀ କେବେ ଖାଇ ବିଚିତ୍ର ଭାବେ ଅତିସାର ରୋଗାକ୍ରାନ୍ତ ହୋଇପଡ଼ିଥିଲା। ଯୁଗଯୁଗ ଧରି ଏହି ଗୀତ ପଶ୍ଚିମାଞ୍ଚଳରେ ଏତେ ପରିଚିତ ଯେ ପୁଷ୍‌ପୁନି ପର୍ବର ଅପର ନାମ ଛେର୍‌ଛେରା ହୋଇଯାଇଛି।

‘ଛେର୍‌ଛେରା’ ଶବ୍ଦର ନାମକରଣର ଶାବ୍ଦିକ ମୂଲ୍ୟ:

ଛେର୍‌ଛେରା ପର୍ବ ହର୍ଷଉଲ୍ଲାସର ପର୍ବ ଭାବେ ସୁବିଖ୍ୟାତ। ‘ଛେର୍’ ଓ ‘ଛେରା’ ଦୁଇଟି ଦେଶଜ ଶବ୍ଦ ସହିତ ପର୍ବର ନାମକରଣ ସଂଶ୍ଳିଷ୍ଟ। ଏହାର ଅର୍ଥ ହେଉଛି ‘ତରଳ ମଳ ତ୍ୟାଗ’। ଏହି ଅର୍ଥରେ ‘ଛେର୍’ ବା ‘ଛେରିବା’ ଧାତୁର ପ୍ରୟୋଗ କରାଯାଇଛି। ଏହି ପ୍ରୟୋଗ ଏକ ଧ୍ୱନ୍ୟାନୁକୃତିମୂଳକ ପ୍ରୟୋଗ ଏବଂ ‘ଛେରା’ ଏକ କ୍ରିୟାବାଚକ ବିଶେଷ୍ୟ। ଏହାର ଲାକ୍ଷଣିକ ଅର୍ଥ ହୋଇପାରେ ଭୟରେ କାତର ହୋଇ ମଳତ୍ୟାଗ କରିବା।

ସମ୍ବଲପୁରୀ ଭାଷାରେ ମଧ୍ୟ ଏହାର ଲାକ୍ଷଣିକ ବ୍ୟବହାର ଦେଖାଯାଏ।

“କାହିଁ ଯିବ? ଜନ୍‌କେ ଦସ୍ ଦସ୍ ଟଁକା ଛେରବ୍ ଯେ।”

(ଜଣକେ ଦଶ ଦଶ ଟଙ୍କା କରି ଛେରିବ ଯେ।)

ଏଠାରେ ‘ଛେରିବା’ର ଅର୍ଥ ଦଣ୍ଡ ଭୟରେ ବା ବିଶେଷ ଚାପ ଫଳରେ ବାଧ୍ୟହୋଇ ଦେବା। ଦୁଆର ଦୁଆର ବୁଲି ଯେଉଁମାନେ ଛେର୍‌ଛେରା ମାଗନ୍ତି ସେମାନେ ତ ବାଧ୍ୟତାମୂଳକ ଭାବେ ଏହା କରନ୍ତି ନାହିଁ। ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ସଂସ୍କୃତ ‘ଚର୍ଚ୍ଚରୀ’ ଶବ୍ଦ ସହିତ ଏହାର ସାମଞ୍ଜସ୍ୟ ଥିବା କଥା କହିଛନ୍ତି। ଚନ୍ଦ୍ର ଉଦ୍‌ଗାତା କହୁଛନ୍ତି ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଏବଂ ଅଭିମନ୍ୟୁ ପ୍ରମୁଖ ପ୍ରାଚୀନ କବିମାନେ ମଧ୍ୟ ବସନ୍ତ ବର୍ଣ୍ଣନା ଅବକାଶରେ ଉତ୍ସବମୁଖର ‘ଚର୍ଚ୍ଚରୀ’ ବା ‘ଚର୍ଚ୍ଚରୀ ବିହାର’ କଥା ଉଲ୍ଲେଖ କରିଛନ୍ତି।

Western Odisha Ganaparba Puspuniପର୍ବ ପାଳନ ନେଇ ଗାଁର ମହିଳାମାନେ ପିଠାପଣା ତିଆରିରେ ବ୍ୟସ୍ତ

କଟକର ସାହିଗୁଡିକରେ ମଧ୍ୟ ଫାଲ୍‌ଗୁନ ମାସରେ ବାଜାବଜାଇ ଗୀତ ଗାଇ ନାଚିନାଚି ଚାଚେରୀ ବୁଲିବାର ଦେଖାଯାଏ। ତେଣୁ ଚାଚେରୀ - ଚର୍ଚ୍ଚରୀ – ଛେର୍‌ଛେରା ଶବ୍ଦ ସହିତ ଗାଁ-ସହର ବୁଲିବାର ସମ୍ବନ୍ଧ ଜଡ଼ିତ ହୋଇଥିବାରୁ ଏହି ଚର୍ଚ୍ଚରୀ ଶବ୍ଦ ଲୋକଭାଷାରେ ଛେର୍‌ଛେରା ଭାବରେ ପରିବର୍ତ୍ତିତ ହୋଇ ବ୍ୟବହୃତ ହେଉଛି।

ଆମ ପର୍ବପର୍ବାଣୀ ସହିତ ସଂସ୍କୃତି ଓ ଭାଷା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଓଡ଼ିଶୀ ପରଂପରାର ଏହା ତିନୋଟି ଧାରା (କୃଷି, ସଂସ୍କୃତି ଏବଂ ଭାଷା) । ପୁଷ୍‌ପୁନି (ଛେର୍‌ଛେରା) ପଶ୍ଚିମ ଓଡ଼ିଶାର ଜୀବନଧାରା ସହ ସଂଶ୍ଳିଷ୍ଟ ହୋଇ ଏକ ବୃହତ୍ତର ସାର୍ବଜନୀନ ସଂସ୍କୃତିର ବାର୍ତ୍ତାବହ ହୋଇପାରିଛି।

ଡ. ବିଜୟଲକ୍ଷ୍ମୀ ଦାଶ

(ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ)

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Pushpunui
Advertisment
Advertisment