• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍ୱାସ୍ଥ୍ୟଗତ ସମସ୍ୟା ହେଉ ଅଥବା ପୂଜା-ପାର୍ବଣ ହେଉ । ପ୍ରତିଟି କ୍ଷେତ୍ରରେ ଆମେ ଆବଶ୍ୟକତା କରିଥାଉ ମହୁ । ତେବେ ଏହି ମହୁ କିପରି ତିଆରି କରାଯାଇଥାଏ? କେଉଁମାନେ ତିଆରି କରିଥାନ୍ତି ଜାଣିଛନ୍ତି କି? ପୁରୀର ପଟ୍ଟନାୟିକା ଛକରେ ଯେମିତି ଭାବରେ ମହୁ ତିଆରି ହେଉଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

କାଠକୁ କାଠ ସହିତ ଯୋଡ଼ିବାର ବ୍ୟସ୍ତ ଥିଲେ ମହିଳା । ଗୋଟିଏ କି ଦୁଇଟି ନୁହେଁ ଶତାଧିକ କାଠ ଖଣ୍ଡକୁ କଂଟା ସାହାଯ୍ୟରେ ଯୋଡ଼ି ବାକ୍ସ ତିଆରି କରିବାରେ ଲାଗି ପଡ଼ନ୍ତି ମହିଳାମାନେ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ହରିଶଙ୍କରପୁର ଗ୍ରାମର ସୁମିତ୍ରା ମହାରଣାଙ୍କ ମହୁ ଚାଷକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା । ମହୁଚାଷରେ ତାଙ୍କୁ ସାହାଯ୍ୟ କରନ୍ତି ସ୍ୱାମୀ ଦାମ ମହାରଣା । ପରିବାରର କାମରୁ ଫୁରୁସତ ମିଳିଲେ ସ୍ୱାମୀ-ସ୍ତ୍ରୀ ଦୁହେଁ ଲାଗି ପଡ଼ିଥାନ୍ତି ମହୁ ଚାଷ କାମରେ । ବାକ୍ସ ତିଆରି କରିବାଠୁ ଆରମ୍ଭ କରି ମହୁ ଚାଷ ପର୍ଯ୍ୟନ୍ତ ସବୁ ନିଜେ ନିଜେ କରିଥାନ୍ତି । ଆଉ ଚାଷରୁ ସେମାନେ ଭଲ ଦୁଇ ପଇସା ବି ରୋଜଗାର କରିପାରୁଥିବା କୁହନ୍ତି ।

ଅଧିକ ପଢ଼ନ୍ତୁ: ମାଲାମାଲ୍‌ କଲା ଜୈବିକ ସାର, ୧ କୋଟିରୁ ଅଧିକ ଟଙ୍କା ରୋଜଗାର

ଗୋଟିଏ ମହୁ ବାକ୍ସ ମଧ୍ୟରେ ରାଣୀ ମାଛି ରହିବା ସହିତ ଦଳରେ ପାଂଚରୁ ଦଶ ହଜାର ମାଛି ରହିଥାନ୍ତି । ପ୍ରଥମେ ବଟମ୍ ବୋର୍ଡ଼, ତାହା ପରେ ବ୍ରୁଡ଼ ଚାମ୍ବର ଆଉ ଏହା ପରେ ସୁପର... ତା’ପରେ ଇନରକଭର ରହେ । ଶେଷରେ ଟପ୍ ନିର୍ମାଣ କରାଯିବା ପରେ ଏହା ମହୁ ବାକ୍ସରେ ପରିଣତ ହୋଇଥାଏ । ପ୍ରଥମେ ମାଛି ରଖିବା ପାଇଁ ୧୬ ଗୋଟି ଫ୍ରେମ ରହେ । ୮ ଗୋଟି ବ୍ରୁଡ଼ ଫ୍ରେମ୍ ଏବଂ ୮ ଗୋଟି ସୁପର ଫ୍ରେମ ତଳେ ୮ ଟି ବ୍ରୁଡ଼ ରହିବ । ଯେଉଁଥିରେ ମହୁମାଛି ରହିବେ । ଜାନୁଆରୀ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ମହୁ ସଂଗ୍ରହ କରାଯାଇଥାଏ ।

ତେବେ ମହୁଚାଷରେ ସୁମିତ୍ରାକୁ ସହଯୋଗର ହାତ ବଢାଇଛି ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର । ମହୁ ବାକ୍ସ ତିଆରି କରିବା ପାଇଁ କୃଷି ବିଜ୍ଞାନ ପକ୍ଷରୁ ସାଇଣ୍ଡର ଡ଼୍ରିଲ ମେସିନ, ରନ୍ଧା ମେସିନ୍‌ ଆଦି ତାଙ୍କୁ ଯୋଗାଇ ଦିଆଯାଉଛି । ବାକ୍ସର ଦାମ୍ ଅଢେଇ ହଜାର ଟଙ୍କା, ସ୍ମକର ୩୫୦ ଟଙ୍କା, ଷ୍ଟାଟର ୨୦୦୦ ଟଙ୍କା, ଭିଭେଲ ୨୫୦ ଟଙ୍କା, କୁଝନ ଗେଟ ୨୦ଟଙ୍କା, ଷ୍ଟାଣ୍ଡ ୭୦୦ ଟଙ୍କା, ମହୁମାଛି ଦଳ ଲାଗି ମୋଟ୍‌ ୧୨୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ କୃଷି ବିଜ୍ଞାନ ପକ୍ଷରୁ ମହିଳା ଚାଷୀମାନଙ୍କ ପାଇଁ ବିଶେଷ ସହାୟତା ରହିଥିବା କହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ । ତେବେ ମହୁଚାଷ କରି ସ୍ୱାବଲମ୍ବୀ ହେବା ପରେ ସୁମିତ୍ରାଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

(ପିପିଲିରୁ ଦ୍ୱିତୀକୃଷ୍ଣଙ୍କ ରିପୋର୍ଟ)