Advertisment

ସୁନାର ଫସଲ ଦେଉଥିବା ଜମି ପାଲଟିଛି କାଶତଣ୍ଡି ବଣ; ଚିନ୍ତାରେ ଚାଷୀ

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

author-image
Pramod Behera
ଅଦ୍ୟତନ ହୋଇଛି
After 10 years of Phailin, hundreds of farmers are still in pain

After 10 years of Phailin, hundreds of farmers are still in pain

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

Advertisment

ଅକ୍ଟୋବର ୧୨, ୨୦୧୩ ମସିହା। ଓଡିଶା ଗୋପାଳପୁରରେ ସ୍ଥଳ ଭାଗ ଛୁଇଁ ଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ଏହାର ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତି ସହିଥିଲା ଗଞ୍ଜାମ ଜିଲ୍ଲା। ଏଥାରେ ଥିବା ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ପଞ୍ଚାୟତର ରତଙ୍ଗ, ମନ୍ଦାର, ସାରିଆପଲ୍ଲୀ, ଉସ୍ତପଲ୍ଲୀ ଭଳି ସାତଖଣ୍ଡ ଗାଁ ଏକ ମାସରୁ ଅଧିକ ଦିନ ଧରି ପୂରା ଜଳବନ୍ଦୀ ରହିଥିଲା। ଶହ ଶହ ଏକର ଚାଷ ଜମିରେ ମାଡିଯାଇଥିଲା ପାଣି। ଫସଲ ଉଜୁଡି ଗଲା। ଚାଷୀ ଜୀବିକା ହରାଇଲେ।

ସେତେବେଳେ ସରକାର ଏହି ପଞ୍ଚାୟତକୁ ପୋଷ୍ୟ ଭାବେ ଗ୍ରହଣ କଲେ ଆଉ ପ୍ରତି ଚାଷୀଙ୍କ ପିଛା ୧,୯୦୦ ଟଙ୍କା କ୍ଷତି ପୂରଣ ଦେଇ କାମ ସାରିଦେଲେ। ବାତ୍ୟା ଚାଲିଗଲା, ଜମିରୁ ପାଣି ଛାଡିଗଲା, ହେଲେ ଚାଷ ଜମିରେ ରହିଗଲା ୫ ଫୁଟର ଉଚ୍ଚର ନଦୀ ବାଲି। ଏହାରି ଭିତରେ ୧୦ ବର୍ଷ ବିତିଗଲାଣି ହେଲେ ପ୍ରଶାସନ ଜମିରୁ ବାଲି ବାହାର କରିପାରିଲା ନାହିଁ। ଫଳରେ ଶହ ଶହ ଏକର ଚାଷ ଜମି କାଶଦଣ୍ଡି ବଣ ପାଲଟିଛି। ଶତାଧିକ ଚାଷୀ ଜୀବିକା ହରାଇଛନ୍ତି। ବାଧ୍ୟ ହୋଇ ପରିବାର ପୋଷିବା ନେଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଗ୍ରାମବାସୀ କୁହନ୍ତି।

Advertisment

ଖାଲି କାଶତଣ୍ଡି ବଣ ନୁହେଁ ଜମିରେ ଯେଉଁଠି ହାତ ମାରିଦେଲେ ମାଟି ନୁହେଁ, ବାହାରୁଛି ବାଲି। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ଜମିଗୁଡିକ ବାଲିଚର ହୋଇ ପଡିଛି। ଚାଷୀମାନେ ସମସ୍ୟା ସମ୍ପର୍କରେ ବାରମ୍ବାର ତହସିଲଦାର, ଉପଜିଲ୍ଲାପାଳ,ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ବି ପ୍ରଶାସନ ଶୁଣୁ ନାହିଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ।

ପ୍ରଶାସନ ତ ଶୁଣୁ ନାହିଁ ଚାଷୀ ଭାଇମାନେ ଯଦି ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଜମିରୁ ବାଲି ବାହାର କରିବା ବ୍ୟବସ୍ଥା କରୁଛନ୍ତି ପ୍ରଶାସନ ସେମାନଙ୍କୁ ନାଲି ଆଖି ଦେଖଉଛି ଆଉ ଫାଇନ ବି କଷୁଛି। ଫଳରେ ଚାଷୀ ଏବେ ନିରୁପାୟ ଆଉ ମୁଣ୍ଡରେ ହାତ ଦେଇ ଚାଷ ଜମିକୁ ଚାହିଁ ଝୁରୁଛି। କେହି କେହି ଚାଷୀ ଚେଷ୍ଟା କରି ଫସଲ ଆରମ୍ଭ କରିଛନ୍ତି ସତ କିନ୍ତୁ ଅମଳ ଉପରେ ଭରସା ନାହିଁ ବୋଲି କୁହନ୍ତି।

ଚାଷୀଙ୍କର ବାରମ୍ଭାର ଗୁହାରୀ ସତ୍ୱେ ଏଯାଏ ଉଦ୍ଧାର ହୋଇପାରିନି ଚାଷ ଜମି। ତଥାପି ପ୍ରଶାସନ ଉପରୁ ସେମାନଙ୍କ ଆଶା ତୁଟି ନାହିଁ। ତେବେ ପ୍ରଶାସନ କେବେ ଏହି ଚାଷ ଜମି ଉପରେ ନଜର ପକେଇବ ତାହାକୁ ଅନେଇ ବସିଛନ୍ତି ଚାଷୀ।

(ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ)

Odisha Farmer Farmer Plight
Advertisment
Advertisment