ଏଇମାସ ଶେଷ ସୁଦ୍ଧା ୨୦ ଲକ୍ଷ, ଆଉ ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସ୍ପଷ୍ଟ କରିବା ସହ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନ ଉପରେ ବି ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ଖାରଜ ସବୁ ଆବେଦନର ପୁଣି ରିଚେକ୍ କରାଯିବ, କିଏ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ଜଣାପଡ଼ିବା ପରେ ଆବଶ୍ୟକ ସ୍ଥଳେ ଯୋଜନାରେ ସାମିଲ କରାଯିବ ।
Also Read
ଗଞ୍ଜାମ ଜିଲ୍ଲା ଖଲିକୋଟ୍ କଦଳୀବସନ୍ତ ଗାଁର ବନି ନାହକଙ୍କ ପରି ଆପଣଙ୍କର ବି ଖାରଜ ହୋଇଯାଇଛି କି ସୁଭଦ୍ରା ଆବେଦନ ? ବନିଙ୍କ କହିବା କଥା ପରିବାରର ୫ ଏକର ଜମି ପାଇଁ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ହେଲେ ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର । ଆପଣଙ୍କ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି । ପୁଣି ଥରେ ଯାଞ୍ଚ ହେବ ଖାରଜ ୨ ଲକ୍ଷ ୬୭ ହଜାର ଆବେଦନ । ଯେଉଁଥିରେ ସବୁଠୁ ଅଧିକ ରହିଛି ଜମି ବା ଭୂସଂପତ୍ତି ଆଧାରରେ ଖାରଜ ହୋଇଥିବା ଆବେଦନ ସଂଖ୍ୟା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଏସବୁ ଖାରଜ ଆବେଦନର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ପରେ ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଏଥିସହ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଏ କମିଟି ଖାରଜର ଆଧାର ଓ କାରଣକୁ ଆଉ ଥରେ ବିଚାର କରିବେ। ଜମି ଆଧାରରେ ଅଧିକ ଆବେଦନ ଖାରଜ ହୋଇଥିବାରୁ ସେଗୁଡ଼ିକୁ ଆଉଥରେ ଯାଞ୍ଚ ପାଇଁ ଆରଆଇଙ୍କ ଜରିଆରେ ତହସିଲଦାର ଦେବେ ଭୂସଂପତ୍ତି ରିପୋର୍ଟ । ସେହିପରି ବ୍ୟାଙ୍କ ଲିଙ୍କେଜ୍ ନ ହେବା କାରଣରୁ କଟିଥିଲେ, ବ୍ୟାଙ୍କ ଏଥିପାଇଁ ସ୍ପଷ୍ଟୀକରଣ ଦେବ। ଏହାସହ ଅଙ୍ଗନୱାଡ଼ି କର୍ମୀ ଓ ଏମ ବି କେ ଚାକିରିକୁ ସରକାରୀ ଚାକିରି ଦର୍ଶାଇ ଖାରଜ ହୋଇଥିବା ଆବେଦନର ବି ପୁନଃ ବିଚାର ହେବ ।
ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ ୨ ହଜାର ଆବେଦନ ହୋଇଥିଲା ବେଳେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଲାଣି । ଏଇ ମାସ ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଏବଂ ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ ମୋଟ୍ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଡ଼ କଥା ହେଲା ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ । ହେଲେ ଏବେବି ଯୋଜନା ଆରମ୍ଭରୁ ଆବେଦନ କରି ଦୁଇଟି ଯାକ ପର୍ଯ୍ୟାୟରେ ସାମିଲ ହୋଇ ନଥିବାରୁ ତୃତୀୟ ପର୍ଯ୍ୟାୟକୁ ନେଇ ଆଶା ଆଶଙ୍କାରେ ଅନେକ ଆବେଦନକାରୀ ।
ଖାରଜ ହୋଇଥିବା ଆବେଦନର ପୁନଃ ଯାଞ୍ଚ ପାଇଁ ସରକାର କରିଥିବା ବ୍ୟବସ୍ଥା କେତେ ସଫଳ ହେଉଛି, ଏବଂ ବାଦ୍ ୨ ଲକ୍ଷ ୬୭ ହଜାର ଆବେଦନାକରୀଙ୍କ ଭିତରୁ କେତେ ଜଣ ଯୋଜନାରେ ସାମିଲ ହୋଇ ପାରୁଛନ୍ତି ଏବେ ତା ଉପରେ ନଜର ।
- Reported by:
- SOUMYA RANJAN SAHOO , Ajit Das , Silu Biswal