Advertisment

ଆମ୍ବ ଟାକୁଆଜନିତ ମୃତ୍ୟୁର ତନାଘନା; ସବୁରି ମୂଳରେ ସଚେତନତାର ଅଭାବ !

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।

author-image
Sonali Ojha
undefined

Mango Kernel

କନ୍ଧମାଳରେ ୨ ଜଣଙ୍କ ଆମ୍ବ ଟାକୁଆଜନିତ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା। ପ୍ରାଥମିକ ତଦନ୍ତରୁ ଏହା ଫୁଡ୍ ପଏଜନିଂ ବା ଖାଦ୍ୟ ବିଷାକ୍ତ ଯୋଗୁଁ ହୋଇଥିବା କୁହାଯାଉଛି। ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ବଣପାହାଡ଼ର ମଣିଷଙ୍କ ଖାଦ୍ୟାଭ୍ୟାସ କାହିଁକି ସୁଧୁରୁନି? ଉଭୟ ସରକାରୀ ଓ ଘରୋଇ ସ୍ତରରେ ବହୁ ସଂସ୍ଥା ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଥିଲେ ବି କାହିଁକି ସଚେତନତାର ଅଭାବ ରହୁଛି? କେଉଁଠି ରହୁଠି ଅସୁବିଧା?

Advertisment

ଯେଉଁ ଦ୍ରବ୍ୟ ଆଦିବାସୀଙ୍କ ଖାଦ୍ୟ ଥାଳିର ଆକର୍ଷଣ, ତାହା କାହିଁକି ପାଲଟିଯାଉଛି ଜହର? ପୁରୁଷ ପୁରୁଷ ଧରି ଯେଉଁ ଅଣଚାଷ ଖାଦ୍ୟ ଖାଇ ବଞ୍ଚୁଛନ୍ତି ବଣମୂଲକର ମଣିଷ, ତାହା କେମିତି ସାଜୁଛି ଘାତକ ? ସଲପ ହେଉ ବା ଆମ୍ବଟାକୁଆ ଜାଉ, ଜଙ୍ଗଲି ଜନ୍ଦା ହେଉ ଅବା ଶୁଖା ମାଂସ। ଜୀବନ ନେଇଛି, ଉଜାଡ଼ିଛି ଘର ପରିବାର। ଏଇ ଯେମିତି କନ୍ଧମାଳ ଗଦାପୁର ମାଣ୍ଡିପଙ୍ଗାରେ ଆମ୍ବୁଟାକୁଆ ଜାଉରେ ୨ ଜଣଙ୍କ ମୃତ୍ୟୁ। ଯେଉଁ ଅପବାଦ ପରେ ଏବେ ବିତର୍କର କାଠଗଡ଼ାରେ ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ। ତଥାପି ଛାଡ଼ିପାରୁନାହାଁନ୍ତି ଅଖାଦ୍ୟ ଅଭ୍ୟାସକୁ। ଆଜି ବି ମାଣ୍ଡିପଙ୍ଗାରେ ଘରେ ଘରେ ଗଛିତ ଅଛି ଆମ୍ବଟାକୁଆ ଜାଉ। କହିଛନ୍ତି,ଏମିତି ଜାଉ କରି ଖାଇବା ସେମାନଙ୍କର ଅଭ୍ୟାସ।

ଜଙ୍ଗଲରୁ କେବେ ଆମ୍ବ ଟାକୁଆ ଆଣି ତ ଆଉ କେବେ ଜଙ୍ଗଲୀ ଜନ୍ଦା, କରଡ଼ି, ଛତୁ ଓ ଶାଗ ସଂଗ୍ରହ କରି ଖାଦ୍ୟ ପ୍ରସ୍ତୁତ କରିବା ସହ ଦୀର୍ଘଦିନ ଧରି ସାଇତି ରଖନ୍ତି। ଯେବେ ଘରେ ଚାଉଳ କିମ୍ୱା ଅନ୍ୟ ଖାଦ୍ୟ ସାମଗ୍ରୀ ସରିଯାଏ, ସେହି ସମୟରେ ଭୋକ ମେଣ୍ଟାଏ ଏସବୁ ଖାଦ୍ୟ। କେବଳ ଗଜପତି ନୁହେଁ, କନ୍ଧମାଳରୁ କୋରାପୁଟ, ରାୟଗଡ଼ାରୁ ନବରଙ୍ଗପୁର। ଆଦିବାସୀ ବହୁଳ ଏସବୁ ଜିଲ୍ଲାର ଉପାନ୍ତ ଇଲାକାରେ ଏଭଳି ଅଣଚାଷ ଖାଦ୍ୟ ପାଲଟିଛି ସାହା ଭରସା। ଆମ୍ବଟାକୁଆକୁ ଶୁଖାଇ ଏହାକୁ କିଏ ପିଠା କରିଖାଆନ୍ତି ତ ଆଉ କିଏ ଜାଉ କରି ବି ପିଅନ୍ତି।

Advertisment

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ। ଉପାନ୍ତର ଜନଜାତିଙ୍କ ଚାଲିଚଳନ ଓ ଖାଦ୍ୟପେୟର ଅଭ୍ୟାସରେ ସୁଧାର ପାଇଁ ୧୯୮୬ରୁ କାର୍ଯ୍ୟ କରୁଛି ସରକାରଙ୍କ ସ୍ବତନ୍ତ୍ର ବିଭାଗ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା-DKDA। ଏପରିକି କୁଟିଆ କନ୍ଧ ଉନ୍ନୟନ ପରିଷଦ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଲାଇଭଲିହୁଡ୍ ମିଶନ ଭଳି ଅନେକ ପ୍ରକଳ୍ପ ଜାରି ରହିଛି।

ତେବେ କେଉଁଠି ରହୁଛି ଭୁଲ୍ ? ବାରମ୍ବାର ଅଘଟଣ ପରେ ବି ଖାଦ୍ୟ ନିରାପତ୍ତା କ୍ଷେତ୍ରରେ କାହିଁକି ସୃଷ୍ଟି କରାଯାଉନି ସଚେତନତା ? ସରକାର ଓ NGOଗୁଡ଼ିକର ରହୁଛି କି ଆନ୍ତରିକତାର ଅଭାବ ? ଏସବୁ ଭିତରେ ମାଣ୍ଡିପଙ୍ଗା ଆମ୍ବଟାକୁଆ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଫୁଡ୍ ପଏଜନିଂ ଏବଂ ଏହାର ରିପୋର୍ଟ ୭୨ ଘଣ୍ଟା ଭିତରେ ଆସିବ ବୋଲି କୁହାଯାଇଛି। ତେଣେ MKCGରେ ୬ ଜଣଙ୍କ ଚିକିତ୍ସା ଚାଲିଥିବା କହିଛି ସ୍ବାସ୍ଥ୍ୟ ବିଭାଗ।

Tribal Women
Advertisment
Advertisment