/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721792448.jpg)
Banakalagi ritual
ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି। ଏହି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।
ବନକଲାଗି କଣ ?
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ । ଆଉ ଦୈନନ୍ଦିନ ନୀତିକାନ୍ତି ବି ଅନେକ । କିନ୍ତୁ ବନକଲାଗି ନୀତି ହେଉଛି ସାପ୍ତାହିକ ନୀତି । ଅର୍ଥାତ୍ ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ସାଧାରଣ ଭକ୍ତଟିଏ ବୁଝିବା ପାଇଁ ବନକଲାଗିର ଅର୍ଥ ହେଉଛି ମୁଖ ଶୃଙ୍ଗାର ବା ମୁଖ ସଜ୍ଜା । ରତ୍ନ ସିଂହାସନ ଉପରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କର ମୁଖର ଦୀପ୍ତି ବଢ଼ାଇବା ପାଇଁ ହୋଇଥାଏ ଏହି ବନକଲାଗି ନୀତି । ବନକଲାଗି ନୀତିରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥିପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ । ପ୍ରାକୃତିକ ରଙ୍ଗରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯାଇ ଥାଏ ।
ବନକଲାଗି ପାଇଁ ବ୍ୟବହୃତ ସାମଗ୍ରୀ ଭିତରେ ରହିଥାଏ ହିଙ୍ଗୁଳା ଓ ହରିତାଳ । ସାଧାରଣତଃ ହିଙ୍ଗୁଳା ହେଉଛି ହଳଦିଆ ରଙ୍ଗ ଆଉ ହରିତାଳ ହେଉଛି ଲାଲ ରଂଗ । ଏହା ଅତ୍ୟନ୍ତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଇଥାଏ । ତିନି ଠାକୁରଙ୍କ ମୁଖର ରଙ୍ଗ ଅନୁସାରେ ହିଙ୍ଗୁଳା ଓ ହରିତାଳ ବ୍ୟବହାର ହୋଇଥାଏ । ସେହିପରି ଧଳା ରଂଗ ପାଇଁ ଶଙ୍ଖ ଘୋରା ଓ କଳା ରଂଗ ପାଇଁ ଦୀପ କଳା ବ୍ୟବହାର କରାଯାଇଥାଏ । ମହାପ୍ରଭୁଙ୍କ କମନୀୟ ଆଖିରେ ଏହି ଦୁଇ ପ୍ରକାରର ସାମଗ୍ରୀ ଶଙ୍ଖ ଘୋରା ଓ ଦୀପ କଳା ଲଗାଯାଇ ଥାଏ । ଆଉ ନାଲିଆ ଓଠରେ ମଖାଯାଇଥାଏ ହରିତାଳ ।
ସେହିପରି ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କ ମୁଖରେ ହଳଦିଆ ରଙ୍ଗ ପାଇଁ ବ୍ୟବହାର କରାଯାଇଥାଏ ହିଙ୍ଗୁଳା । ହିଙ୍ଗୁଳା, ହରିତାଳ, ଶଙ୍ଖ ଘୋରା ଓ ଦୀପ କଳା ସହ ଚନ୍ଦନ, କର୍ପୁର ଓ କସ୍ତୁରୀ ମଧ୍ୟ ମିଶାଯାଇଥାଏ । ଫଳରେ ଏହା ଅତି ସୁଗନ୍ଧିତ ହୋଇଥାଏ । ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ଦତ୍ତ ମହାପାତ୍ର ସେବାୟତଙ୍କୁ ଏହି ସବୁ ସାମଗ୍ରୀ ଯୋଗାଇ ଦେଇଥାଏ ଶ୍ରୀମନ୍ଦିର ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)