ଜମି ଦଲାଲଙ୍କ କବଜାରେ ସରକାରୀ ଜମି। କଟକ ଜିଲ୍ଲା ଚୌଦ୍ବାର ଅଞ୍ଚଳରେ ଥିବା ଶହ ଶହ ଏକର ସରକାରୀ ଜମିକୁ ଜମି ମାଫିଆ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏନେଇ ଜବର ଦଖଲ ଜମିକୁ ଖୁବଶୀଘ୍ର ମୁକ୍ତ କରାଯାଇ ପ୍ରଶାସନ ନିଜ ଅକ୍ତିଆରକୁ ନେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
କଟକ ଚୌଦ୍ବାର ଅଞ୍ଚଳରେ କିଣୁଛନ୍ତି କି ଜମି । ସାବଧାନ୍ । ମାତିଛନ୍ତି ଜମି ମାଫିଆ । ପ୍ରତି ପାଦରେ ଛକି ରହିଛନ୍ତି ଜମି ଦଲାଲ । ଆଉ ଏହି ଦଲାଲଙ୍କ ହାବୁଡ଼ରେ ପଡିଲେ ଆପଣ ବି ଠକେଇର ଶିକାର ହେବେ । ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ବେଆଇନ ଭାବେ ବିକ୍ରି କରୁଛନ୍ତି । ଚୌଦ୍ବାର ପୌରପାଳିକା ଓ ପଞ୍ଚାୟତ ଗୁଡିକରେ ଥିବା ଏକର ଏକର ଗୋଚର, ଅନାବାଦୀ ଓ ଜଙ୍ଗଲ କିସମ ଜମିକୁ ବେଆଇନ ଭାବେ ଜବର ଦଖଲ କରି ବିକ୍ରି ହେଇଥିବା ଅଭିଯୋଗ ହୋଇଛି।
Also Read
ପଢନ୍ତୁ ଏହି ଖବର: ଅବସରପ୍ରାପ୍ତ IPSଙ୍କ ମୁହଁରେ ସରକାରୀ ଜମି କେଳେଙ୍କାରୀ କାହାଣୀ
ଖାଲି ପଡ଼ିଥିବା ସରକାରୀ ଜମିକୁ ସ୍ଥାନୀୟ ଲୋକଙ୍କ ଜରିଆରେ ଅକ୍ତିଆର କରିବାରେ ଲାଗିଛନ୍ତି ଜମି ମାଫିଆ । ଏହା ପରେ ଶାଗ ମାଛ ଦରରେ ବିକ୍ରି କରି ମୁନାଫା କମାଉଛନ୍ତି ଦଲାଲ।
ଚୌଦ୍ବାର ୧୭ ନମ୍ୱର ୱାର୍ଡରେ ବେଆଇନ ଜବରଦଖଲ ନେଇ ୫ ବର୍ଷ ତଳେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ସେତେବେଳେ ତହସିଲଦାର ଓ ପୌରପାଳିକା ମିଳିତ ଭାବେ ବହୁ ସରକାରୀ ଜାଗାକୁ ଜବର ଦଖଲ ମୁକ୍ତ କରିଥିଲେ। ହେଲେ ଏବେ ସେହି ଜାଗାରେ ବଡ ବଡ ଘର ନିର୍ମାଣ ହେଉଛି । କିଛି ଜାଗାରେ କାଗଜ ପତ୍ର ଜାଲ କରି ଲୋକଙ୍କୁ ବିକ୍ରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଜମି ପଟ୍ଟା ଥିବା ଲୋକଙ୍କୁ ମଧ୍ୟ ଘର ନିର୍ମାଣ କରିବାରେ ସମସ୍ୟା ଉପୁଜୁଛି ।
ଏବେ ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଜବର ଦଖଲ କରି ରହିଥିବା ବ୍ୟକ୍ତି ଓ ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରିଥିବା ଜମିକୁ ଉଚ୍ଛେଦ କରାଯାଇ ନିଜ ଅକ୍ତିଆରକୁ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଦେଖିବାକୁ ବାକି ରହିଲା କେବେ ସରକାରୀ ନିୟମ ପାଳନ ହେଉଛି, ଆଉ ଚୌଦ୍ବାର ଅଞ୍ଚଳରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ ହେଉଛି।