Advertisment

Oldest Yoga Teacher: ଡରୁଛି ବାର୍ଦ୍ଧକ୍ୟ; ହସୁଛନ୍ତି ନାରାୟଣ ମଉସା

ରୋଗର ଯନ୍ତ୍ରଣାରେ ପଡ଼ିବା ପୂର୍ବରୁ ୯୨ ବର୍ଷ ବୟସରେ ନାରାୟଣ ସାହୁ, ସେଥିରୁ ମୁକୁଳିବାର ରାସ୍ତା ଖୋଜିବାରେ ଲାଗି ପଡ଼ିଲେ। ଆଉ ଶେଷରେ ପାଇଗଲେ। ନିରୋଗ ଜୀବନ ପାଇଁ ଯୋଗାଭ୍ୟାସ୍‌ କରିଚାଲିଲେ। ପ୍ରତି ସକାଳେ ଓ ସନ୍ଧ୍ୟାବେଳେ ନିୟମିତ ଯୋଗଭ୍ୟାସ୍‌ କଲେ। ଗତ ୪ ବର୍ଷ ହେଲା ସେ ଯୋଗଭ୍ୟାସ୍‌ କରୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Yoga

Yoga

ବାର୍ଦ୍ଧକ୍ୟ ଡରୁଛି! ହସୁଛନ୍ତି ନାରାୟଣ ମଉସା। ୯୬ ବର୍ଷ ବୟସରେ ସେ ପୂରା ଫିଟ୍‌। ଏଇ ବୟସରେ ସେ କରୁଛନ୍ତି ଯୋଗର ଜଟିଳ ଆସନ। ଆଉ ଶିଖାଉଛନ୍ତି ଫିଟ୍‌ ରହିବାର ମୂଳମନ୍ତ୍ର।। ନିଜେ ଯୋଗ କରିବା ସହିତ ଅନ୍ୟମାନଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି। ଏଥିପାଇଁ ଅର୍ଥ ମଧ୍ୟ ନେଉନାହାନ୍ତି। ନାରାୟଣ ମଉସାଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏଥିସହ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ସେ। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ନାରାୟଣ ମଉସା କିଏ? କ’ଣ ତାଙ୍କ ପରିଚୟ? କେତେ ପାଠ ପଢ଼ିଛନ୍ତି? ଗ୍ରାମାଞ୍ଚଳରେ ରହୁଥିଲେ ସୁଦ୍ଧା କେମିତି ଯୋଗ ସମ୍ପର୍କରେ ଜାଣିଲେ? ତାହାହେଲେ ଆସନ୍ତୁ ଜାଣିବା ନାରାୟଣ ମଉସାଙ୍କ ସମ୍ପର୍କରେ...।

Advertisment

ନାରାୟଣ ମଉସାଙ୍କ ନାଁ ହେଉଛି ନାରାୟଣ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଭାଟପଡା ପଞ୍ଚାୟତ ଗୋପାଳ ଵିନ୍ଧା ଗାଁରେ। ସେ ଷଷ୍ଠ ବା ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିନ୍ତୁ ବାଲ୍ୟ କାଳରେ ଘରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ାରେ ଡୋରୀ ବାନ୍ଧି ଚାଷକୁ ପେଶା ଭାବେ ଗ୍ରହଣ କରିଥିଲେ। ଚାଷବାସ କରି ପରିବାର ଭରଣ ପୋଷଣ କରୁଥିଲେ। ଏଥିସହ ମଝିରେ ମଝିରେ ସଂକୀର୍ତ୍ତନ ମଣ୍ଡଳୀରେ ସାମିଲ୍‌ ମଧ୍ୟ ହେଉଥିଲେ। ନାରାୟଣ ସାହୁଙ୍କ ପରିବାର କହିଲେ ପ୍ରାଣପ୍ରିୟାଙ୍କ ସହ ୪ ଝିଅ ଓ ୪ ପୁଅ। ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖେ ସୁଖେ ଚଳିଯାଏ ପରିବାର। ଅଭାବ ଥିଲେ ବି ପତ୍ନୀ ସବୁ ମ୍ୟାନେଜ କରିନେଉଥିଲେ। କୌଣସି ପରିସ୍ଥିତିରେ ବି ସ୍ୱାମୀଙ୍କ ପାଖରେ ଅଳି କରୁନଥିଲେ।

ଅଧିକ ପଢ଼ନ୍ତୁ: ପାନୀୟ ଜଳ ଯୋଗାଇବେ ସରକାର; ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ

Advertisment

ସମୟ ଚକ ଗଡ଼ି ଚାଲିଲା। ବଦଳିଲା ସମୟ। ବଦଳିଲା ପରିବେଶ ଓ ପରିସ୍ଥିତି। ଦିନେ ଯେଉଁ ପୁଅ-ଝିଅ ଘର ଅଗଣାରେ ଖେଳୁଥିଲେ ଓ ଅଳି ଅର୍ଦ୍ଦଳୀ କରୁଥିଲେ, ସେମାନେ ଆଜି ବାହା ହୋଇ ଘର ସାଂସାର କଢ଼ିଲେଣି। ବାପାଙ୍କ ମୁଣ୍ଡରେ ଥିବା ପରିବାର ବୋଝକୁ ନିଜ ମୁଣ୍ଡକୁ ନେଲେଣି। କହିବାକୁ ଗଲେ ନାରାୟଣ ସାହୁଙ୍କ ୪ ଝିଅ ଓ ୪ ପୁଅ ବାହା ହୋଇଗଲେଣି। ଯୌବନରୁ ବାର୍ଦ୍ଧକ୍ୟ ଆଡ଼କୁ ଗତିକଲେ ନାରାୟଣ ମଉସା। ମୁଣ୍ଡ ଉପରେ ପରିବାର ବୋଝ ନଥିଲେ କ’ଣ ହେଲା, ବାର୍ଦ୍ଧକ୍ୟ ଜନିତ ସମସ୍ୟା ତାଙ୍କ ଶରୀରକୁ ଗ୍ରାସ କରିବାକୁ ଲାଗୁଥିଲା। ଯେଉଁଥିପାଇଁ ରୋଗର ଯନ୍ତାରେ ପଡ଼ିବାକୁ ଯାଉଥିଲେ ନାରାୟଣ ମଉସା।

ରୋଗର ଯନ୍ତ୍ରଣାରେ ପଡ଼ିବା ପୂର୍ବରୁ ୯୨ ବର୍ଷ ବୟସରେ ନାରାୟଣ ସାହୁ, ସେଥିରୁ ମୁକୁଳିବାର ରାସ୍ତା ଖୋଜିବାରେ ଲାଗି ପଡ଼ିଲେ। ଆଉ ଶେଷରେ ପାଇଗଲେ। ନିରୋଗ ଜୀବନ ପାଇଁ ଯୋଗାଭ୍ୟାସ୍‌ କରିଚାଲିଲେ। ପ୍ରତି ସକାଳେ ଓ ସନ୍ଧ୍ୟାବେଳେ ନିୟମିତ ଯୋଗଭ୍ୟାସ୍‌ କଲେ। ଗତ ୪ ବର୍ଷ ହେଲା ସେ ଯୋଗଭ୍ୟାସ୍‌ କରୁଛନ୍ତି। ଆଉ ଜୀବନର ବିଜୟ ପଥରେ ଆଗେଇ ଚାଲିଛନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗକୁ ହରାଇ ବଞ୍ଚିବାର ମୂଳ ମନ୍ତ୍ର ଶିଖାଉଛନ୍ତି। ଏବେ ନାରାୟଣ ମଉସାଙ୍କୁ ୯୬ ବର୍ଷ ହେଲାଣି। ଏ ବୟସରେ ସେ ଫୁଲ୍‌ ଫିଟ୍‌। ଆଜି ସାଜିଛନ୍ତି ଯୋଗ ଶିକ୍ଷକ। ରୋଗ ଅନୁସାରେ ସମସ୍ତଙ୍କୁ ଗାଁ ଦୋଳମଣ୍ଡପରେ ଯୋଗ ଶିକ୍ଷା ଦେଉଛନ୍ତି। ଖାଲି ଯୋଗ ନୁହେଁ, ଆସନ ଓ ପ୍ରାଣାୟମ ମଧ୍ୟ ଶିଖାଉଛନ୍ତି। ତାଙ୍କଠାରୁ ବହୁ ବୟସ୍କ ଓ ଯୁବକମାନେ ଯୋଗ ଶିକ୍ଷା ଗ୍ରହଣ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନାରାୟଣ ମଉସା ଯୋଗର ଜଟିଳ ଆସନକୁ ଅତି ସହଜରେ କରି ସମସ୍ତଙ୍କ ମନ ଜିଣିପାରୁଛନ୍ତି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍‌

ଯୋଗ ଶିକ୍ଷା ଦାନ ପାଇଁ ସରକାର ପ୍ରତି ପ୍ରାଥମିକ ଓ ଆରୋଗ୍ୟ କେନ୍ଦ୍ରରେ ଯୋଗ ଶିକ୍ଷକ ନିଯୁକ୍ତି କରିଛନ୍ତି। ସେଠାରେ ମାସକୁ ୧୦ ଦିନ ଯୋଗ ଶିକ୍ଷା ଦିଆଯାଉଛି। ହେଲେ ବାକି ଦିନ ଯୋଗ ଶିକ୍ଷା କେନ୍ଦ୍ରରେ ଯୋଗ ଗୁରୁ ଭାବେ ଦାୟିତ୍ୱ ତୁଲାଉଛନ୍ତି ନାରାୟଣ ମଉସା। ସେ କହିଛନ୍ତି, ଯୋଗ ଦ୍ଵାରା ବ୍ଲଡ୍‌ ପ୍ରେସର, ଡାଇବେଟିସ, ଆଜମା, ଆଣ୍ଠୁ ଗଣ୍ଠି ବାତ, ଥାଇରଏଡ୍‌, ଅର୍ଶ, କିଡନୀ ଷ୍ଟୋନ ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିପାରିବ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଦିନକୁ ଘଣ୍ଟାଏ ଦେବା ଦରକାର। ନାରାୟଣ ମଉସା ଏଠାରେ ମୁଖ ପ୍ରଖର, କପାଳଭାତି, ଉଲମ ଵିଲମ, ଭ୍ରାମରି, ଭସ୍ତ୍ରିକା, ଯାନୁଚକ୍ର, ସ୍ଥଳଚକ୍ର, ସୂର୍ଯ୍ୟ ନମସ୍କାର, ଧନୁରାସନ, ଏକ ପାଦନ ଆସନ, ଵଜ୍ରାସନ, ହସ୍ତ ସଞ୍ଚାଳନ, ଗ୍ରୀବା ସଞ୍ଚାଳନ, ଅଶ୍ଵ ସଞ୍ଚାଳନ, ଧନୁ ଆସନ ଏମିତି ୫୬ ପ୍ରକାର ଯୋଗ ଶିକ୍ଷା ଦେଉଥିବା କହିଛନ୍ତି।

(ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ)

Bhadrak Yoga Asanas
Advertisment
Advertisment