ରାତି ପାହିଲେ ରଙ୍ଗର ଉତ୍ସବ ହୋଲି । ଫଗୁ ଅବିରରେ ରଙ୍ଗୀନ ହେବ ଗାଁଠୁ ସହର । ହେଲେ ତା ପୂର୍ବରୁ ଗାଁ ଗାଁ, ସହର ସହରରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଛି । ଏହାସହ ସବୁଠି ସୃଷ୍ଟି ହୋଇଛି ଭକ୍ତି ଓ ଭାବର ପରିବେଶ ।
ଅପରପକ୍ଷେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ଦୋଳ ବେଦୀରେ ଦୋଳ ଗୋବିନ୍ଦ । ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।
Also Read
ଭକ୍ତି ଭାବରେ ହଜିଯାଇଥିଲେ ଦେଶୀ ପୁଣି ବିଦେଶୀ ଭକ୍ତ । ସେପଟେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ ଶ୍ରଦ୍ଧାଳୁ । କେବଳ ଶ୍ରୀକ୍ଷେତ୍ର ନୁହେଁ, ସାରା ରାଜ୍ୟରେ ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ ।
ଅଧିକ ପଢ଼ନ୍ତୁ: ଆପଣ ବଜାରରୁ ହର୍ବାଲ ରଙ୍ଗ କିଣୁଛନ୍ତି କି… କିପରି ଜାଣିବେ ଅସଲି ନା ନକଲି…
ଦୋଳମେଳଣ ପାଇଁ ପ୍ରସିଦ୍ଧ ପରମ୍ପରାରର ସହର କଟକ ଦୋଳମୁଣ୍ଡାଇ ମେଳଣ ପଡ଼ିଆରେ ମଧ୍ୟ ଦେଖିବାକୁ ମିଳିଛି ଭକ୍ତି ଭାବର ପରିବେଶ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ । ଦଶହରା ଦୁର୍ଗା ମେଢ଼ ଭଳି ଏଠିକାର ଆକର୍ଷଣ ସୁନା-ଚାନ୍ଦିର ବିମାନ । ପରମ୍ପରା ଅନୁଯାୟୀ, ୭୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏ ଦୋଳ ଉତ୍ସବରେ ମେଳଣ ସରିବା ପରେ ସହର ପରିକ୍ରମା ସହ ବାସ୍ତରୀ ମଠ ଯାଆନ୍ତି ଦୋଳ ବିମାନ ।
ସେହିପରି ମାହାଙ୍ଗା ଓଳକଣାର ମେଳଣ ପର୍ବ ବି ବେଶ୍ ନିଆରା । ଏଠାକାର ବିଶେଷତ୍ବ ଏଠି କୌଣସି ବିମାନଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ । ଭକ୍ତମାନେ ନିଜ ହାତରେ ରାଧାକୃଷ୍ଣଙ୍କୁ ଭୋଗ ଲଗାନ୍ତି । ଏହି ମେଳଣରେ କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୨୦୦ରୁ ଅଧିକ ବିମାନ ଯୋଗଦିଅନ୍ତି ।
ସେହିଭଳି ବଲାଙ୍ଗିରର ପାରମ୍ପରିକ ଯାଦବ ହୋଲିରେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ପରସ୍ପର ଦେହରେ ଫଗୁ ଅବୀର ମାଖି ମଉଜରେ ମସଗୁଲ୍ ହୋଇଥିଲେ ପୁରୁଷ-ମହିଳା, ପିଲା-ବୁଢ଼ା ସମସ୍ତେ । ତା ସାଙ୍ଗକୁ ଜମିଥିଲା ବାଡ଼ି, ଲଉଡ଼ି ଖେଳର ଧୁମ୍ ।
ଅନ୍ୟପଟେ ୬ଶହ ବର୍ଷ ଧରି ପାଳନ ହୋଇ ଆସୁଥିବା କେନ୍ଦ୍ରପଡ଼ା ଜିଲ୍ଲାର କନିକା ରାଜମେଲଣକୁ ନେଇ କମ୍ପିଛି ସ୍ଥାନୀୟ ପାଞ୍ଚଖଣ୍ଡି ଗାଁ । ଠାକୁରଙ୍କ ସାଙ୍ଗରେ ରଙ୍ଗ ଅବିର ଖେଳ ସାଙ୍ଗକୁ ବନାଟି ଖେଳ ଓ ଭଜନ କୀର୍ତ୍ତନରେ ମଜିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।