Advertisment

History of Raja Chakra Dynasty: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି

କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ ଶିକ୍ଷକର ପୁଅ, ପରବର୍ତ୍ତୀ ସମୟରେ ପାଲଟିଗଲା ବିଜେଡିର ପ୍ରଭାବଶାଳୀ ନେତା ଓ ଫାଇନାନ୍ସର। ତୃତୀୟ ମହଲା ସହ ଥିଲା କନେକ୍ସନ୍। ଜିଲ୍ଲାପାଳ ଓ ଏସପି ଥିଲେ ପକେଟରେ। ଭୃତ୍ୟ ପରି ପରି ଏମାନେ ତା ପାଦ ଚାଟୁଥିଲେ। ପ୍ରଭାବ ଏତେ ବଢ଼ି ଯାଇଥିଲା ଯେ, ଯାହା ଚାହୁଁଥିଲା କରୁଥିଲା। ପଢ଼ନ୍ତୁ ରାଜା ସାମ୍ରାଜ୍ୟର ସଂପୂର୍ଣ୍ଣ ଇତିହାସ।

author-image
Amaresh Biswal
ଅଦ୍ୟତନ ହୋଇଛି
history of BJD mafia Raja Chakra political & business dynasty in keonjhar

history of BJD mafia Raja Chakra political & business dynasty in keonjhar

କେନ୍ଦୁଝର ଜିଲ୍ଲାର ଅନୁନ୍ନତ ପରିବେଶରୁ ଆସି, ଆଇଟିଆଇ ପାଠ ପଢ଼ି ରେଡିଓ ମେକାନିକ୍ ହେବାକୁ ସ୍ୱପ୍ନ ଦେଖିଥିବା ଜଣେ ଶିକ୍ଷକର ପୁଅ, କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲା, ସେ ଦିନେ ସାରା ଜିଲ୍ଲାର ପ୍ରଭାବଶାଳୀ ଓ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ ହେବ। କେବେ ଭାବି ନଥିଲା, ଦିନେ ତା ଈସାରାରେ ନାଚିବେ ଜିଲ୍ଲାପାଳ ଓ ଏସ୍.ପି.। ଦିନେ ଭାବି ନଥିଲା, ଅଖଣ୍ଡ କ୍ଷମତାର ଅଧିକାରୀ ଥାଇ ହଜାର ହଜାର କୋଟି ଟଙ୍କାର ମାଲିକ ପାଲଟିଥିବା ଏହି ଯୁବକଟି ହଠାତ୍ ଦିନେ ନିଜର କଲାକର୍ମ ପାଇଁ ଅତି ଦୟନୀୟ ଭାବେ ଗିରଫ ହେବ।

Advertisment

ରାଜା ଚକ୍ରର ପିଲାଦିନ

ଇଓଡବ୍ଲୁ ଦ୍ୱାରା ଗିରଫ କେନ୍ଦୁଝର ଜିଲ୍ଲାର ବିଜେଡି ନେତା ରାଜା ଚକ୍ରର ସାମ୍ରାଜ୍ୟର ଇତିହାସ ସମୁଦାୟ ୧୦ ବର୍ଷର। ରାଜାର ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ନିକଟ ଗଡ଼ବାନ୍ଦଗୋଡ଼ା ଗାଁରେ। ଯେଉଁଠି ମଧ୍ୟ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଘର। ରାଜା ଚକ୍ରର ବାପା ସଂଜୟ ବସନ୍ତ ଚକ୍ର, କେନ୍ଦୁଝର ଜିଲ୍ଲାର ପଳାସପଙ୍ଗାରେ ଶିକ୍ଷକତା କରୁଥିଲେ। ସେଇଠି ରହି ରାଜା ଚକ୍ର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲା ଓ ପରେ ସେମାନେ ସପରିବାର କେନ୍ଦୁଝର ଗଡ଼କୁ ଚାଲି ଯାଇଥିଲେ, ଯେଉଁଠି ରାଜା ଚକ୍ର ମାଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଥିଲା। ଏହାପରେ ସେ ଜିଲ୍ଲାର ପଦମପୁର ଆଇଟିଆଇ କଲେଜରେ ରେଡିଓ ମେକାନିକ୍ ପାଠ ପଢ଼ିଥିଲା।

ତେବେ ରାଜନୈତିକ ପ୍ରଭାବ ବିସ୍ତାର ହେବା ପରେ ଧୀରେ ଧୀରେ ରାଜା ଶକ୍ତିଶାଳୀ ହୋଇପଡ଼ିଥିଲା। ରାଜନୀତିରେ ତା’ର ପ୍ରଥମ ଗୁରୁ ଥିଲେ ପୂର୍ବତନ ମନ୍ତ୍ରୀ ତଥା ଏବେର ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ସଂଯୋଗ କ୍ରମେ ରାଜା ଚକ୍ର ମଧ୍ୟ ବଦ୍ରି ପାତ୍ରଙ୍କ ଗାଁର ପିଲା। ରାଜାର ଆଉଏକ ରାଜନୈତିକ ପରିଚୟ ହେଲା, ସେ ଘସିପୁରା ଅଂଚଳର ପୁରୁଣା କଂଗ୍ରେସ ନେତା ତଥା ଆନନ୍ଦପୁର ପୌରାଞ୍ଚଳର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘନିଷ୍ଠ, ଚତୁର୍ଭୁଜ ନାୟକଙ୍କ ନାତି। ରାଜା ହେଉଛି ଚତୁର୍ଭୁଜଙ୍କ ଝିଆରୀଙ୍କ ପୁଅ।

Advertisment

କେମିତି ରାଜନୀତିକୁ ଆସିଲା ରାଜା ଚକ୍ର

୨୦୦୯ରେ ଯେତେବେଳେ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେଲେ, ସେତେବେଳେ ଛୋଟମୋଟ କାମ ପାଇଁ ବଦ୍ରିଙ୍କ ପାଖକୁ ଆସିଥିଲା ରାଜା। ବଦ୍ରି ମଧ୍ୟ ଗାଁ ପିଲା ହିସାବରେ ତାକୁ ସହଯୋଗ କରିବାକୁ ରାଜି ହେଲେ। ବଦ୍ରିଙ୍କ ଆଶୀର୍ବାଦକୁ ରାଜା ଚକ୍ର କିଛିବର୍ଷ ଭିତରେ କେନ୍ଦୁଝରରେ ନିଜର ଛୋଟିଆ ସାମ୍ରାଜ୍ୟ ଗଢ଼ିବାରେ ସଫଳ ହେଲା। ରାଜାର ପ୍ରଭାବ ବଢୁଥିବା ଦେଖି ବଦ୍ରି ମଧ୍ୟ ସେତେବେଳେ ଖୁସି ଥିଲେ। କାରଣ ତାଙ୍କର ଗୋଟେ ସ୍ୱାର୍ଥ ଥିଲା, ସେ ଚାହୁଁଥିଲେ କେନ୍ଦୁଝର ପଟରେ ରାଜନୈତିକ ପ୍ରଭାବ ବିସ୍ତାର। ବଦ୍ରିଙ୍କ ପାଇଁ ଘସିପୁରା କିଛି ସମସ୍ୟା ନଥିଲା। କାରଣ ଏହା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ। କିନ୍ତୁ କେନ୍ଦୁଝରରେ ସନା ମହାକୁଡ଼ଙ୍କ ପ୍ରଭାବ ବଢୁଥିଲା। ରାଜା କାନ୍ଧରେ ପାଦ ଥୋଇ ସେ କେନ୍ଦୁଝରରେ ଶକ୍ତିଶାଳୀ ହେବାକୁ ଚାହିଁଲେ।

ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହେବାପରେ ୨୦୧୪ରେ ସକ୍ରିୟ ରାଜନୀତିକୁ ଆସିଲା ରାଜା ଚକ୍ର। ପ୍ରଥମ ରାଜନୈତିକ ଗୁରୁ ବଦ୍ରି ନାରାୟଣ ପାତ୍ର। ପ୍ରାୟ ୩ ବର୍ଷ ଧରି ବଦ୍ରିଙ୍କ ସହ ତାର ଭଲ ପଡ଼ିଲା। ଭଲ ଫାଇଦା ମଧ୍ୟ ନେଲା। ବଦ୍ରିଙ୍କ ରାଜନୈତିକ ପ୍ରଭାବକୁ କାମରେ ଲଗାଇ ସେ ଆଗକୁ ବଢ଼ିଲା, ନିଜର ବ୍ୟବସାୟକୁ ଭଲ ବଢ଼େଇ ପାରିଲା। କିନ୍ତୁ ୨୦୧୭ରେ ସେ ବଦ୍ରିଙ୍କ ହାତ ଛାଡ଼ିଲା। କୁହାଯାଉଛି ପାଣିକୋଇଲି-ରାଜାମୁଣ୍ଡା ରାସ୍ତା କାମକୁ ନେଇ ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହି ରାସ୍ତା ତିଆରି କରିଥିବା ଗାୟତ୍ରୀ କନଷ୍ଟ୍ରକ୍ସନ୍ ଉପରେ କିଏ ବେଶୀ ପ୍ରଭାବ ବିସ୍ତାର କରିବ, କିଏ ବେଶୀ ଫାଇଦା ମାରିବ ସେଇଥିରୁ ବଦ୍ରି ଓ ରାଜାଙ୍କ ଭିତରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଏମାନଙ୍କ ସଂପର୍କରେ ବିଚ୍ଛେଦ ଆଣି ଦେଇଥିଲା। ସେତେବେଳକୁ ରାଜା ଶକ୍ତିଶାଳୀ ହୋଇସାରିଥିଲା। ତେଣୁ ସେ ବୁଦ୍ଧି ଖର୍ଚ୍ଚ କରି ଅନ୍ୟତମ ପ୍ରଭାବଶାଳୀ ଓ ବିତ୍ତଶାଳୀ ନେତା ତଥା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଶିବିରକୁ ଡେଇଁ ପଡ଼ିଥିଲା।

ବଦ୍ରିଙ୍କୁ ଛାଡ଼ି ସନାଙ୍କ ଶରଣ

ରାଜା ଯେହେତୁ ବଦ୍ରିଙ୍କ ପାଖଲୋକ ଥିଲା, ସନାତନଙ୍କୁ ଏହା ଭଲ ମଉକା ଦେଲା। ରାଜା ମାଧ୍ୟମରେ ସେ ବଦ୍ରି ବିରୋଧୀ ଷଡ଼ଯନ୍ତ୍ର କରିବାରେ ସଫଳ ହେଲେ। ତାଙ୍କ ପରେ ପୁଅଙ୍କୁ ବିଧାନସଭା ଟିକଟ ଦେବାକୁ ବଦ୍ରି ଯେଉଁ ଉଦ୍ୟମ କରିଥିଲେ ସେଥିପ୍ରତି ବିପଦ ସୃଷ୍ଟି ହୋଇଥିଲା। ଘସିପୁରାରେ ବିଜେଡି ଟିକଟ ଆଣିବାକୁ ସେ କେବଳ ରାଜାକୁ ଉତ୍ସାହିତ କରିନଥିଲେ, ସେଥିପାଇଁ ଆର୍ଥିକ ସହଯୋଗ ମଧ୍ୟ ଦେଇଥିଲେ।

ଇତିମଧ୍ୟରେ ବିଜେଡିର ଶୀର୍ଷ ନେତା ବବି ଦାସ ଓ ପାଣ୍ଡିଆନଙ୍କ ସହ ମଧ୍ୟ ରାଜା ପରିଚିତ ହୋଇସାରିଥିଲା। ସନା ମହାକୁଡ଼ଙ୍କ ସହାୟତାରେ ଏହି ସଂପର୍କ ଅଧିକ ଘନିଷ୍ଠ ହେଇଥିଲା। ଶେଷ ଆଡ଼କୁ ବବି ଦାସ ମଧ୍ୟ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ପ୍ରଭାରି ହୋଇଥିଲେ। ତେଣୁ ରାଜା ସହ ସଂପର୍କ ଅଧିକ ଘନୀଭୂତ ହୋଇଥିଲା। ରାଜାକୁ କିଛି ସମୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ମଧ୍ୟ ବବି କରିଥିଲେ। ଏପରିକି ସେତେବେଳର ଜିଲ୍ଲାପାଳ ଓ ଏସପିଙ୍କୁ ତୃତୀୟ ମହଲାରୁ ନିର୍ଦ୍ଦେଶ ଯାଇଥିଲା, ରାଜା ଚକ୍ର ହିଁ ଜିଲ୍ଲାର ମୁଖ୍ୟ ଲୋକ। ସେ ଯାହା କହିବ ତାକୁ ସହଯୋଗ କରିବ।

ହେଲା ମଧ୍ୟ। କାରଣ ରାଜା ଚକ୍ର ପାର୍ଟିକୁ କୋଟି କୋଟି ଟଙ୍କା ଚାନ୍ଦା ବି ଦେଉଥିଲା। ବବି ଦାସ ମଧ୍ୟ ତାକୁ ବ୍ୟବହାର କରୁଥିଲେ। ବଦ୍ରି ପାତ୍ରଙ୍କ ପ୍ରଭାବ ହ୍ରାସ କରିବାକୁ ସେମାନେ ସମସ୍ତେ ମିଶି ରାଜା ଚକ୍ରକୁ ବ୍ୟବହାର କରିଥିଲେ। ବଦ୍ରି-ରାଜା ବିବାଦ ଖୋଲାଖୋଲି ହେବାପରେ ଏଥିରେ ବବି ଦାସ ହସ୍ତକ୍ଷେପ ମଧ୍ୟ କରିଥିଲେ। ୨୦୧୯ ନିର୍ବାଚନ ବେଳକୁ ରାଜା ଚକ୍ର କେନ୍ଦୁଝର ଜିଲ୍ଲା ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିରେ ପରିଣତ ହୋଇ ସାରିଥିଲା। ୨୦୧୯ରେ ରାଜା ପାର୍ଟି ପାଇଁ ପାଣ୍ଠି ସଂଗ୍ରହ କଲା। ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସିଲା। ତେଣୁ ୨୦୧୯ରୁ ୨୦୨୪ ଯାଏଁ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରର ଉତ୍ପାତ ଭୟଙ୍କର ରୂପ ଧାରଣ କରିଥିଲା।

ଯେତେବେଳେ ଏସପି ଓ ଜିଲ୍ଲାପାଳ ହାତରେ ରହିଲେ, ରାଜାର ଗୁଣ୍ଡାଗିରି ମଧ୍ୟ ବଢ଼ି ଯାଇଥିଲା। ବଦ୍ରି ପାତ୍ରଙ୍କ ଶିବିର ସହ ତାର ସମ୍ମୁଖ ମୁକାବିଲା ବଢ଼ି ଯାଇଥିଲା। ପୋଲିସ ଓ ପ୍ରସାଶନକୁ ଲଗାଇ ସେ ପୁରୁଖା ନେତା ବଦ୍ରି ପାତ୍ର ଓ ତାଙ୍କ ପୁଅମାନଙ୍କ ନାକରେ ଦଉଡ଼ି ବାନ୍ଧି ଘୋଷାରିବା ଅବସ୍ଥା ହୋଇଥିଲା। ପୋଲିସକୁ ଏମିତି ଅଭୟବାଣୀ ଦିଆଯାଇଥିଲା ଯେ, ରାମଚନ୍ଦ୍ରପୁର ଥାନା ସବଇନ୍ସପେକ୍ଟର ମଧ୍ୟ ଗୋଟିଏ ମାମଲାରେ ବିଧାୟକ ବଦ୍ରି ପାତ୍ରଙ୍କୁ ହଲାପଟା କରି ଦେଇଥିଲା।

ସ୍ଥିତି ଏମିତି ହୋଇଥିଲା ଯେ, ଏମାନଙ୍କ ମଧ୍ୟରେ ଦେଖା ଦେଉଥିବା ବ୍ୟବସାୟିକ ବିବାଦ ବଢ଼ି ଚାଲିଥିଲା। ରାଜା ଚକ୍ର ନିଜ ପଥର କ୍ୱାରିର ଚିପ୍ସ ଜୋରଜବରଦସ୍ତ ବିକିବା ସହିତ ଅନ୍ୟ କ୍ୱାରି ଓ କ୍ରସର କବ୍ଜା କରି ରଖିଥିଲା। ଘଟଗାଁଠାରୁ ସେପଟକୁ କ୍ୱାରି ଓ କ୍ରସର ଉପରେ ରାଜାର ପ୍ରଭାବ ରହିଥିବା ବେଳେ ଘଟଗାଁରୁ ଏପଟକୁ ବଦ୍ରିବାବୁଙ୍କ ପ୍ରଭାବରେ ରହୁଥିଲା।

ରାଜାର ମୁଖ୍ୟ ବ୍ୟବସାୟ କ’ଣ ଥିଲା?

ରାଜାର ମୁଖ୍ୟ ବ୍ୟବସାୟ ହେଲା ପଥର କ୍ୱାରି। କେନ୍ଦୁଝର ଜିଲ୍ଲାରେ ଥିବା ବହୁ ପଥର କ୍ୱାରି ସେ ଲିଜ୍ ନେବା ସହିତ, ରାଜନୈତିକ ପ୍ରଭାବ ବିସ୍ତାର କରି ଅନ୍ୟ କ୍ୱାରି ଉପରେ ମଧ୍ୟ ତା’ର ହାକିମାତି ଦେଖାଉଥିଲା। ଏଥିରେ ସେ ବିଜେଡିର କିଛି ଶୀର୍ଷ ନେତାଙ୍କଠାରୁ ଆଶିର୍ବାଦ ପାଇଥିଲା। ଯେହେତୁ ରାଜନୈତିକ ପ୍ରଭାବ ଥିଲା, ତେଣୁ କେନ୍ଦୁଝର ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି ମଧ୍ୟ ତା ଈସାରାରେ କାମ କରୁଥିଲେ। ପ୍ରଭାବ ବିସ୍ତାର କରି ରାଜା ହଜାର ହଜାର କୋଟି ଟଙ୍କା ରୋଜଗାର କରୁଥିଲା, ପାର୍ଟିକୁ ମଧ୍ୟ କୋଟି କୋଟି ଟଙ୍କା ଦେଉଥିଲା। ଏହିପରି ଭାବରେ ସେ ନିଜର ବ୍ୟବସାୟ ବିସ୍ତାର କରିପାରିଥିଲା। ତେବେ ସେ କ୍ୱାରି ବ୍ୟବସାୟକୁ ଆସିଲା କେମିତି।

ITI କରିବା ପରେ ରାଜା ଚକ୍ର ଛୋଟମୋଟ କାମ କରି ରୋଜଗାର କରିବାକୁ ଚେଷ୍ଟା କରୁଥିଲା। ଯେହେତୁ କେନ୍ଦୁଝର ଜିଲ୍ଲା ଖଣି ଖାଦାନ ଅଂଚଳ, ଏଠି ଟ୍ରାନ୍ସପୋର୍ଟ କାମରେ ଭଲ ଲାଭ। ଅନେକ ଯୁବକ ଟ୍ରକ୍ ଗୋଟେ ଦୁଇଟା ଲେଖାଏଁ କିଣି ଛୋଟମୋଟ ଟ୍ରାନ୍ସପୋର୍ଟ ବ୍ୟବସାୟ କରନ୍ତି। ଖଣିଜ ପଦାର୍ଥ ପାରାଦୀପକୁ ବୋହିବା କାମ କରି ରୋଜଗାର କରନ୍ତି। ରାଜା ମଧ୍ୟ ସେଇଆ କରୁଥିଲା।

କିନ୍ତୁ ସେ ଯେବେଠୁ ତା ପ୍ରଥମ ରାଜନୈତିକ ଗୁରୁଙ୍କୁ ଭେଟିଲା, ସେବେଠୁ ତା କାରବାରରେ ପର ଲାଗି ଯାଇଥିଲା। ଛୋଟମୋଟ କାମ ପାଇବାକୁ ସେ ନିଜ ଗାଁର ବିଧାୟକ ବଦ୍ରି ପାତ୍ରଙ୍କ ପାଖରେ ପହଞ୍ଚିବା ପରେ, ବିଧାୟକ ମଧ୍ୟ ଗାଁ ପିଲା ଭାବି ସାହାଯ୍ୟ କରିଥିଲେ। ଫଳରେ ସେ ନିଜର କ୍ରସର ବ୍ୟବସାୟ ବଢ଼ାଇଥିଲା। ରାଜନୈତିକ ପ୍ରଭାବ ପକାଇ ସେ ଜିଲ୍ଲାରେ ହେଉଥିବା କନଷ୍ଟ୍ରକସନ୍ କାମ ପାଇଁ ଚିପ୍ସ ଯୋଗାଉଥିଲା। ତା ସହିତ ନିଜ କ୍ୱାରି ବାହାରେ ବେଆଇନ୍ ଭାବେ ଅଧିକ ପଥର ଭାଙ୍ଗି ମାଲାମାଲ୍ ହେଉଥିଲା।

ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ପାଇଁ ସେ ଏକଚାଟିଆ ଭାବେ ତା କ୍ୱାରିରୁ ଚିପ୍ସ ଯୋଗାଇ କୋଟି କୋଟି ଟଙ୍କା ଲାଭବାନ ହୋଇଥିଲା। ଏଥିସହିତ ସେ ଜିଲ୍ଲାର କ୍ରସର୍ ବ୍ୟବସାୟୀଙ୍କୁ ଏକାଠି କରି ଏକ ସଂଘ କରି ତାହାର ସଭାପତି ହୋଇଥିଲା। ଯେହେତୁ ତାର ରାଜନୀତି ମହଲରେ ଓ ଜିଲ୍ଲା ପ୍ରଶାସନରେ ପ୍ରବଳ ପ୍ରଭାବ ଥିଲା, ତେଣୁ ଧୀରେ ଧୀରେ ସେ କ୍ରସର ମାଲିକମାନଙ୍କ ଉପରେ ହାକିମାତି ଦେଖାଇଲା। ଏପରିକି ପ୍ରତି କ୍ରସରରୁ ଟନ୍ ପିଛା ସେ ୫୦ ଟଙ୍କା ଚାନ୍ଦା ଆଦାୟ କରୁଥିଲା।

ଯେତେବେଳେ ବଦ୍ରି ପାତ୍ରଙ୍କ ସହ ରାଜା ଚକ୍ରର ବିବାଦ ଆରମ୍ଭ ହେଲା, ସେତେବେଳେ ସେ ଅତି ସହଜରେ ବଦ୍ରିଙ୍କ କବଳରୁ ଖସିଯାଇ କେନ୍ଦୁଝର ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନେତା ସନା ମହାକୁଡ଼ଙ୍କ ସହ ମିଶିଗଲା। ଇଏ ହେଉଛି ୨୦୧୭ ମସିହାର କଥା। ଖଣି ସାମ୍ରାଜ୍ୟରେ ସନାଙ୍କ ପ୍ରଭାବ ଅଧିକ। ସେଇ ଖଣି ବ୍ୟବସାୟକୁ ନେଇ ସନା-ବଦ୍ରିଙ୍କ ଭିତରେ ସବୁବେଳେ ମୃଦୁ ବିବାଦ ଲାଗି ରହୁଥିଲା। ସନାର ସହଯୋଗୀ ହେବାପରେ ରାଜା କ୍ୱାରି ବ୍ୟବସାୟରୁ ଖଣି ବ୍ୟବସାୟକୁ ଗଲା। ଏହା ୨୦୨୧ ମସିହାର କଥା। ରାଜା ତା ରାଜନୈତିକ ପ୍ରଭାବ ବିସ୍ତାର କରି ସେଠି ମଧ୍ୟ ଭଲ ଟଙ୍କା ରୋଜଗାର କଲା। ଖଣି ବ୍ୟବସାୟରେ ସେ ମାତ୍ର ୩ରୁ ୪ ବର୍ଷ ପ୍ରବେଶ କରି ଖୁବ୍ ପ୍ରଭାବଶାଳୀ ହୋଇଥିଲା।

BJD Crime Branch Keonjhar BJD Government Odisha Politics BJD Leaders Booked Raja Chakra
Advertisment
Advertisment