/odishatv-khabar/media/post_attachments/uploadimage/library/16_9/16_9_0/Gold_Fraud_1726068577.jpg)
Gold Fraud
ସୁନା କିଣିବା ବେଳେ ହୁସିଆର! ନହେଲେ ଚୂନ ଲଗାଇଦେବେ ଦୋକାନୀ । ସୁନାର ମାନ, ଓଜନ ଓ ଅନ୍ୟାନ୍ୟ ଅନିୟମିତତା କରି ଠକିବାକୁ ଅନାଇ ବସିଛନ୍ତି ଅନେକ ଅସାଧୁ ବ୍ୟବସାୟୀ। ଗତ ୫ ମାସ ମଧ୍ୟରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୩ ହଜାର ୧୨୫ଟି ରେଡ୍ କରାଯାଇଥିବା ବେଳେ ରୁଜୁ ହୋଇଛି ୧୧୬ଟି ମାମଲା। ଏଥିସହ ଅନିୟମିତତା ବାବଦକୁ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍।
ସର୍ବାଧିକ ଠକେଇ ହୋଇଛି ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ। ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସୁନା ଦୋକାନରେ ଅନିୟମିତତା ଅଭିଯୋଗରେ ଗତବର୍ଷ ମଧ୍ୟ ୮ ହଜାର ୪୬୯ଟି ଚଢାଉ ହୋଇଥିଲା। ସେଥିରୁ ୪୯୫ଟି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି।
ସୁନା ଦୋକାନରେ କେମିତି ହେଉଛି ଠକେଇ ? ଏ ସଂପର୍କରେ କେମିତି ସଚେତନ ହେବେ ଗ୍ରାହକ ? ପୂର୍ବରୁ ଛୋଟ ନିକିତିରେ ଓଜନ ହେଉଥିଲା, ଏବେ ଡିଜିଟାଲ ମେସିନ୍। ସବୁ ସୁନାରେ ପ୍ରାୟତଃ BIS ହଲମାର୍କର ଚିହ୍ନ। ତଥାପି ଠକେଇର ଶିକାର ହେଉଛନ୍ତି ଗ୍ରାହକ। ଆଇନଜୀବୀ କହିଛନ୍ତି, ବିନା ହଲମାର୍କରେ ସୁନା ବିକ୍ରି କରିବା ଦଣ୍ଡନୀୟ ଅପରାଧ। ସରକାରଙ୍କ ପକ୍ଷରୁ ଏନେଇ ରୀତିମତ ଯାଂଚ୍ ର ଆବଶ୍ୟକତା ରହିଛି। ଯଦି କୌଣସି ଗ୍ରାହକ ଠକେଇର ଶୀକାର ହେଉଛନ୍ତି ତେବେ ସେ ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ। ଯଦ୍ବାରା ଗ୍ରାହକ ଶହେ ପ୍ରତିଶତ କ୍ଷତିପୂରଣ ପାଇପାରିବେ।
ସେପଟେ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ବୈଧ ମାପ ବିଜ୍ଞାନ ବିଭାଗ ପକ୍ଷରୁ ୭ ଲକ୍ଷ ୬୩ ହଜାର ୫୦୩ଟି ବ୍ୟବସାୟିକ ଅନୁଷ୍ଠାନରେ ଚଢାଉ କରାଯାଇଥିଲା। ସେଥିରୁ ୩୯୧ଟି ସ୍ଥାନରେ ଓଜନରେ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ୪୦ ଲକ୍ଷ ୯୨ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)