Advertisment

ଓଡ଼ିଶାରୁ ପାଣି ନେଇ ଆନ୍ଧ୍ର ଚାଷୀ ହସୁଛି, ଓଡ଼ିଆ ଚାଷୀ ମୁଣ୍ଡରେ ହାତ ଦେଇଛି !

୨ଟି ଆଡିବନ୍ଧ ସତ୍ତ୍ବେ ଓଡ଼ିଶା ଚାଷୀଙ୍କ ଜମିକୁ ଯାଉନି ପାଣି । ଲୋକଙ୍କ ଅଭିଯୋଗ, ତ୍ରୁଟିପୂର୍ଣ୍ଣ ନିର୍ମାଣରୁ କାମ ଦେଉନି ପ୍ରକଳ୍ପ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rayagada

Rayagada

ଓଡ଼ିଶା ପାଣିରୁ ସୁନା ଫଳାଉଛି ଆନ୍ଧ୍ର। ହେଲେ ସେଇ ପାଣି ପହଞ୍ଚି ପାରୁନଥିବାରୁ ଓଡ଼ିଶାରେ ଜମି ପଡ଼ିଆ। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ନିହାତି ସତ । ଆମେ କହୁଛୁ ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳର କଥା ।

Advertisment

ରାୟଗଡ଼ା ଜିଲ୍ଲାରୁ ବର୍ଷ ବର୍ଷ ଧରି ଆନ୍ଧ୍ର ପ୍ରଦେଶ ଆଡ଼କୁ ବହି ଯାଉଛି ଚିରସ୍ରୋତା କୁଣ୍ଡମ ନାଳର ପାଣି। ସେଇ ନାଳରେ ଓଡ଼ିଶାର ଖିଜଲିଂଠାରେ ଆଡ଼ିବନ୍ଧ ନିର୍ମାଣ କରି ନିଜ ଅଞ୍ଚଳ ଅର୍ଥାତ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଲାଡ଼ା ଗାଁର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେଇଛନ୍ତି ଆନ୍ଧ୍ର ସରକାର। ଫଳରେ ବର୍ଷକ ୧୨ ମାସ ଏଠି  ଚାଷୀର କ୍ଷେତ ସବୁଜ ସୁନ୍ଦର।

ଓଡ଼ିଶାରୁ ପାଣି ନେଇ ପଡ଼ୋଶୀ ରାଜ୍ୟର ଚାଷୀ ଫଳାଇ ପାରୁଛନ୍ତି ଭଳିକି ଭଳି ଅର୍ଥକାରୀ ଫସଲ। ହେଲେ ଏପଟେ ଓଡ଼ିଶା ସୀମାରେ ଚାଷ ଜମି ପଡ଼ିଆ ପଡ଼ିଛି। କାରଣ ସେଇ କୁଣ୍ଡମ୍ ନାଳରେ ଓଡ଼ିଶା ସରକାର ଚେକ୍‌ଡ୍ୟାମ କରିଥିଲେ ବି ପାଣି କିନ୍ତୁ ଚାଷ ଜମିକୁ ଆସି ପାରୁନି। ଫଳରେ ସେପଟ ଚାଷୀ ପାଣି ପାଇ ଖୁସ୍ ଆଉ ଏପଟ ଚାଷୀ ପାଣି ନପାଇ ଛଟପଟ।

Advertisment

ରାୟଗଡ଼ା ଜିଲ୍ଲା ସଦର ବ୍ଲକର କୁଣ୍ଡମ ଓ ଗୌଡ଼ କୁଣ୍ଡମ୍ ଏବଂ ଅନ୍ୟ ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବାକୁ 2016-17 ମସିହାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଚେକ୍ ଡ୍ୟାମ୍ ନିର୍ମାଣ କରିଥିଲେ ଓଡ଼ିଶା ସରକାର। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହି ଚେକ୍ ଡ୍ୟାମ୍ ନିର୍ମାଣ ବେଳେ ଏହାର ଡିଡାଇନକୁ ବିରୋଧ କରିଥିଲେ ଚାଷୀ। ଜମି ଉପରେ ଓ ଚେକଡ୍ୟାମ୍ ତଳିଆ ଅଂଚଳରେ ହେଲେ, ପାଣି ଜମିକୁ ଯିବନି ବୋଲି ଚେତାଇ ଦେଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।

ସେପଟେ ଦୁଇ ଦୁଇଟି ଚେକ୍ ଡ୍ୟାମ୍ ହେବାର ୮ ବର୍ଷ ବିତି ଯାଇଥିଲେ ବି, ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରିନି। ଅନ୍ୟପଟେ ଏ ସମ୍ପର୍କରେ ଭିନ୍ନ ମତ ଦେଇଛନ୍ତି ରାୟଗଡ଼ା କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ। ସେ କହିଛନ୍ତି ପ୍ରକଳ୍ପ ହୋଇଥିଲା ଉଠା ଜଳସେଚନ ଲାଗି। ତେବେ ଉଠା 
ଜଳସେଚନ ଲାଗି କୌଣସି ବ୍ୟବସ୍ଥା ନଥିବା ବେଳେ ଏଠି ଦୁଇଟି ଚେକ୍ ଡ୍ୟାମ୍ କାହା ସ୍ୱାର୍ଥରେ ହୋଇଥିଲା, ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment
Advertisment