/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730180593.jpg)
Super cyclone
୧୯୯୯ ମହାବାତ୍ୟାକୁ ପୂରିଲା ୨୫ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇନେଇଥିଲା ଓଡ଼ିଶାର ଶିରୀ। ସେଦିନର କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେଖିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଯାହା ଥିଲା କଳ୍ପନାର ବାହାରେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବି ବି ନଥିଲେ। ମହାବାତ୍ୟା ତାଣ୍ଡବରେ କିଏ କିଏ ବନ୍ଧୁ ପରିଜନ ହରାଇଥିଲେ ତ କାହା ଆଖି ଆଗରେ ସମୁଦ୍ର ଜୁଆରରେ ଭାସିଯାଇଥିଲା ପରିବାର। ଆଜି ବି ଅନେକ ଲୋକେ ମହାବାତ୍ୟାର ସେହି କରାଳ ରୂପକୁ ଭୁଲି ପାରିନାହାଁନ୍ତି।
ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ୧୯୯୯ର ମହାବାତ୍ୟା। ସେଦିନ ଥିଲା ଶୁକ୍ରବାର। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଘଣ୍ଟାପ୍ରତି ୨୬୦ କିମି ବେଗରେ ବହିଥିଲା ପବନ। କାହାର ଘରଦ୍ବାର ଉଡ଼ାଇ ନେଇଥିଲା ତ କେଉଁଠି ଟଳି ପଡ଼ିଥିଲା ବିରାଟ ବିରାଟ ଦ୍ରୁମ। ସମୁଦ୍ର ଜୁଆର ଆସି ଜୀବଜନ୍ତୁଙ୍କ ସହ ଭାସି ଯାଇଥିଲେ ଅନେକ ଲୋକେ। ମହାବାତ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ପ୍ରାଣ ହରାଇଥିବା ସରକାରୀ ତଥ୍ୟ କହୁଛି ।
୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳ ଜିଲ୍ଲାଗୁଡ଼ିକ ଛାରଖାର ହୋଇଯାଇଥିଲା। ବାତ୍ୟା ମାଡ଼ ହେବା ସମୟରେ ସମୁଦ୍ରରେ ୧୫-୨୦ ଫୁଟ୍ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କିମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡ଼ି ଆସିଥିଲା। ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରୁ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ମାଟିରେ ମିଶିଥିଲା। ସେ ସମୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ରାଜ୍ୟ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା।
ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ବାତ୍ୟାର ଚିର ସହଚର। ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହୋଇ ଆସିଛି। ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତଲି, ଫନି ଓ ଦାନା ଭଳି ବାତ୍ୟାକୁ ସହିଛି ଓଡ଼ିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇ ଦେଇଛି । ମାତ୍ର ଏକଦା ବାତ୍ୟା ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ସଜାଡ଼ିବାକୁ ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଏବେ ନିଜ ଦମ୍ରେ ବାତ୍ୟା ମୁକାବିଲା କରିବାକୁ ସକ୍ଷମ ଓ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇପାରିଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଓ ପରବର୍ତ୍ତୀ ପୁନରୁଦ୍ଧାର କ୍ଷେତ୍ରରେ ଦେଶରେ ଏକ ମଡେଲ୍ ରାଜ୍ୟ ହୋଇପାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)