• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିଲା ନୂଆ ପ୍ଲାନ୍‌ । ଅନେକଙ୍କ ଆଶା ହେବ ପୂରଣ । କିଛି ଲୋକ ଚାହାନ୍ତି ପଶୁ- ପକ୍ଷୀମାନଙ୍କୁ ପୋଷ୍ୟ କରି ରଖିବେ । ହେଲେ ସେହି ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ଏବେ ସେମାନଙ୍କ ଆଶା ପୂରଣ ହେବାକୁ ଯାଉଛି । ଆପଣ ଚାହିଁଲେ ଯେକୌଣସି ପଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ । ଏଭଳି ସ୍କିମ୍‌ ଆଣିଛନ୍ତି ଦିଲ୍ଲୀ ନ୍ୟାସ୍‌ନାଲ ଜୁଲୋଜିକାଲ ପାର୍କ କର୍ତ୍ତୃପକ୍ଷ । ଏହି ନୂଆ ସ୍କିମ୍‌ ଅନୁଯାୟୀ, ଜଣେ ବ୍ୟକ୍ତି ଚାହିଁଲେ ଚିଡ଼ିଆଖାନା ଭିତରେ ଥିବା ଯେକୌଣସି ବି ପଶୁ କିମ୍ବା ପକ୍ଷୀକୁ ନିଜର ପୋଷ୍ୟ ଭାବେ ଗ୍ରହଣ କରିପାରିବେ । ଏଥିପାଇଁ ତାଙ୍କୁ କିଛି ଖର୍ଚ୍ଚ ଦେବାକୁ ପଡ଼ିବ । ତେବେ ଏହି ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ରହିବ ।

ନିୟମ ଅନୁଯାୟୀ, ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍‌ଅପ୍‌ କରିବାକୁ ହେବ । ଏହି ଫର୍ମ ନ୍ୟାସ୍‌ନାଲ ଜୁଲୋଜିକାଲ ପାର୍କର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ । ଏହି ଫର୍ମ ଫିଲ୍‌ଅପ୍‌ କରିବା ପରେ କିଛି ପାଉଣା ଦେବାକୁ ପଡ଼ିବ । ଚେକ୍‌ ମାଧ୍ୟମରେ ଏହି ପାଉଣା ଦେବାକୁ ହେବ । ତାହା ଆକାଉଣ୍ଟ ପେୟୀ ଚେକ୍‌, ଡିମାଣ୍ଡ ଡ୍ରାଫ୍ଟ, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ମାଧ୍ୟମରେ ଟଙ୍କା ଦେବାକୁ ହେବ ।

ତେବେ ଏହି ପାଉଣାର ପରିମାଣ, ଆପଣଙ୍କୁ ପସନ୍ଦ ଆସିଥିବା ପଶୁ–ପକ୍ଷୀଙ୍କ ଉପରେ ନିର୍ଭର କରେ । ସେମାନଙ୍କ ପାଇଁ ଯେତିକି ବାର୍ଷିକ ଖର୍ଚ୍ଚ ହୋଇଥାଏ ଆପଣଙ୍କୁ ସେତିକି ପାଉଣା ଦେବାକୁ ପଡ଼ିବ । ଏହି ପାଉଣା ଦେବା ପରେ ସଂସ୍ଥା ପକ୍ଷରୁ ଏକ ମେମ୍ବରସିପ୍‌ କାର୍ଡ ଦିଆଯିବ । ଯାହାଫଳରେ ଆପଣ ଭିଜିଟର୍ସଙ୍କ ପାଇଁ ଉଦ୍ଦିଷ୍ଟ ସମୟ ମଧ୍ୟରେ ଚିଡ଼ିଆଖାନା ଭିତରକୁ ଯାଇପାରିବେ । ଏହାର ନିଜର ପୋଷ୍ୟ ପଶୁ-ପକ୍ଷୀଙ୍କୁ ଦେଖିପାରିବେ । ଆଉ ସେମାନଙ୍କ ସୁଖ ଦୁଃଖ ମଧ୍ୟ ବୁଝିପାରିବେ ।

ହେଲେ ଏଥିରେ ଆଉ କିଛି ପ୍ରତିବନ୍ଧକ ମଧ୍ୟ ରହିଛି । କୌଣସି ମହାମାରୀ କିମ୍ବା କୌଣସି ରୋଗ ଯଦି ଚିଡ଼ିଆଖାନା ଭିତରେ ବ୍ୟାପିଥାଏ, ତେବେ ସେହି କାର୍ଡଧାରୀଙ୍କୁ ମଧ୍ୟ ଭିତରକୁ ପ୍ରବେଶ ନାହିଁ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା କେଉଁ ପଶୁ ପାଇଁ କେତେ ଟଙ୍କା ଦେବାକୁ ପଡ଼ିଥାଏ । ତେବେ ପୁଣି ଥରେ କହି ରୁଖୁଛୁ ଯେ, ଏହା ଆପଣଙ୍କ ମନ ପସନ୍ଦର ପଶୁ-ପକ୍ଷୀଙ୍କ ଉପରେ ନିର୍ଭର କରିଥାଏ । ସେମାନେ ଯାହା ଖାଇଥାନ୍ତି, ତାଉପରେ ହିଁ ନିର୍ଭର କରିଥାଏ ପୋଷ୍ୟ ପାଉଣା ।

ଯଦି ମୋଟାମୋଟି ଦେଖିବା ତେବେ ପକ୍ଷୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ବାର୍ଷିକ ୭୦୦ ଟଙ୍କା ଦେବାକୁ ହେବ । ସେହିଭଳି ସିଂହ, ବାଘ, ଜଳହସ୍ତି ଏବଂ ହାତୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ୬ ଲକ୍ଷ ଟଙ୍କା ପଇଠ କରିବାକୁ ହେବ। ତେବେ ଲିଓପାର୍ଡ ବା କଲରାପତଳରିଆ ବାଘକୁ ପୋଷ୍ୟ କରିବାକୁ ହେଲେ ୩ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ହେବ।

ଅନ୍ୟପଟେ ସମ୍ବର ଡିଅର, ସ୍ୱାମ୍ପ ଡିଅରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ବାର୍ଷିକ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ । ସେହିଭଳି ଗଧିଆ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ହେବ ଏବଂ ଗୟଳ ପାଇଁ ଦୁଇ ଲ’ ୨୫ ହଜାର ଟଙ୍କା ପୋଷ୍ୟ ପାଉଣା ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶୁ-ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାର ଆଉ ଏକ ନିୟମ ରହିଛି । ଆପଣଙ୍କୁ ମାତ୍ର ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ପୋଷ୍ୟ ଗ୍ରହଣ କରିବାକୁ ଅନୁମତି ମିଳିବ । ଏହାସହ ଚିଡ଼ିଆଖାନା କର୍ତ୍ତୃପକ୍ଷ ଯେତେବେଳେ ଚାହିଁବେ ଆପଣଙ୍କଠାରୁ ସେହି ଅଧିକାର ବି ଛଡ଼ାଇନେଇପାରିବେ । ଏମିତିକି ସେ ଦେଇଥିବା ଟଙ୍କା ମଧ୍ୟ ଫେରାଯିବ ନାହିଁ ବୋଲି ନିୟମ ରହିଛି । ଏହି ଚିଡ଼ିଆଖାନାରେ ପାଖାପାଖି ୧୨ ଶହ ପଶୁ-ପକ୍ଷୀ ଏବଂ ସରିସୃପ ରହିଛନ୍ତି ।

ଏହି ପୁରା ଖବର ପଢ଼ିସାରିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଆମ ଓଡ଼ିଶାରେ ଏମିତି ସ୍କିମ୍‌ ଅଛି ନା ନାହିଁ । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ସ୍କିମ୍‌ ଓଡ଼ିଶାର ଚିଡ଼ିଆଖାନା ନନ୍ଦନକାନନରେ ମଧ୍ୟ ରହିଛି । ଆପଣ ନନ୍ଦନକାନନରେ ମଧ୍ୟ କୌଣସି ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ।