ସୁଦର୍ଶନ ଚକ୍ର ଆଗରେ ପାଣି ପାଣି ପାକିସ୍ତାନ। ଅପରେସନ୍ ସିନ୍ଦୂର ପ୍ରହାରରେ ନିଜ ମାଟିରେ ଆତଙ୍କୀଙ୍କ ଆଡ୍ଡା ଧ୍ବଂସ ହେବା ପରେ ଲାଜ ବଞ୍ଚେଇବାକୁ ପାକିସ୍ତାନ ଯେଉଁ ଚାଲ୍ କରିଥିଲା, ତାକୁ ଚୁଟିକ୍ରେ ପଣ୍ଡ କରିଦେଇଛି ଭାରତର ସଶକ୍ତ ଏୟାର ଡିଫେନ୍ସ ସିଷ୍ଟମ୍। ଭାରତର ୧୫ଟି ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଛାଡ଼ିଥିବା ଗୋଟିଏ ବି ମିଜାଇଲ୍ କି ଡ୍ରୋନ୍ ସୁଦର୍ଶନ କବଚକୁ ଭେଦି ନପାରି ଧୂଳିଚାଟିଛି। ଏପଟେ ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୂରରେ ସଫା ହୋଇଛନ୍ତି ଅତିକମରେ ଶହେ ଆତଙ୍କୀ।
ପାକିସ୍ତାନ ଗାଲରେ ପୁଣି ଠାଏ । ସୁଦର୍ଶନ ଚକ୍ର ଦେଖୁ ଦେଖୁ ଫୁସ୍ ପାକ୍ ମିଜାଇଲ୍ । ଭାରତ ଖାଲି ଲାହୋରରେ ପାକିସ୍ତାନର ପ୍ରତିରକ୍ଷା ପ୍ରଣାଳୀକୁ ଧ୍ବଂସ କରିନି, ତା ପୂର୍ବରୁ ଗତରାତିରେ ଭାରତ ଉପରେ ଇସଲାମାବାଦର ଆକ୍ରମଣ ଉଦ୍ୟମକୁ ବିଲକୁଲ୍ ପଣ୍ଡ କରିଦେଇଛି। ଦେଖେଇ ଦେଇଛି ପାକିସ୍ତାନକୁ ତାରି ଔକାତ୍।
Also Read
ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଅପରେସନ୍ ସିନ୍ଦୂରରେ ବାଛି ବାଛି କେବଳ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଯାଇଥିବା ନେଇ ପୂରା ଭିଡିଓ ପ୍ରମାଣ ସହ ତଥ୍ୟ ରଖିବା ସତ୍ତ୍ବେ, କାଲି ଦେଶର 15ଟି ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଉପରେ ମିଲିଟାରି ଏୟାର ଷ୍ଟ୍ରାଇକର ଉଦ୍ୟମ କରିଥିଲା ପାକିସ୍ତାନ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ଥିବା ଏଇ ସବୁ ସହର ହେଲା ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ୍, ଫଲୋଦି, ଉତ୍ତରଲାଇ ଓ ଭୁଜ। ଉଭୟ ଡ୍ରୋନ୍ ଓ ମିଜାଇଲ୍ ଜରିଆରେ ଏସବୁ ସ୍ଥାନକୁ ଟାର୍ଗେଟ୍ କରିଥିଲା ଇସଲାମାବାଦ୍। ହେଲେ ଶସ୍ତା ପୁରୁଣାକାଳିଆ ଚାଇନା ଡିଫେନ୍ସ ସିଷ୍ଟମ୍ ଧରି ତୁଚ୍ଛା ତୋଡ୍ ଦେଖାଉଥିବା ଶତ୍ରୁଦେଶ ଜାଣି ନଥିଲା ଏସବୁକୁ ନାକାମ୍ କରିବା ପାଇଁ ଏଠି ତା ଗୋସେଇଁବାପ ସୁଦର୍ଶନ କବଚ ଜଗି ବସିଛି ବୋଲି। ସେପଟୁ ଯାହା ଆସିଲା ଟାର୍ଗେଟ୍ ଛୁଇଁବା ପୂର୍ବରୁ ସେସବୁକୁ ଆକାଶରେ ଗୋଟି ଗୋଟି କରି ଧ୍ବଂସ କଲା ଭାରତର ଶକ୍ତ ଏୟାର ଡିଫେନ୍ସ ସିଷ୍ଟମ୍ ବା ପ୍ରତିରକ୍ଷା ପ୍ରଣାଳୀ S-400 ସୁଦର୍ଶନ ଚକ୍ର। ଆଉ ରାତି ପାହିଲା ବେଳକୁ ସୁଦର୍ଶନ ଚକ୍ରର ସୁରକ୍ଷା ବଳୟକୁ ଭେତି ନପାରି କେମିତି ଖଣ୍ଡ ଖଣ୍ଡ ହେଇ ଗଡ଼ିଲା । କେଉଁଠି ମିଜାଇଲର ଖଣ୍ଡ ବିଖଣ୍ଡିତ ଅଂଶ ତ ଆଉ କେଉଁଠି ଗଡୁଥିଲା ଡ୍ରୋନର ଟୁକୁଡ଼ା। ଏଇ ଯେମିତି ବର୍ଡରରୁ 35-40 କିଲୋମିଟର ଦୂରରେ ଥିବା ପଞ୍ଜାବ ଅମୃତସରର ଏକ ଗାଁରେ ପଡ଼ିଥିବା ପାକ୍ ମିଜାଇଲର ଭଗ୍ନାଂଶ।
ତେବେ କ’ଣ ଏହି ସୁଦର୍ଶନ ଚକ୍ର। ପାକିସ୍ତାନ ମିଜାଇଲକୁ କେମିତି ଧୂଳି ଚଟାଇଲା ଏ ପ୍ରତିରକ୍ଷା ପ୍ରଣାଳୀ। ସହଜରେ ବୁଝିବାକୁ ହେଲେ ମନେ ପକାନ୍ତୁ ହମ୍ମାସ୍ ଆକ୍ରମଣ ବେଳେ ଇସ୍ରାଏଲକୁ ସୁରକ୍ଷା ଦେଇଥିବା ଆଇରନ୍ ଡୋମ୍ ଟେକ୍ନୋଲଜି ଉପରେ। ଶତ୍ରୁପକ୍ଷ ଆକ୍ରମଣରୁ ସବୁ ବେଳେ ଅଦୃଶ୍ୟ ଢାଲ ଭଳି ସୁରକ୍ଷା ଦେଇଥାଏ ଏୟାର ଡିଫେନ୍ସ ସିଷ୍ଟମ। ଆଉ ଋଷୀୟ ଟେକ୍ନୋଲଜି ପ୍ରୟୋଗରେ ଡିଆରଡିଓ ଦ୍ବାରା ନିର୍ମିତ S-400 ବା ସୁଦର୍ଶନ ଚକ୍ର ହେଉଛି ସେମିତି ଏକ ଅଚୁକ୍ ଏବଂ ସଶକ୍ତ ପ୍ରତିରକ୍ଷା ପ୍ରଣାଳୀ ଯାହା ଭାରତୀୟ ଆକାଶ ଉପରେ ସବୁ ବେଳେ ବାଜ ଆଖିରେ ସତର୍କ ନଜର ରଖିଥାଏ। ଶତ୍ରୁ ମିଜାଇଲ୍ କିମ୍ବା ଡ୍ରୋନ୍ ରାଡାର ପରିସରକୁ ଆସିବା ମାତ୍ରେ ଚିହ୍ନଟ କରି ମିଜାଇଲ ମାରି ମଝି ଆକାଶରୁ ହିଁ ଏହାକୁ ଖତମ୍ କରିଦିଏ।
ନଜର ପକାନ୍ତୁ ଏହାର ବିଶେଷତ୍ବ ଉପରେ...
-ସୁଦର୍ଶନ ଚକ୍ର ଏକାଥରକେ ଛାଡ଼ି ପାରିବ ୭୨ଟି ଲଙ୍ଗରେଞ୍ଜ ମିସାଇଲ୍
-40ରୁ 4 ଶହ କିଲୋମିଟର ରେଞ୍ଜରେ ହିଟ୍ କରିପାରିବ ଉଡ଼ନ୍ତା ଟାର୍ଗେଟ୍
-ଏହାର ମିଜାଇଲ୍ ସେକେଣ୍ଡକୁ 4 ହଜାର 8ଶହ ମିଟର ସ୍ପିଡରେ ଲକ୍ଷ୍ୟଭେଦ କରିବ
- ସିଗନାଲ୍ ମିଳିବାର 5ରୁ10 ମିନିଟ୍ ଭିତରେ ପ୍ରତିଆକ୍ରମଣ ପାଇଁ ରେଡ୍ଡୀ
-ଫାଇଟର ଜେଟ୍, କ୍ରୁଜ୍ ଓ ବାଲିଷ୍ଟିକ୍ ମିସାଇଲକୁ ପ୍ରତିହତ କରିବାର କ୍ଷମତା
ଅଧିକ ପଢ଼ନ୍ତୁ: ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ...
ଏପଟେ ମଙ୍ଗଳବାର ରାତିରେ ଅପରେସନ୍ ସିନ୍ଦୂରର ପ୍ରଥମ ପ୍ରହାର ପରେ ସଫା ହୋଇଛନ୍ତି ଶହେରୁ ଊର୍ଦ୍ଧ୍ବ ଆତଙ୍କୀ। ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଏଇ ସୂଚନା ଦେବା ସହ ଅପରେସନ୍ ସିନ୍ଦୂର ଜାରି ରହିଥିବା କହିଛନ୍ତି। ପରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ରାଜନାଥ ଅପରେସନ ସିନ୍ଦୂରର ପ୍ରଶଂସା କରିବା ସହ ଆମ ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରିବାର ଦୁଃସାହାସ କଲେ ଦଶା ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ବି ଦେଇଛନ୍ତି।
ସର୍ବଦଳୀୟ ବୈଠକରେ ଭାରତୀୟ ସେନା ସହ ଭାରତ ସରକାରଙ୍କ ସମସ୍ତ ପଦକ୍ଷେପକୁ ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନ ଘୋଷଣା ପରେ, ଏବେ ତ୍ରାହି ତ୍ରାହି ଡାକିଲାଣି ପାକିସ୍ତାନ।