• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

‘ବିବାହର ୨୨ ବର୍ଷ ମଧ୍ୟରେ ହୋଲି ଅବସରରେ ବାପ ଘରକୁ ଯାଇପାରି ନାହାନ୍ତି ପତ୍ନୀ। ଏଥିପାଇଁ ସେ ରାଗିଛନ୍ତି। ତେଣୁ ହୋଲିରେ ସ୍ୱାମୀଙ୍କ ସହ ନିଜ ବାପ ଘରକୁ ଯିବା ପାଇଁ ପତ୍ନୀ ଜିଦ୍‌ କରୁଛନ୍ତି। ଦୟାକରି ଛୁଟି ଆବେଦନକୁ ମଞ୍ଜୁର କରନ୍ତୁ’...ଜଣେ ପୋଲିସ୍‌ ବାବୁଙ୍କ ଏଭଳି ଛୁଟି ଆବେଦନ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।ପତ୍ନୀଙ୍କ ରାଗକୁ ଶାନ୍ତ କରିବା ପାଇଁ ଛୁଟି ପାଇଁ ପୋଲିସ୍‌ ବାବୁଙ୍କ ଏଭଳି ନିଆରା ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ୍‌ ଇନ୍ସପେକ୍ଟର ଏହି ଛୁଟି ଆବେଦନ କରିଛନ୍ତି।

ହୋଲିରେ ଶାନ୍ତି, ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ୍‌ କର୍ମୀଙ୍କୁ ଆଲର୍ଟରେ ରଖାଯାଇଥିବା ବେଳେ ଅଧିକାଂଶ ପୋଲିସ୍‌ କର୍ମୀଙ୍କ ଛୁଟି ବାତିଲ୍‌ କରାଯାଇଛି। ହେଲେ ୟୁପି ପୋଲିସ୍‌ ବିଭାଗର ଏହି ପୋଲିସ୍‌ ଅଧିକାରୀ ଏଭଳି କିଛି ସମସ୍ୟା କହି ୧୦ ଦିନ ଛୁଟି ଆବେଦନ କରିଛନ୍ତି। ଯାହକୁ ନେଇ ପୋଲିସ୍‌ ଅଧିକାରୀ ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ଏସ୍‌ପି ତାଙ୍କୁ ୫ ଦିନ ଛୁଟି ମଞ୍ଜୁର କରିଥିଲେ।

ସୂଚନା ଅନୁସାରେ, ଛୁଟି ମଞ୍ଜୁର ଲାଗି ପୋଲିସ୍‌ ବିଟ୍‌ ଆଣ୍ଡ୍‌ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ସେଲ୍‌ର ଇନ୍ସପେକ୍ଟର ତଥା ଇନ୍‌-ଚାର୍ଜ ଅଶୋକ କୁମାର, ଏସ୍‌ପି ଅଶୋକ କୁମାର ମୀନାଙ୍କ ପାଖକୁ ଏଭଳି ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ, ‘ବିବାହର ୨୨ ବର୍ଷ ମଧ୍ୟରେ ଆବେଦନକାରୀଙ୍କ ପତ୍ନୀ ହୋଲି ଅବସରରେ ବାପ ଘରକୁ ଯାଇପାରି ନାହାନ୍ତି। ଏଥିପାଇଁ ସେ ବହୁତ ରାଗିଛନ୍ତି। ତେଣୁ ହୋଲିରେ ପତ୍ନୀ, ସ୍ୱାମୀଙ୍କ ସହ ନିଜ ବାପ ଘରକୁ ଯିବା ପାଇଁ ପତ୍ନୀ ଜିଦ୍‌ କରୁଛନ୍ତି। ଏହି କାରଣରୁ ଛୁଟିର ଆବଶ୍ୟକତା ରହିଛି। ସାର୍‌, ଅନୁରୋଧ କରୁଛି ଆବେଦନକାରୀଙ୍କ ସମସ୍ୟାକୁ ବିଚାର କରି ମାର୍ଚ୍ଚ ୪ରୁ ୧୦ ଦିନ ପର୍ଯ୍ୟନ୍ତ ଛୁଟି ମଞ୍ଜୁର କରନ୍ତୁ’। 

ପୋଲିସ୍‌ ଅଧିକାରୀଙ୍କ ଏଭଳି ଆବେଦନ ଦେଖଇ ଏସ୍‌ପି ପ୍ରଥମେ ହସିଥିଲେ। ଏହାପରେ ସେ ୫ ଦିନ ଛୁଟି ମଞ୍ଜୁର କରିଥିଲେ। ତେବେ ପୋଲିସ୍‌ ବାବୁଙ୍କ ଏହି ଚିଠି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।