Advertisment

ଆଉ ଅଛପା ରହିବନି ବ୍ୟାଙ୍କର ଅନକ୍ଲେମଡ ଡିପୋଜିଟ୍

ତଥ୍ୟ କହୁଛି ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଛି ୪୫ ହଜାର କୋଟିରୁ ଅଧିକ ଟଙ୍କାର ଦାବି ବିହୀନ ଡିପୋଜିଟ୍ । ଯାହାକୁ ଜମା ରଖିଥିବା ଗ୍ରାହକ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଫେରାଇବାକୁ କରାଯିବ ଉଦ୍ୟମ ।

author-image
Manoranjan Behera
undefined

Unclaimed Deposits

ଆପଣଙ୍କର କୌଣସି ବ୍ୟାଙ୍କରେ ଟଙ୍କା ଜମା ଅଛି, ହେଲେ ଆଉ ମନେ ନାହିଁ । କେହି ସଂପର୍କୀୟ ବ୍ୟାଙ୍କରେ ଟଙ୍କା ରଖିଥିଲେ କିନ୍ତୁ ତାଙ୍କ ଦେହାନ୍ତ ପରେ କେତେ ଟଙ୍କା ଅଛି ଜାଣି ପାରୁନାହାନ୍ତି । ସେଭଳି କ୍ଷେତ୍ରରେ ଜମା ରାଶିର ତଥ୍ୟକୁ ସହଜରେ ଜଣାଇବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ଖୋଲିଛି ଉଦଗମ୍ ନାମକ ଏକ ପୋର୍ଟାଲ୍ । କେମିତି ଏଥିରେ ସାମାନ୍ୟ ତଥ୍ୟ ଦେଇ ଡିଟେଲ୍ସ ପାଇ ପାରିବେ ଆସନ୍ତୁ ଜାଣିବା ।

Advertisment

ବ୍ୟାଙ୍କରେ ଆପଣଙ୍କର ନାହିଁ ତ କୌଣସି ଅନକ୍ଲେମଡ ଡିପୋଜିଟ୍ ? ଆପଣ ହୁଏତ ଭୁଲିଯାଇଥିବା ଜମା ଟଙ୍କା ହେଉ ବା କୌଣସି ମୃତ ବ୍ୟକ୍ତିଙ୍କ କଷ୍ଟର୍ଜିତ ଧନ । ଯଦି ଏ ସମ୍ପର୍କରେ ଜାଣି ହେଉନି, ତାହେଲେ ବ୍ୟସ୍ତ ହେବାର ନାହିଁ । କାରଣ ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶୁଭାରମ୍ଭ ହୋଇଛି ସ୍ୱତନ୍ତ୍ର ପୋର୍ଟାଲ- ଉଦଗମ୍ । ଯାହା ଦ୍ୱାରା ନିଜ ଦାବି ହୀନ ବ୍ୟାଙ୍କ ଜମା ସମ୍ପର୍କରେ ସହଜରେ ଜାଣି ହେବ ।

ତଥ୍ୟ କହୁଛି ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଛି ୪୫ ହଜାର କୋଟିରୁ ଅଧିକ ଟଙ୍କାର ଦାବି ବିହୀନ ଡିପୋଜିଟ୍ । ଯାହାକୁ ଜମା ରଖିଥିବା ଗ୍ରାହକ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଫେରାଇବାକୁ କରାଯିବ ଉଦ୍ୟମ । ପ୍ରାରମ୍ଭିକ ଭାବେ ଲୋକମାନେ ଏସବିଆଇ, ପିଏନବି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଧନଲକ୍ଷ୍ମୀ ବ୍ୟାଙ୍କ, ସାଉଥ ଇଣ୍ଡିଆନ ବ୍ୟାଙ୍କ, ଡିବିଏସ୍ ବ୍ୟାଙ୍କ ଓ ସିଟି ବ୍ୟାଙ୍କରେ ଥିବା ଜମାରାଶି ସମ୍ପର୍କରେ ଜାଣି ପାରିବେ । ପର୍ଯ୍ୟାୟକ୍ରମେ ଅକ୍ଟୋବର ୧୫ ସୁଦ୍ଧା ସବୁ ବ୍ୟାଙ୍କର ଦାବି ହୀନ ଜମାରାଶି ତଥ୍ୟ ଉଦଗମ୍ ପୋର୍ଟାଲରେ ଉପଲବ୍ଧ ପାଇଁ ଚେଷ୍ଟା ଚାଲିଛି । 

Advertisment

ତେବେ ଏଠି ପ୍ରଶ୍ନ- କେମିତି ଏହି ପୋର୍ଟାଲରୁ ଜାଣି ହେବ ଦାବି ହୀନ ତଥ୍ୟ ? ଏଥିପାଇଁ ଦରକାର କି କି ଡକ୍ୟୁମେଣ୍ଟ ? ବ୍ୟାଙ୍କରଙ୍କ କହିବା କଥା, ଉପଭୋକ୍ତାମାନେ ପ୍ରଥମେ ଏହି ପୋର୍ଟାଲରେ ନିଜ ମୋବାଇଲ ନମ୍ବର, ନାଁ ଓ ପାସୱାର୍ଡ ଦେଇ ପଞ୍ଜୀକରଣ କରିବେ । ଏହାପରେ ଲଗଇନ୍ କରି ଉପଭୋକ୍ତାଙ୍କ ନାଁ ଓ ବ୍ୟାଙ୍କ ନାଁ ଦାଖଲ କରିବେ । ଏଥିସହ ପ୍ୟାନ୍, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ନମ୍ବର କିମ୍ବା ଜନ୍ମ ତାରିଖ ତଥ୍ୟ ମଧ୍ୟରୁ କୌଣସି ଗୋଟିଏ ଦେଇ ସହଜରେ ଦାବିହୀନ ବ୍ୟାଙ୍କ ଜମା ସମ୍ପର୍କରେ ଜାଣିପାରିବେ ।

ତେବେ ଏଠି ପ୍ରଶ୍ନ କଣ ଏହି ଅନକ୍ଲେମଡ ଡିପୋଜିଟ୍ ? ବ୍ୟାଙ୍କରଙ୍କ ସୂଚନା ଅନୁସାରେ ଯଦି ବ୍ୟାଙ୍କରେ ଥିବା ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟ ବା ଫିକ୍ସଡ ଡିପୋଜିଟରେ ଥିବା ଅର୍ଥ କ୍ରମାଗତ ୧୦ ବର୍ଷ ଧରି ଚାଲୁ ନହୁଏ, ତାକୁ ଅନକ୍ଲେମଡ ଡିପୋଜିଟ୍ ଭାବେ ବିବେଚନା କରାଯାଏ । ପରବର୍ତ୍ତୀ ସମୟରେ ଏହା RBI ଦ୍ୱାରା ପରିଚାଳିତ ଜମାକରୀ ଶିକ୍ଷା ଓ ସଚେତନତା ପାଣ୍ଠିକୁ ଚାଲିଯାଏ ।

ସୂଚନା ଅନୁସାରେ ଓଡ଼ିଶାରେ କେବଳ ଏସବିଆଇରେ ୯ ହଜାର ଆକାଉଣ୍ଟରେ ଅଛି ୭୮ କୋଟିର ଦାବିହୀନ ଜମା । ସେଥିମଧ୍ୟରୁ ଏବେସୁଦ୍ଧା ମାତ୍ର ୬ଶହ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରାଯାଇ ପାରିଛି । ଅନେକ ଲୋକ ବ୍ୟାଙ୍କରେ ଖାତା ଖୋଲିବା ସମୟରେ ଉପଯୁକ୍ତ ତଥ୍ୟ ଦେଉନଥିବାରୁ ଏଥିରେ ଅସୁବିଧା ହେଉଛି। ତା’ସହ ବ୍ୟାଙ୍କିଂ ବିଶେଷଜ୍ଞଙ୍କ କହିବା କଥା, କେବଳ ଦାବିହୀନ ତଥ୍ୟ ସମ୍ପର୍କରେ ଜଣାଇଲେ ଚଳିବ ନାହିଁ, କିଭଳି ଏହା ସୁବିଧାରେ ଖାତାଧାରୀଙ୍କ ସମ୍ପର୍କୀୟଙ୍କ ନିକଟକୁ ଆସିବ, ସେନେଇ ମଧ୍ୟ ବ୍ୟବସ୍ଥା ହେବା ଉଚିତ ।

ଏବେ ଅପେକ୍ଷା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏ ବ୍ୟବସ୍ଥା ଦାବି ବିହୀନ ଜମା ଟଙ୍କା ଫେରିବାରେ କେତେ ସମର୍ଥ ହେଉଛି ।

RBI
Advertisment
Advertisment