• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା । ଦୁଇ ଦୁଇ ମାସ ଧରି ଘଟଣାକୁ ମିଳିମିଶି ଚପାଇ ଦେବାକୁ ରଚାଯାଇଥିବା ଷଡ଼ଯନ୍ତ୍ର ଭିତରେ ପୋଲିସର  କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠୁଛି । କାରଣ ପୋଲିସ ନା ମାମଲା ରୁଜୁ କରିଛି ନା କାହାକୁ ଗିରଫ କରିଛି । କେବଳ ବିଜେଡ଼ି ଲିଙ୍କ୍ ଅଭିଯୋଗ ପରେ ଧର୍ମକୁ ଆଖିଠାର ଭଳି ଦଳରୁ ନିଲମ୍ବିତ ଶରତ ନାୟକଙ୍କୁ ପଚରାଉଚରା କରି ଛାଡ଼ିଦେଇଛି । ଯାହାକୁ ନେଇ ଆଜି ବର୍ଷିବା ସହ ପୋଲିସ ଓ ରାଜ୍ୟ ସରକାରଙ୍କୁ ନିଶାନା
କରିଛନ୍ତି ବିରୋଧୀ ।

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ? ମାମଲା ପଛରେ ବିଜେଡି ଲିଙ୍କ୍ ଅଭିଯୋଗ ଥିବାରୁ ପୋଲିସ ହାତମାପି ଚାଖଣ୍ଡେ ଚାଲୁଛି କି ? ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଭାଇରାଲ୍ ଅଡ଼ିଓ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଶରତ ନାୟକଙ୍କୁ ପଚରାଉଚରା କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ ଶରତ ନାୟକଙ୍କଠୁ ତଥ୍ୟ ଆଦାୟ କରିଛି ।

ଅଡ଼ିଓ ପଛର ସତ କ’ଣ ? ମୃତ ଛାତ୍ରୀର ଶବବ୍ୟବଛେଦ ନକରି ତାକୁ ପୋଡ଼ିବା ସହ ପାଉଁଶକୁ ନଦୀରେ ଭସାଇଲା କିଏ ? କେଉଁ ପରିସ୍ଥିତିରେ ସଂପୃକ୍ତ ଛାତ୍ରୀ ପ୍ରାଣ ହରାଇଥିଲେ ? ପୋଲିସ ଓ ସାମ୍ବାଦିକ ଟଙ୍କା ମାଗୁଛନ୍ତି ବୋଲି କହିବା ପଛର କାରଣ କ’ଣ ? ଏଭଳି ଏକାଧିକ ସମ୍ଭାବ୍ୟ ପ୍ରଶ୍ନ ପଚାରି ପୋଲିସ ବୟାନ ରେକର୍ଡ କରିବା ପରେ ଶରତଙ୍କୁ ଛାଡ଼ି ଦେଇଥିବା କୁହାଯାଉଛି ।

ଗତକାଲି କ୍ରୀଡ଼ା ଶିକ୍ଷକ ଅନୁପ ରାୟ ଓ ମା’ ବିଜୟଲକ୍ଷ୍ମୀଙ୍କୁ ପଚରାଉଚରା କରିଥିବାବେଳେ ଆଜି ଶରତଙ୍କ ବୟାନ ରେକର୍ଡ କରିଛି ପୋଲିସ । କିଛି ଶିକ୍ଷକଙ୍କଠୁ ବି ପୋଲିସ ତଥ୍ୟ ନେଇଛି । କଟକ ଅତିରିକ୍ତ ଏସପି କହିଛନ୍ତି, ବୟାନ ରେକର୍ଡ ଆଉ ଭେରିଫିକେସନ ଚାଲିଛି । ହେଲେ ପୋଲିସ କାହିଁକି ମାମଲା ରୁଜୁର ନାଁ ଧରୁନି ? ତାକୁ ନେଇ ପୋଲିସ ଏବେ କାଠଗଡ଼ାରେ ଛିଡ଼ା ହୋଇଛି ।

ଏଭଳି ସ୍ଥିତିରେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଚର୍ଚ୍ଚାରେ ଥିବା ତତ୍କାଳୀନ ଟାଙ୍ଗି ଥାନା ଅଧିକାରୀ ତଥା ଏବର ସାଲେପୁର ଏସଡିପିଓ ବିମଳ ବାରିକ ଏଥର ବି ଚର୍ଚ୍ଚାରେ। କାରଣ ଆଇଆଇସିଙ୍କ ସହ ଏସଡିପିଓ ଟଙ୍କା ମାଗୁଥିବା କଥା ରହିଛି ଶରତ ନାୟକଙ୍କ ଅଡ଼ିଓରେ । ତେବେ ଏ ଦିଗକୁ କାହିଁକି ଏଯାଏଁ ତଦନ୍ତ ପରିସରଭୁକ୍ତ କରିନି ପୋଲିସ ? ଛାତ୍ରୀ ମୃତ୍ୟୁ ପଛରେ ପୋଲିସ ଆଉ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ ଉଠୁଥିବାରୁ ଆଇନ ତା’ ବାଟରେ ଯିବ ତ ? କଟକ  ଗ୍ରାମାଞ୍ଚଳ ଏସପି କହିଛନ୍ତି, ଯିଏ ବି ସଂପୃକ୍ତ ଥାଆନ୍ତୁ କାହାକୁ ଛଡ଼ାଯିବନି ।

ଏସବୁ ଭିତରେ ବିବାଦ ବଢ଼ିବା ପରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନୁଗତ କୁହାଯାଉଥିବା ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କରିଛି କଟକ ଜିଲ୍ଲା ବିଜେଡି । ଏଭଳି ସ୍ଥିତିରେ ବିଜେଡିକୁ ଘେରିଛନ୍ତି ବିରୋଧୀ । ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେପି ଦାବି କରିଛି । ସେହିପରି କଂଗ୍ରେସ ବି ବିଜେଡିକୁ ନିଶାନା କରିଥିବାବେଳେ ବିଜେଡି କହିଛି, ଯିଏ ଦୋଷୀ ସିଏ ଦଣ୍ଡିତ ହେବେ । ତେବେ ଏନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

  • Reported by:
  • DEBASHISH MOHANTY , SOUMYA RANJAN SAHOO , Manoj Acharya