/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747065867.jpg)
Lovers' Scuffle at Wedding
ରାଜଧାନୀରେ ଦଗାଦିଆ ପ୍ରେମିକକୁ ନାକେଦମ୍ କଲେ ପ୍ରେମିକା। ଦୀର୍ଘଦିନର ପ୍ରେମ ସଂପର୍କକୁ ବିଶ୍ବାସ କରି ବିବାହ ଆଶାରେ ନିର୍ବନ୍ଧ ସାରିଥିଲେ ପ୍ରେମିକ ସହ। କିନ୍ତୁ ସେହି ପ୍ରେମିକ ଯେତେବେଳେ ଅନ୍ୟ ଯୁବତୀ ମଥାରେ ସିନ୍ଦୂର ଭରି ସାତ ଜନ୍ମର ସାଥୀ କଲେ, କଥା ପ୍ରଘଟ ପରେ ପାନେ ଦେଲେ ପ୍ରେମିକା। ରିସେପ୍ସନ୍ ପାର୍ଟିରେ ପହଞ୍ଚି ଭଙ୍ଗାରୁଜା ସହ ହଙ୍ଗାମା କଲେ। ପୋଲିସକୁ ଡକାଇ ଥାନାରେ ଦେଲେ। ଶେଷରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡ଼ିଛି।
ଜଣଙ୍କ ସହ ନିର୍ବନ୍ଧ, ଅନ୍ୟ ଜଣଙ୍କ ସହ ବିବାହ ! ପ୍ରେମିକ ବାହାଘର ଭୋଜିରେ ପ୍ରେମିକାର ହଙ୍ଗାମା । ଅଧା ଖିଆରୁ ଫେରିଲେ ଅତିଥି, ଥାନାରେ ଅଟକ ବର । ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ବର ଅଛନ୍ତି, ନବବିବାହିତା କନ୍ୟା ବି ଅଛନ୍ତି। ତା’ସହ ଅଛନ୍ତି ବନ୍ଧୁବାନ୍ଧବ। ଆଉ ସମସ୍ତଙ୍କ ଉପସ୍ଥିତିରେ ମାରପିଟ୍, ଘୋଷଡ଼ା ଘୋଷଡ଼ି। ଯିଏ ଯାହାକୁ ପାରିଲେ ତଳେ ପକାଇଲେ। ପ୍ରୀତି ଭୋଜନବେଳେ ଅପ୍ରୀତିକର ସ୍ଥିତି। ଆଉ ଏହି ମହାଭାରତ ପଛର ମୁଖ୍ୟ ନାୟିକା ହେଲେ ବରଙ୍କ ପ୍ରେମିକା। ରବିବାର ରାତି। ଭୁବନେଶ୍ବରର ଧଉଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ମଣ୍ଡପରେ ଚାଲିଥିଲା ରିସେପ୍ସନ୍ ପାର୍ଟି। ଠିକ୍ ଏହି ସମୟରେ ପହଞ୍ଚିଥିଲେ ନବବିବାହିତ ଯୁବକଙ୍କ ପ୍ରେମିକା। ଆଉ ଭଣ୍ଡୁର କରିଦେଲେ ପାର୍ଟି। ଶେଷରେ ପୋଲିସ ପହଞ୍ଚି ଷ୍ଟେଜ ଉପରୁ ବରକୁ ଉଠାଇ ଆଣିଥିଲା ଥାନାକୁ।
ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍
ଯୁବତୀଙ୍କ ଅଭିଯୋଗ, ୨୦୨୧ରୁ ଏହି ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ। ଗତବର୍ଷ ମାର୍ଚ୍ଚରେ ଦୁଇ ପରିବାର ସହମତିରେ ସରିଥିଲା ଉଭୟଙ୍କ ନିର୍ବନ୍ଧ। କିନ୍ତୁ ବର୍ଷେ ପରେ ତାଙ୍କୁ ବିବାହ ନକରି ଅନ୍ୟ ଜଣେ ଯୁବତୀଙ୍କୁ କରିଥିଲେ ବିବାହ। ଆଉ ରବିବାର ଏହି ମଣ୍ଡପରେ ଆୟୋଜନ କରିଥିଲେ ରିସେପସନ୍ ପାର୍ଟି। ଏହି ଖବର ପାଇ ଲିଙ୍ଗରାଜ ଓ ଧଉଳି ଥାନା ପୋଲିସକୁ ଧରି ପହଞ୍ଚିଥିଲେ ପ୍ରେମିକା। ଆଉ ହଙ୍ଗାମା କରିଥିଲେ । ସ୍ଥିତି ଏଭଳି ହେଲା ଯେ, ଖାଦ୍ୟ ପଦାର୍ଥ ଛିନଛତ୍ର ହୋଇଯାଇଥିଲା। ଗଣ୍ଡଗୋଳ ହେବାରୁ ନିମନ୍ତ୍ରିତ ଅତିଥି ବି ଫେରିଗଲେ ମୁହଁ ମୋଡ଼ି।
ଯୁବତୀଙ୍କ ଏତଲା ଆଧାରରେ ଲିଙ୍ଗରାଜ ପୋଲିସ ବିଏନଏସ୍ ଧାରା-୩୧୮(୪) ଅର୍ଥାତ ଠକେଇ ମାମଲା ରୁଜୁ କରିଛି। ତା’ସହ ଧାରା ୪୧ ଅନୁସାରେ ସର୍ତ୍ତମୂଳକ ଭାବେ ନୋଟିସ୍ ଦେଇ ଛାଡ଼ିଛି ସଂପୃକ୍ତ ଯୁବକଙ୍କୁ। କୁହାଯାଉଛି, ଯୁବକ ଜଣକ ଯୁବତୀଙ୍କ ପକ୍ଷରୁ ଖର୍ଚ୍ଚ ହୋଇଥିବା ନିର୍ବନ୍ଧ ବାବଦ ଅର୍ଥ ସହ ମୁଦି ଫେରସ୍ତ ପାଇଁ ଉଭୟ ପକ୍ଷ ମଧ୍ୟରେ ରାଜିନାମା ହୋଇଛି। ଏ ସଂପର୍କରେ ଉଭୟଙ୍କ ପକ୍ଷ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)