• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଭୁଶୁଡ଼ିବାକୁ ନେଇ ରାଜନୀତି ଜୋର ଧରିଛି । ଦୁର୍ଘଟଣା ପାଇଁ ଗୁଜୁରାଟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ଆମ୍ ଆଦମି ପାର୍ଟି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୁରନ୍ତ ପଦରୁ ଇସ୍ତଫା ଦେବା ଉଚିତ ବୋଲି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିବାଲ କହିଛନ୍ତି । ସେହିପରି ବିରୋଧି କଂଗ୍ରେସ, ଶିବସେନା ମଧ୍ୟ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ, ଏଭଳି ପ୍ରସଙ୍ଗକୁ ନେଇ ବିଜେପିକୁ ହରଡ଼ଘଣାରେ ପକାଇବା ପାଇଁ ବିରୋଧୀଙ୍କ ଭରପୁର ପ୍ରୟାସ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗତକାଲି ଗୁଜୁରାଟ ଗସ୍ତ କରିଥିବାବେଳେ, ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓକୁ ଭାଇରାଲ୍ କରାଯାଉଛି । ୨୦୧୬ ମାର୍ଚ୍ଚ ୩୧ରେ ବିଧାନସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗର ଓଭର ବ୍ରିଜ୍ ଭୁଶୁଡ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଯେଭଳି ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଥିଲେ, ଏବେ ମୋର୍ବି ଘଟଣା ସହ ଯୋଡ଼ି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

ତେଣେ ଗୁଜରାଟରେ କ୍ଷମତା ଦଖଲ ପାଇଁ ଜୋରଦାର ପ୍ରୟାସ ଚଳାଇଥିବା ଆମ୍ ଆଦମି ପାର୍ଟି ଏହାକୁ ଏକ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିବା ଚକ୍କରରେ ରହିଛି । ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଉଭୟ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିବା ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୁରନ୍ତ ନିଜ ପଦରୁ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି । ମୋର୍ବି ପୋଲ ଭୁଶୁଡ଼ିବା ରାଜ୍ୟ ସରକାରଙ୍କ ଦୁର୍ନୀତିର ପରିଣାମ ବୋଲି ସେ ଅଭିଯୋଗ କରିଛନ୍ତି । ଅଜନ୍ତା ଓ ଓରେଭାକୁ ଇଙ୍ଗିତ କରି ସେ ପ୍ରଶ୍ନ କରିଛନ୍ତି ଯେ, ଯେଉଁ କଂପାନି ଘଣ୍ଟା ତିଆରି କରୁଛି, ତାକୁ ପୋଲ ନିର୍ମାଣର ଠିକା ଦେବା କାରଣ କଣ?

ଝୁଲାପୋଲ ଭୁଶୁଡ଼ିବା ପଛରେ ମୋର୍ବିର ପ୍ରଶାସନର ଅବହେଳା ଓ କୁଶାସନକୁ ଦାୟୀ କରିଛନ୍ତି ବିରୋଧୀ । ଘଟଣାକୁ ନେଇ ଦୁଃଖ ପ୍ରକାଶ ସହ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବାକୁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଏହାସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦଳ ଦାବି କରିଛି । ତେବେ ଭାରତ ଯୋଡ଼ୋ ଯାତ୍ରାବେଳେ ମୃତକଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛି କଂଗ୍ରେସ । ଟଙ୍କା ପାଇଁ ନିର୍ମାଣ କାର୍ଯ୍ୟ ଓ ଗୁଣବତ୍ତା ସହ ସାଲିସ କରାଯାଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ।

ସେପଟେ ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘଟଣାକୁ ଅତି ଚତୁରତାର ସହ ମ୍ୟାନେଜ୍ କରିବାକୁ ପ୍ରୟାସ ଜାରି ରଖିଛି କ୍ଷମତାସୀନ ବିଜେପି । ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରପଦକ୍ଷେପ ନେଇଛନ୍ତି । ତା ସହିତ ଏହାକୁ ନେଇ ଯେଉଁ ସବୁ ପରିସ୍ଥିତି ଉପୁଜିଛି, ତା ଉପରେ ମଧ୍ୟ ଶାସକ ଦଳ କଡ଼ା ନଜର ରଖିଛି । ପ୍ରଧାନମନ୍ତ୍ରୀ ଅନୁକଂପାମୂଳକ ସହାୟତା ଘୋଷଣା କରିଥିବାବେଳେ ଅମିତ ଶାହ ନିଜେ ଘଟଣାର ସିଧାସଳଖ ଅନୁଧ୍ୟାନ କରୁଛନ୍ତି । ଏହାସହ ଘଟଣାର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ସରକାର । ଘଟଣା ପାଇଁ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କାହା ଭୁଲ ପାଇଁ ଏଭଳି ଏକ ଘଟଣା ଘଟିଲା, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ସରକାର ରହିଛନ୍ତି ।

ଗୁଜୁରାଟ ଗସ୍ତରେ ପୂର୍ବରୁ ସୋମବାର ରାତିରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ତେଣେ ଝୁଲାପୋଲ ଟ୍ରାଜେଡିର ନ୍ୟାୟିକ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଥିସହ ସବୁ ରାଜ୍ୟକୁ ପୁରୁଣା ନିର୍ମାଣର ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ମଧ୍ୟ ଆବେଦନ ହୋଇଛି । ସୁପ୍ରିମକୋର୍ଟ ଏହି ପିଆଇଏଲର ଶୁଣାଣି ନଭେମ୍ବର ୧୪ରେ କରିବେ ।