• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦୁଆ ମାଙ୍କଡ଼ ପାଇଁ ନାକେଦମ୍‌ ଦୋକାନୀ ଓ ସାଧାରଣ ଜନତା । ଲୋକେ ମଦ ପିଇ ମାତାଲ ହୋଇ ଗଡ଼ୁଥିବା କିମ୍ବା ଗଣ୍ଡଗୋଳ କରୁଥିବା ଖବର ଆପଣ ଶୁଣିଥିବେ । କିନ୍ତୁ ମଦ ପିଇ ମାଙ୍କଡ଼ ଯେ ଉତ୍ପାତ କରିବ, ତାହା ସମସ୍ତଙ୍କ କଳ୍ପନା ବାହାରେ । ଉତ୍ତରପ୍ରଦେଶର ରାଏବରେଲିରେ ବର୍ତ୍ତମାନ ଏକ ମାଙ୍କଡ଼ ମଦ ପିଉଥିବା ଭିଡିଓ ଭାଇରାଲ୍‌ ହୋଇଛି । ମାଙ୍କଡ଼ ମଦ ପିଇବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ମଧ୍ୟ କରୁଛି । ଆଉ ମଦ ନମିଳିଲେ ଲୋକଙ୍କୁ କାମୁଡ଼ିବା ପାଇଁ ଗୋଡ଼ାଉଛି ।

ମାଙ୍କଡ଼ଟି ମଣିଷ ପରି କେନ୍‌ରୁ ଢକ୍‌ ଢକ୍‌ କରି ବିୟର ପିଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତାକୁ ଏମିତି ମଦ ନିଶା ଘାରିଛି ଯେ, ଯେତେବେଳେ ଇଚ୍ଛା ମଦ ଦୋକାନକୁ ପଶିଯାଉଛି । ଆଉ କେତେବେଳେ ଗ୍ରାହକଙ୍କ ଠାରୁ ତ କେତେବେଳ ଦୋକାନରୁ ମଦ ଚୋରାଇ ନେଇଯାଉଛି । ଫଳରେ ମଦ ଦୋକାନ ମାଲିକ ଚିନ୍ତାରେ ପଡ଼ିଛନ୍ତି । ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେବା ଫଳରେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ମନ ଇଚ୍ଛା ମଦ ଚୋରି କରି ନେଇଯାଉଛି ମାଙ୍କଡ଼ । ଶେଷରେ ସେ ମାଙ୍କଡ଼ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ମଦ ଦୋକାନର ଜଣେ କର୍ମଚାରୀ କହିଛନ୍ତି, ମାଙ୍କଡ଼ଟି ଲଗାତାର ଦୋକାନକୁ ଆସୁଥିବା ବେଳେ ଦୋକାନରୁ ମଦ ବୋତଲ ଚୋରି କରି ନେଇଯାଉଛି । ଆଉ ମଦୁଆ ମାଙ୍କଡ଼କୁ ଘଉଡ଼ାଇବାକୁ ଚାହିଁଲେ, ସେ ଲୋକଙ୍କୁ ଗୋଡ଼ାଉଛି । ଖତେଇ ହୋଇ ଆକ୍ରମଣ କରିବା ପାଇଁ ପଛରେ ଧାଉଁଛି । ଫଳରେ ଭୟରେ ଲୋକମାନେ ତା’ ପାଖ ମାଡ଼ିବା ପାଇଁ ଡରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ମାଙ୍କଡ଼ଟି ଅତ୍ୟଧିକ ଉତ୍ସାହର ସହିତ ବୋତଲ ଉଠାଇ ମଦ ପିଇବାରେ ବ୍ୟସ୍ତ ଅଛି । ମଦ ପିଇ ସତେକି ତାକୁ ଶାନ୍ତି ମିଳିଯାଉଛି ।

ବର୍ତ୍ତମାନ ମାଙ୍କଡ଼ର ଏଭଳି ବ୍ୟବହାରରେ ଦୋକାନ ମାଲିକ ପୂରା ଅତିଷ୍ଠ ହୋଇଗଲେଣି । ବାଧ୍ୟହୋଇ ମାଙ୍କଡ଼ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ମାଙ୍କଡ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ସେପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ଦେଖି ୟୁଜରମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଭାଇ, ଏହି ମାଙ୍କଡ଼ ଏକ ଭିନ୍ନ ସ୍ତରର ଖେଳାଳି । ଆଉ ଜଣେ ଲେଖିଛନ୍ତି, ଏ ମାଙ୍କଡ଼ ସାମ୍ନାରେ ମଣିଷ ମଧ୍ୟ ଫେଲ୍‌ ।