• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାବା ଆଖଣ୍ଡଳମଣୀଙ୍କର ମହିମାକୁ କେହି ଅସ୍ୱୀକାର କରିନାହାଁନ୍ତି। ତାଙ୍କରି ପାଇଁ ଓଡ଼ିଆଙ୍କ ଘରେ ଘରେ ହୋଇଥାଏ ପଞ୍ଚାନନ ମେଳା। ଏହି ମେଲା ପଛରେ ରହିଛି ଏକ ରୋଚକ ପୌରାଣିକ କାହାଣୀ। ପଢ଼ନ୍ତୁ ସେହି କାହାଣୀଟି।

ଗାଁଟିର ନାଁ ହରିପୁର। ନଈକୂଳିଆ ଗାଁଟିଏ। ଲୋକେ ଚାଷବାସ କରି ସୁଖଶାନ୍ତିରେ ରୁହନ୍ତି। ସେହି ଗାଁର ଏକ ଗରିବ ବ୍ରାହ୍ମଣ ପରିବାରର ଏହା କାହାଣୀ। ଗାଁରେ ମାଧବ ମିଶ୍ର ନାମରେ ଜଣେ ଗରିବ ଅସହାୟ ବ୍ରାହ୍ମଣ ବ୍ୟକ୍ତି ରହୁଥାନ୍ତି। ଭିକ୍ଷା ମାଗି ସେ ପରିବାର ଚଳାନ୍ତି। ମାଧବଙ୍କ ପତ୍ନୀଙ୍କ ନାମ ସୁଶୀଳା। ଭିକ ମାଗି ଯାହା ଯେତିକି ରୋଜଗାର ହୁଏ, ସେଇଥିରେ ଚଳି ଯାଆନ୍ତି।

କିନ୍ତୁ ବେଡ଼ି ଉପରେ କୋରଡ଼ା ପରି, ଗରିବ ବ୍ରାହ୍ମଣ ମାଧବ ମିଶ୍ରଙ୍କୁ ଥରେ ବାଧିକି ପଡ଼ିଲା। ସେ କୌଣସି ଏକ ସାଂଘାତିକ ରୋଗରେ ପଡ଼ିଲେ। ଆଉ ଉଠି ବସି ପାରିଲେ ନାହିଁ। ବିଛଣାରେ ପଡ଼ି ରହିଲେ। ଫଳରେ ଭିକ୍ଷାବୃତ୍ତି ପାଇଁ ମଧ୍ୟ ଆଉ ବାହାରକୁ ଯାଇପାରିଲେ ନାହିଁ। ଯାହାଦ୍ୱାରା ପରିବାର ପାଇଁ ଅଭାବ ଅସୁବିଧା ଦେଖାଦେଲା। ଖାଦ୍ୟ ତ ନାହିଁ, ପେଟ ପୋଷିବେ କେମିତି? ଖାଇବାକୁ ତ ପଇସା ନଥାଏ, ଦେହ-ପା ଚିକିତ୍ସା କଥା ଭାବୁଛି କିଏ।

ମାଧବ ମିଶ୍ରେଙ୍କ ପତ୍ନୀ ସୁଶୀଳା ଟିକିଏ ଅଧିକ ଠାକୁର ଭକ୍ତ। ତାଙ୍କ ମନଟି ଧାର୍ମିକ। ଦାନାକନା ନପାଇବାରୁ ଦିହେଁ ଚେଷ୍ଟା କଲେ କୌଣସି ଉପାୟରେ କିଛି ରୋଜଗାର କରିବାକୁ। କିନ୍ତୁ ତାହା ସମ୍ଭବ ହେଲାନି। ସୁଶୀଳାଙ୍କୁ ଯାହା କାମ ମିଳିଲା ସେଥିରୁ ରୋଜଗାର ଅତ୍ୟନ୍ତ ନଗଣ୍ୟ ଥିଲା। ଦିନେ ରାତିରେ ଭୋକ ଉପାସରେ ଶୋଇଥିବା ବେଳେ, ପତ୍ନୀ ସୁଶୀଳା ସ୍ୱାମୀଙ୍କୁ ପ୍ରସ୍ତାବ ଦେଲେ, ଚାଲ ବାବା ଆଖଣ୍ଡଳମଣୀଙ୍କ ପାଖକୁ ଯାଇ ତାଙ୍କୁ ଆମ ଦୁଃଖ କଥା କହିବା। ଅଧିଆ ପଡ଼ିବା।

ସେତେବେଳେ ପୁରୁଣା ସମୟ। ବାଲେଶ୍ୱର ଜିଲ୍ଲା ଦୁଇଭାଗ ହୋଇ ଭଦ୍ରକ ଜିଲ୍ଲାର ସୃଷ୍ଟି ହୋଇନଥାଏ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଶେଷ ମୁଣ୍ଡ ଆଡ଼କୁ ବାବା ଆଖଣ୍ଡଳମଣୀଙ୍କ ପବିତ୍ର ଆରଡ଼ି ପୀଠ। ଭାରି ଡାକ ଏହି ଦିଅଁଙ୍କର। ମାନସିକ ନେଇ ପାଖକୁ ଗଲେ ବାବା ହତାଶ କରନ୍ତି ନାହିଁ। ହରିପୁର ଗାଁଟି ଆରଡ଼ି ପୀଠଠାରୁ ମାତ୍ର କିଛି କୋଶ ଦୂରରେ ଅବସ୍ଥିତ ଥିଲା।

ସ୍ୱାମୀ ସ୍ତ୍ରୀ ସିନା ଠିକ୍ କଲେ, ପ୍ରଭୁଙ୍କ ପାଖକୁ ଯିବେ, କିନ୍ତୁ ଯିବେ କେମିତି, ଭୋକ ଉପାସରେ ଏତେଗୁଡ଼େ ବାଟ ଅତିକ୍ରମ କରିବେ କେମିତି। ତଥାପି ମାଧବ ମିଶ୍ରେ ଓ ପତ୍ନୀ ସୁଷମା ସାହସ କରି ରାସ୍ତାକୁ ଗୋଡ଼ କାଢ଼ିଲେ। ଭୋକ ଉପାସରେ ରାସ୍ତା ଚାଲିବା କଷ୍ଟକର ହେଉଥାଏ। କଷ୍ଟେମଷ୍ଟେ ଅଧାବାଟ ଚାଲିଗଲେ, ତା ପରେ ଆଉ ଆଗକୁ ବଢ଼ିବା ସମ୍ଭବ ହେଲାନାହିଁ।

ଫଳରେ ସ୍ୱାମୀ ସ୍ତ୍ରୀ ମିଶି ବିକଳରେ ବାବା ଆଖଣ୍ଡଳମଣୀଙ୍କୁ ଡାକ ଛାଡ଼ିଲେ। ବାବା ତ ପ୍ରତ୍ୟକ୍ଷ ଠାକୁର। ମାଧମ ମିଶ୍ରେଙ୍କ କିଛି ସମୟର ଆକୁଳ ପ୍ରାର୍ଥନା ପରେ ପ୍ରଭୁ ଆଖଣ୍ଡଳମଣୀ ଆଉ ସମ୍ଭାଳି ରହିପାରିଲେ ନାହିଁ। କିନ୍ତୁ ଭକ୍ତ ପାଖକୁ ତ ସିଧା ଯାଇପାରିବେ ନାହିଁ। ତେଣୁ ସେ ଜଣେ ସନ୍ୟାସୀ ବେଶରେ ଯାଇ ମାଧବ ମଶ୍ରେଙ୍କ ପାଖରେ ପହଞ୍ଚିଲେ।

ଅସହାୟ ମାଧବ ମିଶ୍ରେ ପଚାରିଲେ- ଆପଣ କିଏ ବାବା?

ତାଙ୍କ ଆଗରେ ନିଜର ପରିଚୟ ଦେଇ କହିଲେ- ‘ମୋର ନାମ ମହାଦେବ ଦାଶ। ଏହି ଆରଡ଼ି ଗ୍ରାମରେ ମୋର ବାସସ୍ଥାନ। ଆପଣ ଅସହାୟ ହୋଇପଡ଼ିଥିବା ଦେଖି ସହାୟତା ନିମନ୍ତେ ଏଠାରେ ଉପସ୍ଥିତ ହେଲି।’

ମାଧବ ମିଶ୍ରେ ଆହୁରି ଅସହାୟ ଦିଶିଲେ। କହିଲେ, ମୋର ଖାଇବାକୁ ନାହିଁ। ବାବାଙ୍କ ପାଖକୁ ଯାଉଛି ଯେ, ଯିବାକୁ ବଳ ନାହିଁ। କଣ କରିବି କୁହନ୍ତୁ। ବାବା ଆଖଣ୍ଡଳମଣୀଙ୍କ ପାଇଁ ମତେ କଣ କରିବାକୁ ପଡ଼ିବ। ସେ ଚାହିଁଲେ ସବୁ ହେଇଯିବ।

ସନ୍ୟାସୀ ବେଶରେ ଥିବା ଖୋଦ୍ ବାବା ଆଖଣ୍ଡଳମଣୀ ମାଧବ ମିଶ୍ରେଙ୍କୁ ପରାମର୍ଶ ଦେଲେ- ମୁଁ ଶୁଣିଛି ବାବାଙ୍କୁ ସନ୍ତୁଷ୍ଟ କରିବାର ସବୁଠାରୁ ସହଜ ଓ ସୁବିଧା ଉପାୟ ହେଲା ପଞ୍ଚାନନ ମେଳା। ଆପଣ ସେହି ମେଳାଟି କରନ୍ତୁ। ମୋର ହୃଦବୋଧ ହେଉଅଛି, ବାବା ନିଶ୍ଚୟ ପ୍ରକଟ ହୋଇବେ।

ମିଶ୍ରେ ଆହୁରି ଅସହାୟ ଦିଶିଲେ। କହିଲେ- ମହାଭାଗ ! ଆମେ ତ ସ୍ୱାମୀ ସ୍ତ୍ରୀ ଏମିତି କପର୍ଦ୍ଦକଶୂନ୍ୟ। ତା ପରେ ଆମେ ଭୋକରେ ଅଛୁ। ପଥଶ୍ରାନ୍ତ ହୋଇ ଆହୁରି କିଲିବିଲି ହେଉଅଛୁ। ଏପରି ସମୟରେ ପଞ୍ଚାନନ ମେଳା କେମିତି କରିବି, କୋଉଠି କରିବି। ମତେ ପଇସା କିଏ ଦେବ।

ସନ୍ୟାସୀ ରୂପି ବାବା ଆଖଣ୍ଡଳମଣୀ କହିଲେ- ଆପଣ ବୋଧହୁଏ ଜାଣନ୍ତି ନାହିଁ, ଏହି ମେଳା ଯେକୌଣସି ସ୍ଥାନରେ କଲେ ବି ଚଳିବ। ଏଥିପାଇଁ ଅଧିକ ପଇସାର ଆବଶ୍ୟକତା ନଥାଏ। ଯାହା ସବୁ ଦରକାର ହୋଇଥାଏ ତାହା କୌଣସି ବି ସ୍ଥାନରେ ସହଜରେ ମିଳିଯାଇଥାଏ। ଟିକିଏ ଚେଷ୍ଟା କରନ୍ତୁ, ଠାକୁରଙ୍କ ପ୍ରତି ଧ୍ୟାନ ରଖନ୍ତୁ ସବୁ ହେଇଯିବ।

ଏହା କହି ସନ୍ୟାସୀ ଅନ୍ତର୍ଦ୍ଧାନ ହୋଇଗଲେ। ବେଶୀକିଛି ନଭାବି ମାଧବ ମିଶ୍ରେ ପତିପତ୍ନୀ କିଛିବାଟ ଗଲାପରେ ଦେଖିଲେ ଜଣେ ମହାଜନ ଅନ୍ନଛତ୍ର ଦେଉଅଛନ୍ତି। ପେଟ ଭରିବ ବୋଲି ସ୍ୱାମୀ ସ୍ତ୍ରୀ ଭାବି ଖୁସିଟାଏ ହେଲେ। କିନ୍ତୁ ପତ୍ନୀ ସୁଷଣା କହିଲେ, ପେଟ ସିନା ପୂରିଯିବ, ମେଳା ପାଇଁ ପଇସା କୋଉଠୁ ଆସିବ।

ଯୋଗକୁ ମାଧବ ମିଶ୍ରେ ଦେଖିଲେ, ଅନ୍ନଛତ୍ରରେ ଯେଉଁ ବ୍ରାହ୍ମଣ ନଖାଇ ଫେରି ଯାଉଛନ୍ତି, ସେମାନଙ୍କୁ ମହାଜନ ପାଞ୍ଚ ପଇସା ହାତରେ ଧରାଇ ଦେଇ ବିଦା କରୁଅଛନ୍ତି। ସ୍ୱାମୀ ସ୍ତ୍ରୀ ଦୁହେଁ ମୁହଁ ଚୁହାଁଚୁହିଁ ହୋଇ, ପଙ୍ଗତରେ ଆଉ ବସିଲେ ନାହିଁ। ହାତରେ ପାଞ୍ଚ ପଇସା ମିଳିଲା, ସେତିକି ଧରି ଫେରିଲେ। ମନରେ ଆଶା ଦିଶିଲା। ମେଳାଟିଏ କରିବେ ବୋଲି ଠିକ୍ କଲେ।

ହାତରେ ପାଞ୍ଚ ପଇସା ଥିଲା, ତେଣୁ ଗୋଟିଏ ଗୋଟିଏ ମେଳା ସାମଗ୍ରୀ ସଂଗ୍ରହ କରିବାକୁ ବାହାରି ପଡ଼ିଲେ। ପ୍ରଥମେ ଗଲେ ଜଣେ କ୍ଷୀରବାଲା ପାଖକୁ। କ୍ଷୀରବାଲାଟି ଥିଲା ବଡ଼ ଠକ। ସେ ଗିଲାସେ କ୍ଷୀରରେ ଅଧା ପାଣି ମିଶାଇ ବିକ୍ରି କରିଦେଲା। ମାଧବ ମିଶ୍ରେ ବା ଏ କଥା ଜାଣିବେ କେମିତି। ସେ କ୍ଷୀର ଧରି କିଛି ବାଟ ଆସିଛନ୍ତି କି ନାହିଁ, ପଛରୁ କାନ୍ଦି କାନ୍ଦି କ୍ଷୀରବାଲା ଦଉଡ଼ି ଦଉଡ଼ି ଆସି ତାଙ୍କ ଗୋଡ଼ତଳେ ପଡ଼ିଗଲା। ମିଶ୍ରେ ବୁଝିପାରିଲେ ନାହିଁ ହେଲା କଣ।

ପଚାରିଲାରୁ କ୍ଷୀରବାଲା କହିଲା, ମତେ କ୍ଷମା କରିଦିଅନ୍ତୁ। ମୁଁ ଆପଣଙ୍କୁ କ୍ଷୀରରେ ପାଣି ମିଶାଇ ବିକ୍ରି କରିଛି, ସେଥିପାଇଁ ମୋ କ୍ଷୀର ସବୁ ରକ୍ତ ପାଲଟି ଗଲା। ଆପଣ ଏଇ ଭଲ କ୍ଷର ନିଅନ୍ତୁ ଆଉ ମତେ କ୍ଷମା କରିଦିଅନ୍ତୁ।

କ୍ଷୀରବାଲା ଘରକୁ ଫେରି ଦେଖେ ତ, ରକ୍ତବର୍ଣ୍ଣ ଧରିଥିବା କ୍ଷୀରର ରଙ୍ଗ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି। ଏହାପରେ ମିଶ୍ରେ ଗୁଆଟିଏ କିଣିବାକୁ ଗଲେ ପାଖ ରାଧୁ ସାବୁ ଦୋକାନକୁ। ଗୁଆ କଥା ଶୁଣି ରାଧୁସାବୁ ମିଶ୍ରେଙ୍କୁ ଥଟ୍ଟା କଲା। କଥା ସହିନପାରି ମିଶ୍ରେ ଫେରି ଆସିଲେ ଓ ଭାବିଲେ ଆଉ କାହାଠାରୁ ଗୁଆ ସଂଗ୍ରହ କରିବେ। ଗୁଆ ସଂଗ୍ରହ ହୋଇଗଲା। କିନ୍ତୁ ପଞ୍ଚାନନ ମେଳାକୁ ଥଟ୍ଟା ପରିହାସ କରିଥିବାରୁ ଦୋକାନୀ ରାଧୁ ସାହୁର ଏକମାତ୍ର ପୁଅକୁ ସାପ କାମୁଡ଼ି ଦେଲା ଓ ସେ ଇହଧାମ ତ୍ୟାଗ କଲା।

ଏହା ଦେଖି ରାଧୁ ସାହୁ ମୁଣ୍ଡରେ ଚଡ଼କ ପଡ଼ିଗଲା। ସାମାନ୍ୟ ଗୁଆଟିଏ ସେ ଗରିବ ବ୍ରାହ୍ମଣକୁ ଦେଇଦେଇଥିଲେ କଥା ସରିଥାନ୍ତା, ମଣିଷକୁ ଲୋଭ ଏମିତି ଖାଏ। ତା ପରେ ପୁଣି ଥଟ୍ଟା ପରିହାସ କରିବାର ନଥିଲା। ରାଧୁ ସାହୁର ସ୍ତ୍ରୀ କାନ୍ଦ ବୋବାଳି କରି ମାଧବ ମିଶ୍ରେଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କୁ ଗୋଡ଼ହାତ ତଳେ ପଡ଼ି କ୍ଷମା ମାଗିଲେ।

ସେତେବେଳକୁ ପଞ୍ଚାନନ ମେଳା ଆରମ୍ଭ ହୋଇଗଲାଣି। ମାଧବ ମିଶ୍ରେ କହିଲେ, ବାବାଙ୍କୁ ପ୍ରଣାମ କରି ମେଳାରେ ବସ, ମାନସିକ କର, ସେ କିଛି ଗୋଟେ କରିବେ।

ମିଶ୍ରେ ଗଂଜେଇ ପଇସାକର, କ୍ଷୀର ପଇସାକର, ଘିଅ ପଇସାକର, ପାହିକର କଦଳୀ, ପାହିକର ଗୁଆ ଯୋଗାଡ଼ କରି ଆଣିଲେ। ତ୍ରିଶଖା ବେଲପତ୍ରୀ ପାଞ୍ଚଟି ତୋଳି ଆଣିଲେ। ରାତି ପାଞ୍ଚ ଘଡ଼ିକରେ ଘରେ ମେଳା ସ୍ଥାପନ କରି ବନ୍ଧୁବାନ୍ଧବଙ୍କୁ ଡାକି ପୂଜା କରାଇଲେ।

ମେଳା ସରିଲା, ବାବାଙ୍କ ବେଲପତ୍ର ଧଣ୍ଡା ଧରି ରାଧୁ ସାହୁ ଓ ତା ପତ୍ନୀ ଧାଇଁଲେ ପୁଅର ମୃତଦେହ ପାଖକୁ। ସେତକ ତା ମୁଣ୍ଡରେ ଛୁଆଁଇଲା ପରେ ଆଶ୍ଚର୍ଯ୍ୟ ଘଟିଲା। ମଲା ପୁଅ ଉଠି ବସିଲା। ପଞ୍ଚାନନ ମେଳାର ପ୍ରଚାର ହୋଇଗଲା। ଏପଟେ ମାଧବ ମିଶ୍ରେ ମେଳା କରିବା ପରେ ପରେ ରୋଗମୁକ୍ତ ହେଲେ। ସୁସ୍ଥ ହୋଇ କାମରେ ଲାଗିଲା। ଘର ତାଙ୍କର ଧନଧାନ୍ୟରେ ପୂରି ଉଠିଲା।