Advertisment

କାଲି ଭାରତୀୟ ଗଣତନ୍ତ୍ରକୁ ମିଳିବ ସ୍ୱାଭିମାନର ନୂଆ ମନ୍ଦିର, ଅତ୍ୟାଧୁନିକ ସଂସଦ ସୌଧକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ସକାଳ ୭ରୁ ଅପରାହ୍ନ ସାଢ଼େ ୨ଟା ଯାଏଁ ଚାଲିବ ଉଦଘାଟନୀ ସମାରୋହ । ଗଣତନ୍ତ୍ର ସଂଗ୍ରହାଳୟରେ ପରିଣତ ହେବ ପୂରାତନ ସଂସଦ ଗୃହ ।

author-image
Prangyan Parimita
ଅଦ୍ୟତନ ହୋଇଛି
New Parliament Building

New Parliament Building

ଆସନ୍ତାକାଲି ଦେଶର ଇତିହାସରେ ଯୋଡ଼ାହେବ ଏକ ନୂତନ ଅଧ୍ୟାୟ । ଭାରତକୁ ମିଳିବ ଏକ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ । କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ନୂଆ ସଂସଦ ଭବନର ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ସକାଳ ୭ଟାରୁ ଆରମ୍ଭ ହେବ ସମାରୋହ । ଦୁଇଟି ପର୍ଯ୍ୟାୟରେ ଏହା ଅପରାହ୍ନ ପ୍ରାୟ ସାଢେ ୨ଟା ଯାଏଁ ଚାଲିବ।.

Advertisment

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ । ଯାହାର ସବା ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ । ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର । ତଳେ ଲେଖାଯାଇଛି ସତ୍ୟମେବ ଜୟତେ। ନୂତନ ପାର୍ଲାମେଣ୍ଟ ଗୃହରେ
ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର।

ଆସନ୍ତାକାଲି ପୂଜାର୍ଚ୍ଚନା ଏବଂ ପ୍ରାର୍ଥନାସଭା ସହ ନୂଆ ସଂସଦ ଭବନର ଲୋକାର୍ପଣ ହେବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ୨୧ ଜଣ ସନ୍ଥ ପହଁଚିସାରିଛନ୍ତି । ଧର୍ମପୁରମ ଅଧିନମର ଏହି ସନ୍ଥ ସମୂହ ସ୍ୱତନ୍ତ୍ର ପୂଜାବିଧି କରିବା ସହ କ୍ଷମତା ହସ୍ତାନ୍ତରର ପ୍ରତୀକ ରାଜଦଣ୍ଡ ବା ସେଙ୍ଗୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିବେ। ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନ କରାଯିବ।...

Advertisment

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା । ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ। ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା । ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟିମିଡିଆ ଡିସପ୍ଲେ । ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା ।

ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା । ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍। ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ ମଧ୍ୟ। ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ।

PM Modi New Parliament Building
Advertisment
Advertisment