• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍‌ର ଅଷ୍ଟମ ବୈଠକରେ ଓଡ଼ିଶା ଯୋଗଦେଇନାହିଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମିଟିଂରେ କେବଳ ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର ନିୟମ ଥିଲା । ଓଡ଼ିଶା ବ୍ୟତୀତ ଏହି ବୈଠକରେ ପଶ୍ଚିମବଂଗ, ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଂଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନାହାନ୍ତି ।

ତେବେ ବିରୋଧୀ ଗୋଷ୍ଠିରେ ସାମିଲ ଥିବା ୭ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା । ହେଲେ ଓଡ଼ିଶା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କୌଣସି ସୂଚନା ଦେଇନଥିଲେ । ତେଣୁ ସେ ଏହି ବୈଠକରେ କାହିଁକି ଯୋଗଦେଲେନି ସେନେଇ ଏବେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବରୁ ଓଡ଼ିଶାରେ ନୀତିଶଙ୍କ ସହ ଭେଟ ହେବା ପରେ ନବୀନ ବିରୋଧୀ ଗୋଷ୍ଠିରେ ସାମିଲ ହେବା ନେଇ କୌଣସି ସୂଚନା ଦେଇନଥିଲେ । ଏମିତିକି ନୀତିଶଙ୍କ ସହ ଭେଟ ଏକ ସାଧାରଣ ଭେଟ ଥିଲା ବୋଲି କହିଥିଲେ । ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଜମି ଆବଶ୍ୟକ ଥିବା ନେଇ ସେ ଆଲୋଚନା କରିଥିଲେ ବୋଲି କହିଥିଲେ । ଏହାର ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ନବୀନ ସ୍ପଷ୍ଟ କହିଥିଲେ ଯେ, ସେ ବିରୋଧୀ ଗୋଷ୍ଠିରେ ନାହାନ୍ତି ।

ଅନ୍ୟପଟେ ଦୁଇ ଦିନ ପୂର୍ବରୁ ବିଜେଡି ପକ୍ଷରୁ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ସାମିଲ ହେବା ପାଇଁ ନବୀନ ଦିଲ୍ଲୀ ଯିବେ ବୋଲି ମଧ୍ୟ କୁହାଯାଇଥିଲା ।

ତେବେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ଚାଲିଛି । ବିକଶିତ ଭାରତ-୨୦୪୭ ରହିବ ଏଥିରେ ପ୍ରସଙ୍ଗ । ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ଆଗକୁ ଆଗକୁ ଯାଇପାରିବ ସେନେଇ ଆଲୋଚନା ହେଉଛି । ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି ।