• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହରିୟାଣା ନୁହ ହିଂସାକାଣ୍ଡ ପରେ ଆକ୍ସନ ମୋଡରେ ସରକାର । ସରକାରୀ ଏଜେନ୍ସି ଗୁଡ଼ିକ ଉପଦ୍ରବକାରୀଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ହିଂସାକାଣ୍ଡ ସହ ଜଡ଼ିତ କିଛି ବ୍ୟକ୍ତି ବିଶେଷ କେଉଁଠି ବସବାସ କରୁଛନ୍ତି, ସୂଚନା ମିଳିବା ପରେ ସେଠାରେ ଥିବା ବେଆଇନ ବସ୍ତିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହା ସହିତ ସେହି ସ୍ଥାନଗୁଡିକ ମଧ୍ୟ ଅନୁସନ୍ଧାନ କରାଯାଉଛି, ଯେଉଁଠାରୁ ପଥର ଫିଙ୍ଗିଥିଲେ ଉପଦ୍ରବକାରୀ । ହିଂସା ବେଳେ ଯେଉଁ ହୋଟେଲରୁ ପଥର ଫିଙ୍ଗିଥିଲେ ଉପଦ୍ରବକାରୀ ସେହି ହୋଟେଲ ଉପରେ ବୁଲଡୋଜର ଚଳାଇ ଦେଇଛି ପ୍ରଶାସନ । ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇଛି । ସମଗ୍ର ହରିୟାଣାରେ ପ୍ରାୟ ୧୦୪ ମାମାଲା ପଞ୍ଜିକୃତ ହୋଇଛି । ପ୍ରାୟ ୨୧୬ ଜଣ ଗିରଫ ହୋଇଛନ୍ତି ଏବଂ ୮୩ ଜଣଙ୍କୁ ଅଟକ ରଖାଯାଇଛି।

ସେହିପରି ହରିୟାଣା ନୁହ୍ ଜିଲ୍ଲାର ତାବୁତ ସହର ମହମ୍ମଦପୁର ମାର୍ଗରେ ଥିବା ବେଆଇନ ବସ୍ତି ଧ୍ୱଂସସ୍ତୁପରେ ପରିଣତ ହୋଇଛି। କୁହାଯାଉଛି ଆସାମରୁ ଅବୈଧ ଭାବେ ଆସିଥିବା ପ୍ରବାସୀମାନେ ଏଠାରେ ରହୁଥିଲେ। ପ୍ରାୟ ୪ ବର୍ଷ ହେଲା ଏମାନେ ସରକାରୀ ଜମିରେ ବେଆଇନ ଭାବେ ରହିଆସୁଥିଲେ। ୧ ଏକର ଜମିରେ ଗଢ଼ିଉଠିଥିଲା ୨୫୦ରୁ ଅଧିକ କୁଡ଼ିଆ। ପୋଲିସ ଓ ଯବାନଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ଭିତରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନୁହ୍ ହିଂସା ସହ ସଂପର୍କିତ ବୋଲି କୁହାଯାଉଛି। ହିଂସାରେ ଜଡ଼ିତ ଥିବା ଅଧିକାଂଶ ବ୍ୟକ୍ତି ରାଜ୍ୟ ବାହାରର ଏବଂ ଅଭିଯୁକ୍ତମାନେ ବେଆଇନ ଭାବେ ଏଭଳି ବସ୍ତିରେ ରହିଆସୁଥିଲେ ବୋଲି କୁହାଯାଉଛି।

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଦୁଇ ଦିନ ତଳେ ମଧ୍ୟ ଚେତାଇ ଦେଇଥିଲେ। ଉତ୍ତରପ୍ରଦେଶ ଭଳି ହରିୟାଣାରେ ମଧ୍ୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏପଟେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଘର ଛାଡ଼ିବା ଲାଗି ପ୍ରଶାସନ ସମୟ ଦେଇନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।...

ହିଂସାକାଣ୍ଡ ପରେ ନୁହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକାରର ହିଂସା ଏଡ଼ାଇବା ଲାଗି ନୁହରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ନୁହ, ଗୁରୁଗ୍ରାମ ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ରହିଛି। ଗୁରୁଗ୍ରାମରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଛକ ଛକରେ ଚେକିଂ ଚାଲିଛି। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁଗ୍ରାମରେ ମଧ୍ୟ ସଦର ବଜାର ମସଜିଦ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ମସଜିଦ ଭିତରକୁ ପୋଲିସ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛାଡୁନଥିବା ନେଇ ସୋସିଆଲ ମିଡିଆରେ ଗୁଜର ପ୍ରଚାର ହୋଇଥିଲା। ତେବେ ପୋଲିସ ଏହାକୁ ଖଣ୍ଡନ କରିବା ସହ ସୁରକ୍ଷା ଦୃଷ୍ଟିରୁ କେବଳ ପୋଲିସ ମୁତୟନ କରାଯାଇଥିବା କହିଛି।

ହିଂସାକାଣ୍ଡ ପରେ ନୁହରେ ଏବେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇନଥିବା ବେଳେ ୧୪୪ ଧାରା ଜାରି ରହିଛି। ଏଭଳି ସ୍ଥିତିରେ କାମ ଧନ୍ଦା ଅଭାବରୁ ପ୍ରବାସୀ ଶ୍ରମିକମାନେ ନୁହ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି। ପାଦରେ ଚାଲିଚାଲି ପ୍ରବାସୀ ଶ୍ରମିକମାନେ ମାନେ ନୁହ ଛାଡି ଚାଲିଯାଉଥିବା ଦେଖିବାକୁ ମିଳିଛି।...

କିଭଳି ସ୍ଥିତିରେ ଘଟିଲା ନୁହ୍ ହିଂସାକାଣ୍ଡ। ଏ ନେଇ ପୋଲିସ ଖୋଳତାଡ଼ ଜାରି ରଖିଥିବା ବେଳେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ଯୋଗୁଁ ହିଂସାକାଣ୍ଡ ବ୍ୟାପିଥିବା କୁହାଯାଉଛି। ସୋସିଆଲ ମିଡିଆରେ ଉତ୍ତେଜକ ଏବଂ ଘୃଣା ପ୍ରସାର କଲା ଭଳି ପୋଷ୍ଟ କରିବା ଅଭିଯୋଗରେ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୨ ହଜାରରୁ ଅଧିକ ଭାଇରାଲ ଭିଡିଓକୁ ଯାଞ୍ଚ କରୁଛି। ଏପଟେ ହିଂସାକାଣ୍ଡ ବେଳେ ଛୁଟିରେ ଥିବା ନୁହ୍ ଏସପିଙ୍କୁ ବଦଳି କରାଯାଇଛି। ହିଂସାକାଣ୍ଡ ଘଟଣାକୁ ନେଇ ରାଜନୀତି ବି ଜୋର୍ ଧରିଛି।

ଗତ ୩୧ ତାରିଖରେ ନୁହରେ ଘଟିଥିଲା ହିଂସାକାଣ୍ଡ। ଧାର୍ମିକ ଶୋଭାଯାତ୍ରା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଏହାକୁ ଅଟକାଇବାକୁ ପଥରମାଡ଼ କରିଥିଲେ ଉପଦ୍ରବକାରୀ । ଧୀରେଧୀରେ ଏହି ଉତ୍ତେଜନା ହିଂସାର ରୂପ ନେଇଥିଲା । ଶୋଭାଯାତ୍ରାକାରୀଙ୍କ ଉପରକୁ ଉପଦ୍ରବକାରୀ ପଥର ଫୋପାଡିବା ସହିତ, ଘଟଣାସ୍ଥଳରେ ଥିବା କିଛି କାର୍ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିଥିଲେ। ଗୁରୁଗ୍ରାମ -ଅଲୱାର ଜାତୀୟ ରାଜପଥରେ ହିଂସାର ତାଣ୍ଡବଲୀଲା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ପ୍ରାୟ ୮୦ରୁ ଅଧିକ ଗାଡ଼ି ଏହାର ଶିକାର ହୋଇଥିଲା। ହିଂସାକାଣ୍ଡରେ ଦୁଇ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।..