• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୩ ପୁଅ-୩ ଝିଅ ଜନ୍ମ କରିଥିଲେ, ଭାବିଥିଲେ ବୁଢା କାଳରେ ସେମାନେ ସାହା ହେବେ...ସେବା କରିବେ...ପେଟକୁ ମୁଠାଏ ଦାନା ଦେବେ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ବୁଢା କାଳରେ ପଚାରିଲେନି କି ଖାଇବାକୁ ଦେଲେନି । ନିଜ ନିଜ କାମରେ ସେମାନେ ଏତେ ବ୍ୟସ୍ତ ରହିଗଲେ ଯେ ସତେ ଯେମିତି ବାପା-ମାଆଙ୍କୁ ପାଶୋରି ଗଲେ । ଆଉ ଏହାରି ମଧ୍ୟରେ ମାଆଙ୍କ ପରଲୋକ ହେଲା । ବୁଢା କାଳରେ ବାପା-ମାଆଙ୍କର ସେବା ଯତ୍ନ ନକରିବାରୁ ସେମାନେ ବି ମାନସିକ ସ୍ତରରେ ନିର୍ଯାତିତ ହେଲେ । ଆଉ ସ୍ଥିର କଲେ ବୁଢା କାଳରେ ଯେଉଁ ପିଲାମାନେ ମୁହଁ ଚାହିଁଲେ ନାହିଁ ମରଣ କାଳରେ ମୁହଁରେ ସେମାନଙ୍କର ନିଆଁ ଦେବାର ଅଧିକାର ନରହୁ । ସେଇଥି ପାଇଁ କୋର୍ଟରେ ଏନେଇ ସତ୍ୟପାଠ କରିଥିଲେ ବାପା-ମାଆ । ଶେଷରେ ସେଇଆ ହିଁ ହେଲା । ମାଆଙ୍କ ମୁହଁରେ ମୁଖାଗ୍ନି ଦେବା ପାଇଁ ପିଲାଙ୍କୁ ମିଳିଲାନି ଅଧିକାର ।

ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଉଛି ମୃତ ଶରୀର । କାନ୍ଦବୋବାଳି ବି ପଡୁଛି...ହେଲେ ମାଆ ମୁହଁରେ ପିଲାଙ୍କୁ ମୁଖାଗ୍ନି ଦେବାର ଅଧିକାର ମିଳିଲା ନାହିଁ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । ତିନି ପୁଅ-୩ ଝିଅ ଥିବା ପରେ ବି ବାପା-ମାଆଙ୍କୁ ପଚାରିବାକୁ କାହା ପାଖରେ ସମୟ ନଥିଲା । ଶେଷ ସମୟରେ ପିଲାଙ୍କୁ ପାଖରେ ନଦେଖି ବହୁତ କଷ୍ଟ ପାଉଥିଲେ ବୁଢା ବାପା-ମାଆ । ହେଲେ କିଛି କରିବାର ତାଙ୍କ ପାଖରେ ଉପାୟ ବି ନଥିଲା । ବାସ୍‌ ଆଖିର ଲୁହକୁ ଓଠରେ ପିଇ ଦିନ କାଟୁଥିଲେ । ପିଲାଙ୍କର ଅବହେଳା ଏତେ ଅଧିକ ହୋଇ ପଡିଥିଲା ଯେ ମରିବା ବେଳକୁ ସେମାନେ ନିଆଁ କେମିତି ନଦେବେ ସେହି କଥା ଚିନ୍ତା କରିଥିଲେ ବୃଦ୍ଧ ବାପା-ମାଆ ।

ଆଉ ଏହାରି ଭିତରେ ମାଆଙ୍କର ମୃତ୍ୟୁ ହେଲା । ପରଲୋକର ଖବର ପାଇ ୩ ପୁଅ ସ୍ୱର୍ଗଦ୍ୱାରକୁ ଆସିଥିଲେ ସୁଦ୍ଧା ବାପାଙ୍କଠାରୁ ସତ୍ୟପାଠ ଦେଖି ନିରାଶ ହୋଇ ଫେରିଥିଲେ । ଫଳରେ ମୃତ ମହିଳାଙ୍କୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ । ତେବେ ଏମିତି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳରୁ । କୁକୁଟେଶ୍ବର ମନ୍ଦିର ପାଖରେ ରହୁଥିବା ଅର୍ଜୁନ ବେହେରା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ । ଚାକିରିରୁ ଅବସର ନେବା ପରେ ପେନସନ୍‌ ଆକାରରେ କିଛି ଟଙ୍କା ପାଉଥିଲେ । ହେଲେ ଏହି ଟଙ୍କାକୁ ନେବାକୁ ପିଲାଙ୍କ ମଧ୍ୟରେ ଝଡ ସୃଷ୍ଟି ହୋଇଥିଲା । ଝଗଡା ଏତେ ଅଧିକ ଥିଲା ଯେ ଶେଷରେ ଘର ଛାଡି ପୁରୀରେ ଯାଇ ରହୁଥିଲେ ଏଇ ବୃଦ୍ଧ ଦମ୍ପତ୍ତି । ଆଉ ଏହାରି ଭିତରେ ପଦ୍ମାବତୀଙ୍କ ମୃତ୍ୟୁ ହେଲା...କିନ୍ତୁ ସତ୍ୟପାଠ ଅନୁଯାୟୀ ପୁଅଙ୍କୁ ମିଳିଲା ନାହିଁ ମୁଖାଗ୍ନି ଦେବାର ଅଧିକାର । ହେଲେ ସ୍ତ୍ରୀଙ୍କୁ ହରାଇ କାନ୍ଦି କାନ୍ଦି ଅର୍ଜୁନ କହିଛନ୍ତି ଏମିତି ପୁଅ ଭଗବାନ କାହାକୁ ନଦେଉ ।

 

  • Reported by:
  • PRADEEP MAHANTY