• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣତନ୍ତ୍ର ପାଇଁ ଅମ୍ଳଜାନ ସଦୃଶ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସତ୍ୟ ଓ ଅହିଂସା ହେଉଛି ମୁଖ୍ୟ ନୀତି ଓ ଆଦର୍ଶ । ବର୍ଷ ବର୍ଷ ଧରି ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି । ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଏବଂ ସରକାରଙ୍କ ସମସ୍ତ ନୀତି ନିୟମକୁ ଜନସାଧାରଣ ପାଖରେ ପହଞ୍ଚାଇବା ସାମ୍ବାଦିକଙ୍କ କର୍ତ୍ତବ୍ୟ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ହିମାଚଳପ୍ରଦେଶ ପ୍ରଶାସନ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ପାଇଁ ଏବେ ବିବାଦ ଆରମ୍ଭ ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ମୋଦିଙ୍କ କାର୍ଯ୍ୟକ୍ରମରେ ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର । ତେବେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଏଭଳି ନିୟମ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି।

କ୍ୟାରେକ୍ଟର ସାର୍ଟିଫିକେଟ୍‌ ନଦେଲେ ରିପୋର୍ଟିଂ ମନା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଜାରି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ଦିନିକିଆ ଗସ୍ତରେ ହିମାଚଳପ୍ରଦେଶ ଯାଉଛନ୍ତି । ସେଠାରେ ବିଲାସପୁରରେ AIIMS କ୍ୟାମ୍ପସ ଉଦଘାଟନ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ କୁଲୁ ଦଶହରା ମହୋତ୍ସବରେ ମଧ୍ୟ ଭାଗ ନେବେ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମସୟରେ ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣପତ୍ର ଦେବାକୁ ପଡ଼ିବ ବୋଲି କହି ଜିଲ୍ଲା ପ୍ରଶାସନ ଏକ ନୂଆ ବିବାଦ ସୃଷ୍ଟି କରିଛି ।

କେବଳ ବେସରକାରୀ ମାଲିକାନାରେ ଥିବା ମିଡ଼ିଆ, ଡିଜିଟାଲ୍ କିମ୍ବା ଟିଭି ସାମ୍ବାଦିକ ନୁହଁନ୍ତି ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୁରଦର୍ଶନ ସମେତ ସରକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ପୂର୍ବରୁ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ୨୯ ସେପ୍ଟେମ୍ବର ୨୦୨୨ରେ ବିଧିବଦ୍ଧଭାବରେ ବିଜ୍ଞପ୍ତି ଜାରି କରାଯାଇଛି ।

ସାମ୍ବାଦିକ, ଫଟୋଗ୍ରାଫର ଓ ଭିଡିଓଗ୍ରାଫରଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜ୍ଞପ୍ତିରେ ଲେଖାଯାଇଛି । ଅକ୍ଟୋବର ୧, ୨୦୨୨ ସୁଦ୍ଧା ଡେପୁଟି ପୋଲିସ୍ ଅଧୀକ୍ଷକ ଚରିତ୍ର ପ୍ରମାଣପତ୍ରର ଯାଞ୍ଚ ମଧ୍ୟ କରିଛନ୍ତି । ଏହା ସହିତ କେଉଁ ସାମ୍ବାଦିକମାନେ ରାଲି କିମ୍ବା ସଭାକୁ ଯିବେ, ସେନେଇ ପୋଲିସ ପକ୍ଷରୁ ଅନୁମତି ଦିଆଯିବ ।

ତେବେ ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ଆମ୍ ଆଦମୀ ପାର୍ଟି ମୁଖପାତ୍ର ବିଜେପିକୁ ଟାର୍ଗେଟ କରି କହିଛନ୍ତି, ତାଙ୍କର ୨୨ ବର୍ଷର ସାମ୍ବାଦିକତା କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ଏପରି ଅଦ୍ଭୁତ ନିୟମ ବାବଦରେ ଜାଣିବାକୁ ପାଇଲେ।