• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆଇନ କାନୁନକୁ ଫୁ' କରିଦେଲେ ଥାନା ବାବୁ । କ୍ଷମତାର ଅପବ୍ୟବହାର କରି ସାମୁଦ୍ରିକ ତଟ ସୁରକ୍ଷାରେ ନିୟୋଜିତ ଇଣ୍ଟରସେଫ୍ଟ ବୋଟରେ ନୌବିହାର କଲେ । ସେଫ୍ଟି ଜ୍ୟାକେଟ୍ ନପିନ୍ଧି ବୋଟରେ ବୁଲିଲେ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନା ଆଇଆଇସି ଅଚ୍ୟୁତ ବେହେରାଙ୍କ ବିରୁଦ୍ଧରେ । କେବଳ ଆଇଆଇସି ନୁହନ୍ତି, ସେ ସାଙ୍ଗରେ ତାଙ୍କର ସମ୍ପର୍କୀୟଙ୍କୁ ବି ନେଇଥିଲେ । ଯେଉଁମାନେ ବିପଦଜନକ ଭାବେ ନୌବିହାର କରିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଏବେ ଫଟୋ ଭାଇରାଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ; କୋଟିପତି ନିର୍ବାହୀ ଯନ୍ତ୍ରୀ ଗିରଫ

Also Read

ରିପୋର୍ଟ ଅନୁସାରେ, ନୌବିହାରର ଏହି ଘଟଣା ଏପ୍ରିଲ ୬ ରାମ ନବମୀ ଦିନର । ସେଦିନ ସାମୁଦ୍ରିକ ଥାନାର କର୍ମଚାରୀମାନେ ଅନ୍ୟତ୍ର ଡ୍ୟୁଟିରେ ଯାଇଥିଲେ । ଏହି ସମୟରେ ମେରାଇନ ଥାନା ଆଇଆଇସି ଅଚ୍ୟୁତ ବେହେରା ସମ୍ପର୍କୀୟଙ୍କୁ ନେଇ ଦେବୀ ନଦୀରେ ନୌବିହାର କରିଥିଲେ । କ୍ୟାପ୍ଟେନ ବିପ୍ର ଚରଣ ସ୍ୱାଇଁ ଓ ୨ କର୍ମଚାରୀ ସେମାନଙ୍କୁ ତଟରକ୍ଷା ବୋଟରେ ବୋଟିଂ କରାଇଥିଲେ । 

ସବୁଠୁ ବଡ଼ କଥା ହେଉଛି କି, ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଓ ଅନ୍ୟ ଜଣେ ୪ ବର୍ଷର ଝିଅ ଥିବାବେଳେ କେହି ବି ସେଫ୍ଟି ଜ୍ୟାକେଟ୍ ପିନ୍ଧି ନଥିଲେ । ସରକାର ତଟ ସୁରକ୍ଷା ପାଇଁ ବିଭିନ୍ନ ଉପକୂଳରେ ମେରାଇନ ଥାନା ପ୍ରତିଷ୍ଠା କରିଛନ୍ତି । ସମୁଦ୍ରରେ କିମ୍ବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତି, ସାମୁଦ୍ରିକ ବୋଟ, ଡଙ୍ଗା ଓ ଜାହାଜ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଜଣେ ଆଇଆଇସିଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ, ଇଣ୍ଟରସେଫ୍ଟ ବୋଟ, କ୍ୟାପଟେନ ଓ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଯେଉଁମାନେ ଜୀବନକୁ ବାଜି ଲଗାଇ ବିଭିନ୍ନ ସମୟରେ ପାଟ୍ରୋଲିଂ କରିଥାନ୍ତି । 

ଏଠି ପ୍ରଶ୍ନ ଉଠୁଛି ଆଇଆଇସି କିପରି ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ଜଳକ୍ରୀଡା କରିବାର ଦୁଃସାହସ କଲେ ? କାହାଠୁ ଅନୁମତି ନେଇଥିଲେ ? ନୌବିହାର କରାଇଥିବା ଚାଳକଙ୍କ ସହ କିଛି ଭିତିରି ସମ୍ପର୍କ ଅଛି କି, ନା ସେମାନଙ୍କୁ ଟଙ୍କା ଦେଇଥିଲେ ? ଏନେଇ ଚାଳକଙ୍କୁ ପଚରାଯିବାରୁ, ବଡ଼ ବାବୁଙ୍କ କଥା ମାନି ଯାହା କରିଛି, ଏସବୁ ବାବଦରେ କିଛି ଜାଣିନଥିବା କହିଛନ୍ତି ।

ସେପଟେ ଆଇଆଇସି ଅଚ୍ୟୁତ ବେହେରା ଘଟଣାକୁ ଅତି ହାଲୁକା ଭାବରେ ନେଇଛନ୍ତି । ସମ୍ପର୍କୀୟ ଲୋକେ ବୁଲିବାକୁ କହିବାରୁ ବୋଟିଂ କରାଇଥିଲି, ମୁଁ ଜଣେ ଆଇଆଇସି ମୋ ସମ୍ପର୍କୀୟ ଆସିଲେ ମୁଁ କ'ଣ ବୁଲାଇ ପାରିବି ନାହିଁ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । 

ଅଧିକ ପଢ଼ନ୍ତୁ: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ, ଯୋଡ଼ିବ ସଂପର୍କ...କମିବ ଦୂରତା