• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚନ୍ଦ୍ର ଓ ମଙ୍ଗଳ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପରବର୍ତ୍ତୀ ଅଭିଯାନ- ମିଶନ୍ ଶୁକ୍ର । ୨୦୨୪ରେ ପ୍ରଥମ ଥର ପାଇଁ ଶୁକ୍ର ଗ୍ରହକୁ ଅର୍ବିଟର୍ ପଠାଇବ ଭାରତ, ଯାହାକି ତା ଚାରିପଟେ ବୁଲି ଫଟୋ ଉଠାଇବ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ । ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ପୂର୍ବରୁ ଏକାଧିକ ଶୁକ୍ର ଅଭିଯାନ ହୋଇଥିଲେ ବି, କିଛି ନୂଆ ତଥ୍ୟ ସଂଗ୍ରହ ଲକ୍ଷ୍ୟରେ ଏହି ଅରିବଟକୁ ପଠାଇବା ପାଇଁ ଯାଉଛି ଇସ୍ରୋ । ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।

ଶୁକ୍ର,ସୌର ଜଗତର ଦ୍ୱିତୀୟ ଗ୍ରହ । ପୃଥିବୀର ପଡ଼ୋଶୀ । ଆକାର ଦୃଷ୍ଟିରୁ ଏହାକୁ ପୃଥିବୀର ଯମଜ ଗ୍ରହ ବୋଲି ମଧ୍ୟ କୁହାଯାଏ । ହେଲେ ସଂରଚନା ଦୃଷ୍ଟିରୁ ଏହା ପୃଥିବୀ ଠୁ ଖୁବ୍ ଭିନ୍ନ ଆଉ ଜଟିଳ । ଶୁକ୍ର ସୌର ଜଗତର ସବୁଠୁ ଉତ୍ତପ୍ତ ଗ୍ରହ । ଅଙ୍ଗାରକାମ୍ଳ ବାୟୁମଣ୍ଡଳ ଓ ସଲଫ୍ୟୁରିକ୍ ଏସିଡର ଘନ ବାଦଲ ଘେରି ରହିଥିବାରୁ ଏହାର ପୃଷ୍ଠ ତାପମାତ୍ରା ବେଳେ ବେଳେ ୪୭୦ ଡିଗ୍ରୀ ସେଲସିୟସ ଟପିଯାଏ । ଏଭଳି ଏକ ଜଟିଳ, ବିପଜ୍ଜନକ ଓ ଦୁର୍ଗମ ଗ୍ରହର ରହସ୍ୟ ଭେଦିବାକୁ ସେଠାକୁ ଶୁକ୍ରଯାନ ପଠାଇବ ଭାରତ ।

୨୦୨୪ରେ ଇସ୍ରୋ ଆରମ୍ଭ କରିବ ମିଶନ୍ ଶୁକ୍ର । ଏକ ଅର୍ବିଟର୍ ଡିସେମ୍ବର ୨୦୨୪ରେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ହେବ ଏବଂ ୨୦୨୫ରେ ପୃଥିବୀ କକ୍ଷପଥ ଛାଡ଼ି ଏହା ଶୁକ୍ର ଗ୍ରହ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଏହି ଲଞ୍ଚ୍ ଓ୍ୱିଣ୍ଡୋ ମିସ୍ କଲେ, ଇସ୍ରୋକୁ ପୁଣି ୨୦୩୧ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ହେଲେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି, ସ୍ୱଳ୍ପ ଅବଧିରେ ଶୁକ୍ର ମିଶନକୁ ତିଆରି ଓ କାର୍ଯ୍ୟକାରୀ କରିବା ପାଇଁ ଏବେ ଭାରତ ପାଖରେ ସାମର୍ଥ ରହିଛି । ଶୁକ୍ର ମିଶନ୍ ପାଇଁ ପ୍ରୋଜେକ୍ଟ ରିପୋର୍ଟ ତିଆରି ସରିଛି ଓ ଅର୍ଥ ବ୍ୟବସ୍ଥା ହୋଇସାରିଛି ବୋଲି ଗତକାଲି ଅନୁଷ୍ଠିତ ବୈଠକରେ ସେ ସୂଚନା ଦେଇଛନ୍ତି ।

ଭାରତ ପାଇଁ ନୂଆ ହେଲେ ବି, ବିଶ୍ୱସ୍ତରରେ ପୂର୍ବରୁ ହୋଇସାରିଛି ୨୦ରୁ ଅଧିକ ଶୁକ୍ର ଅଭିଯାନ । ତେଣୁ ପୂର୍ବରୁ ଉପଲବ୍ଧ ତଥ୍ୟ ଉପରେ ଗୁରୁତ୍ୱ ନଦେଇ, ଶୁକ୍ରର କିଛି ନୂଆ ବିଶେଷତ୍ୱ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଚନ୍ଦ୍ରଯାନ-୧ ଓ ମଙ୍ଗଳଯାନ ଭଳି ଏହାର ଫଳାଫଳ ବି ଯେମିତି ବିଶ୍ୱସ୍ତରରେ ବଡ଼ ପ୍ରଭାବ ପକାଇପାରିବ, ସେଥିପାଇଁ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି ଇସ୍ରୋ ମୁଖ୍ୟ । ଶୁକ୍ରଯାନ ଶୁକ୍ର ଗ୍ରହ ଚାରି ପଟେ ପ୍ରଦକ୍ଷିଣ କରି ସେହି ଗ୍ରହର ବାୟୁମଣ୍ଡଳ, ଆୟୋନୋସ୍ଫିୟର ଓ ସୌର ପବନର ପ୍ରଭାବ ସଂପର୍କରେ ବିଶ୍ଳେଷଣ କରିବ । ଏଥିସହିତ ପୃଷ୍ଠ ଭାଗର ଗଠନ, ସଂରଚନା, ଅଗ୍ନେୟଗିରି, ଲାଭା ପ୍ରବାହ ଆଦିର ମଧ୍ୟ ଅନୁଧ୍ୟାନ କରିବ ।

୨୦୧୯ରେ ଚନ୍ଦ୍ରଯାନ-୨କୁ ଆଂଶିକ ସଫଳତା ମିଳିଥିବା ବେଳେ, ଇସ୍ରୋ ପାଇଁ ଆଗକୁ ଚନ୍ଦ୍ରଯାନ-୩, ଗଗନଯାନ ଓ ସୂର୍ଯ୍ୟ ଅଭିଯାନ- ଆଦିତ୍ୟ L1 ଭଳି ଅନେକ ଚ୍ୟାଲେଞ୍ଜ । ତେଣୁ ଶୁକ୍ରଯାନ କେବେ ସୁଦ୍ଧା ତିଆରି ସରୁଛି ଏବଂ ତାହା ପୃଥିବୀ ଛାଡ଼ି ଶୁକ୍ର ଆଡ଼କୁ ଯାଉଛି, ତା ଉପରେ ନଜର ।