• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେପ୍ଟେମ୍ବର ୨, ଶନିବାର, ଦିନ ୧୧ଟା ୫୦ । ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇବ 'ଆଦିତ୍ୟ-L1' । ମିଶନ୍ 'ଆଦିତ୍ୟ' ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଚନ୍ଦ୍ରୟାନର ସଫଳତା ପରେ ଉତ୍ସାହର ଶିଖରରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଏଇ ସପ୍ତାହରେ ସୂର୍ଯ୍ୟଯାନ ପାଇଁ ବି ପୂରା ତୟାର୍ । ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତ ପଠାଇବ ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ-L1। ସେପ୍ଟେମ୍ବର ୨ରେ ଲଞ୍ଚ୍ ହେବା ପରେ ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା L1ରେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ ।

ସେଠାକୁ ଯିବା ପାଇଁ ଲାଗିବ ପ୍ରାୟ ଦୀର୍ଘ ୪ ମାସ ସମୟ। ଅର୍ଥାତ୍ ୨୦୨୩ ଶେଷ ସପ୍ତାହ କିମ୍ବା ୨୦୨୪ ପ୍ରଥମ ସପ୍ତାହରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ, ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ L1 । ତେବେ ଏହା ହେଉଛି ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ୪ ଗୁଣ ବାଟ।

ଲାଗରେଞ୍ଜିଆନ୍ ପଏଣ୍ଟ-୧ ବା L1। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ଥିବା ଯାଏଁ ବୁଲିଥାଏ। ସେଠାରେ କୌଣସି ପରାଗ ବା ଗ୍ରହଣର ପ୍ରଭାବ ପଡ଼ୁନଥିବାରୁ, ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରଖିବ ଆଦିତ୍ୟ L1। ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ, ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ।

ସେପଟେ ଚନ୍ଦ୍ରରୁ ବି ଆସିଛି ନୂଆ ଖବର । ନିଜ ବୁଦ୍ଧିମତାର ପ୍ରମାଣ ଦେଇଛି ଚନ୍ଦ୍ରୟାନ-ଥ୍ରୀ ମିଶନର ରୋଭର୍ ପ୍ରଜ୍ଞାନ। ସେ ଆଗଉଥିବା ବେଳେ, ୩ ମିଟର ଦୂରରୁ ବାରି ପାରିଥିଲା ଏକ ଗର୍ତ୍ତ। ପ୍ରଜ୍ଞାନର ୨ଟି ଆଖି ଅର୍ଥାତ୍ ୨ଟି ନାଭିଗେସନ କ୍ୟାମେରାରେ ଧରାପଡ଼ିଯାଇଥିଲା ଏକ ୪ ମିଟର ବ୍ୟାସ ବିଶିଷ୍ଟ ବିରାଟ ଗର୍ତ୍ତ । ଏହାପରେ ନୂଆ ବାଟ ଖୋଜିବା ପାଇଁ ଇସ୍ରୋ କମାଣ୍ଡ୍ ଦେବା ପରେ, ପ୍ରଜ୍ଞାନ ନିଜେ ନିଜ ବିକଳ୍ପ ବାଟ ବାଛି ସେହିବାଟେ ସୁରକ୍ଷିତ ଭାବେ ଗଡ଼ିଯାଇଛି ବୋଲି ସୂଚନା ଦେଇଛି ଇସ୍ରୋ ।