• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟମ ଧରଣର ଛାତ୍ର ହେବାରେ କିଛି ବି ଅସୁବିଧା ନାହିଁ।  ଏହାର ଅର୍ଥ ନୁହେଁ ଯେ ଆପଣ ଜୀବନରେ ସବୁବେଳେ ମଧ୍ୟମ ହିଁ ରହିବେ । ଏଭଳି ପ୍ରେରଣାଦାୟକ ଶବ୍ଦ ଲେଖାଥିବା ଏକ ଚିଠି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ଲେଖିଥିଲେ, କୁନ୍ନୁର ଚପର୍ ଦୁର୍ଘଟଣାରେ ଏକମାତ୍ର ଜୀବୀତ ଗ୍ରୁପ କ୍ୟାପଟେନ ବରୁଣ ସିଂ ।

ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ । ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ, କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ । କିନ୍ତୁ ତା ମାନେ ନୁହେଁ, ଯେ ପୂରା ଜୀବନରେ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି । ଆପଣ ସ୍କୁଲପାଠରେ ସେତେ ଭଲ ହୋଇନପାରନ୍ତି, କିନ୍ତୁ ତାହା ଆପଣଙ୍କ ଆଗାମୀ ଜୀବନର ମାପଦଣ୍ଡ ନୁହେଁ । କିଛି ଏହିଭଳି ଢଙ୍ଗରେ ପ୍ରେରଣାତ୍ମକ ଚିଠି ଲେଖି ନିଜ ସ୍କୁଲର ଛାତ୍ରମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ । ଯିଏକି କୁନ୍ନୁର୍ ଚପର୍ କ୍ରାସ୍‌ରେ ଏକ ମାତ୍ର ଜୀବୀତ ।

ଜୀବନକୁ ନେଇ କେବେବି ନିରାଶ ହେବା କଥା ନୁହେଁ ବୋଲି ନିଜ ଚିଠିରେ ଲେଖିଥିବା ଏହି ବାୟୁବୀର, ଏବେ ମୃତ୍ୟୁ ସହ ସଂଗ୍ରାମରତ । ତାଙ୍କୁ ଗତକାଲି ସୁଲୁର୍ ଏୟାରବେସ୍‌ରୁ ବେଙ୍ଗଲୁରୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଏବେବି ତାଙ୍କ ସ୍ଥିତି ସଂକଟାପନ୍ନ ରହିଛି । ଏହି ଚିଠି ଗତ ସେପ୍ଟେମ୍ବର ମାସର । ଚଳିତ ବର୍ଷ ଅଗଷ୍ଟ ୧୫ରେ ସୌର୍ଯ୍ୟ ଚକ୍ରରେ ସମ୍ମାନିତ ହେବା ପରେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ଜଣେ ପ୍ରାକ୍ତନ ଛାତ୍ର ଭାବେ ହରିୟାଣାର ଆର୍ମି ପବ୍ଲିକ୍ ସ୍କୁଲ୍ ପ୍ରିନ୍ସିପାଲ୍‌ଙ୍କୁ ଏହି ୪ ପୃଷ୍ଠାର ଚିଠି ଲେଖିଥିଲେ । ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ବାହାବା ସାଉଁଟୁଛି ।

ଏହି ଅତ୍ୟଧିକ ପ୍ରତିଯୋଗିତଶୀଳ ଦୁନିଆରେ ଯେଉଁମାନେ କେବେ ବି ଭଲ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଭାବୁଛନ୍ତି, ସେମାନଙ୍କୁ ଏହି ଚିଠି ଜରିଆରେ ପ୍ରେରଣା ଦେବାକୁ ପ୍ରୟାସ କରିଥିଲେ ବରୁଣ । ସେ ଲେଖିଥିଲେ, ମୁଁ ସ୍କୁଲ୍ ପାଠପଢ଼ାରେ ବି ଭଲ ନଥିଲି, ଖେଳକୁଦରେ ବି ମଧ୍ୟମ ଧରଣର ଥିଲି । କିନ୍ତୁ ବିମାନ ଓ ତାହାର ଉଡ଼ାଣ କୌଶଳ ଜାଣିବାକୁ ମୋର ପ୍ରବଳ ଆଗ୍ରହ ଥିଲା । ମୁଁ ଦ୍ୱାଦଶରେ ଅଳ୍ପକେ ଫାଷ୍ଟକ୍ଲାସ୍‌ରେ ପାସ୍ କରିଥିଲି । NDA ପରେ ଯୋଗଦେଇ ନପାରି ଏୟାର୍ ଫୋର୍ସ ଏକାଡେମୀରେ ଯୋଗଦେଲି । ତଥାପି ମୁଁ ସବୁବେଳେ ଭାବୁଥିଲି କି ମୁଁ ସର୍ବଦା ମଧ୍ୟମ ଶ୍ରେଣୀରେ ହିଁ ରହିଯିବି । କିନ୍ତୁ ଫାଇଟର ସ୍କ୍ୱାର୍ଡନରେ ଯୁବ ଫ୍ଲାଇଟ୍ ଲେପ୍ଟନୋଣ୍ଟ ଭାବେ ନିଯୁକ୍ତି ହେବା ପରେ ମୁଁ ଉପଲବ୍ଧି କଲି ଯେ, ଯଦି କୌଣସି କାମରେ ମନ ଧ୍ୟାନ ଦେଇ ଲାଗିଯିବି ତେବେ ଆହୁରି ଅଧିକ ଭଲ କରିପାରିବି । ଏହି ସମୟରେ  ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଦେଖାଦେଇଥିଲା ।

ଏଥିସହ ତେଜସ୍ ସ୍କ୍ୱାଡ୍‌ରନ୍‌ରେ ସାମିଲ ହେବା, ଗଗନଯାନ ଅଭିଯାନରେ ପ୍ରଥମ ୧୨ ସଦସ୍ୟଙ୍କ ଭିତରେ ସାମିଲ ହେବା ଏବଂ ପରେ ବାଦ୍ ପଡ଼ିବା, ଏକ ବିମାନରେ ଯାନ୍ତ୍ରିକତ୍ରୁଟି ଦେଖାଦେବା ପରେ ମଧ୍ୟ SOP ଓ ଜୀବନକୁ ଖାତିର ନକରି ତାହାକୁ ସୁରକ୍ଷିତ ଅବତରଣ କରାଇବା ଆଦି ସଂପର୍କରେ ଉଲ୍ଲେଖ କହିଛନ୍ତି ବରୁଣ । ଶେଷରେ ଛାତ୍ରଛାତ୍ରୀଙ୍କୁ ଲେଖିଛନ୍ତି ପାଠରେ ନହେଲେ ବି ତୁମମାନଙ୍କ ଭିତରୁ କିଏ କଳା, ସଂଗୀତ, ଗ୍ରାଫିକ୍ ଡିଜାଇନ୍, ସାହିତ୍ୟରେ ଭଲ ହୋଇଥିବ । ତେଣୁ ଜୀବନରେ ଯାହାବି କରିବାକୁ ଚାହୁଁଛ, ତା ପ୍ରତି ଉତ୍ସର୍ଗୀକୃତ ହୁଅ । ମୋ କଥା ଯଦି ଜଣଙ୍କ ଭିତରେ ବି ଆତ୍ମବିଶ୍ୱାସ ଭରିଦେଇପାରେ, ତେବେ ମୋର ଚିଠି ଲେଖିବା ସଫଳ ହେଲା ଭାବିବି ।