Advertisment

Heroes in Everyday Life: ମାନବିକତାକୁ ବଞ୍ଚାଇ ରଖିଥିବା ଜଣେ କ୍ୟାବ ଡ୍ରାଇଭର ଓ ଡେଲିଭରି ଏଜେଣ୍ଟଙ୍କ କାହାଣୀ

କଥାରେ ଅଛି ‘ଅଭାବରୁ ସ୍ୱଭାବ ନଷ୍ଟ। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ଲୋଭ ବେଶି। ଗୋଟିଏ ଧନୀ ଲୋକର ଦୁର୍ନୀତିର ଭାର ସମସ୍ତ ଚୋରଙ୍କର ଚୋରି ଧନ ଠାରୁ ଅଧିକ। ସେଥିପାଇଁ ଭଲମନ୍ଦ, ଧନୀଗରିବ ସହ ମଣିଷପଣିଆ କିମ୍ବା ସଚ୍ଚୋଟତାର କୌଣସି ସମ୍ପର୍କ ନଥାଏ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ମାନବିକତାକୁ ବଂଚାଇଥିବା ମଣିଷ

ମାନବିକତାକୁ ବଂଚାଇଥିବା ମଣିଷ

ସାଧୁତା ଓ ସତ୍ୟବାଦିତା ହିଁ ମାନବ ଜୀବନର ଅମୂଲ୍ୟ ସମ୍ପଦ । ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ, ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟାଦା ବୃଦ୍ଧି ପାଏ । ନିଜ ପାଖକୁ ଫେରିବା, ନିଜ ପ୍ରକୃତ ସ୍ୱଭାବକୁ ଚିହ୍ନିବା, ସୁସ୍ଥ ରହିବା ହିଁ ସାଧୁତା। ସାଧୁତା ଏକ ବାହ୍ୟ ସତ୍ୟ ନୁହେଁ, ଏହା ଏକ ଆଭ୍ୟନ୍ତରୀଣ ସତ୍ୟ। ବର୍ତ୍ତମାନ ସମାଜରେ ଭଲ ମଣିଷର ଘୋର ଅଭାବ ପରିଲକ୍ଷିତ ହେଉଛି । ଆଭିଜାତ୍ୟ, ପ୍ରତିପତ୍ତି ପଛରେ ଦୌଡ଼ୁଥିବା ଲୋକେ ଗର୍ବ ଅଭିମାନରେ ଅନ୍ଧ ହୋଇଯାଉଛନ୍ତି । ମଣିଷପଣିଆ ତ ମିଛ ମାୟା ସଂସାରରେ ଯେପରି ବନ୍ଧା ପଡ଼ିଛି ।

Advertisment

କଥାରେ ଅଛି ‘ଅଭାବରୁ ସ୍ୱଭାବ ନଷ୍ଟ। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ଲୋଭ ବେଶି। ଗୋଟିଏ ଧନୀ ଲୋକର ଦୁର୍ନୀତିର ଭାର ସମସ୍ତ ଚୋରଙ୍କର ଚୋରି ଧନ ଠାରୁ ଅଧିକ। ସେଥିପାଇଁ ଭଲମନ୍ଦ, ଧନୀଗରିବ ସହ ମଣିଷପଣିଆ କିମ୍ବା ସଚ୍ଚୋଟତାର କୌଣସି ସମ୍ପର୍କ ନଥାଏ ।

କେବଳ ଧନୀ ଲୋକ ଯେ ପରୋପକାର କରିବ କିମ୍ବା ସାହାଯ୍ୟ କରିବ.. ସେକଥା କହିବା ସମ୍ପୂର୍ଣ୍ଣ ଭୁଲ । ଅଳ୍ପ ଧନରେ ମନ ବଡ଼ ହେଲେ କିପରି ଲୋକଙ୍କ ମୁହଁରେ ହସ ଫୁଟାଇ ହେବ ସେକଥା ପ୍ରମାଣିତ କରି ଦେଖାଇଛନ୍ତି ଘର ଘର ବୁଲି ଖାଦ୍ୟ ପହଞ୍ଚାଉଥିବା ଫୁଡ ଲେଡିଭଲି ଏଜେଣ୍ଟ ଓ ଜଣେ କ୍ୟାବ ଡ୍ରାଇଭର । ଖରା ବର୍ଷାରେ ବିନା କୌଣସି ସ୍ୱାର୍ଥରେ ନିଜ କର୍ତ୍ତବ୍ୟ ଠାରୁ ଉଦ୍ଧ୍ୱର୍କୁ ଯାଇ ସଚ୍ଚୋଟତା ସହ କାମ କରୁଥିବା ଲୋକଙ୍କୁ ଦେଖିଲେ ସତରେ ମାନବିକତା ଉପରେ ବିଶ୍ୱାସ ପୁଣି ପୁନର୍ଜୀବିତ ହୋଇଉଠେ । ଆଜି ଆମେ ଏପରି ତିନି ଜଣ ଲୋକଙ୍କ ବିଷୟରେ ଜାଣିବା, ଯେଉଁମାନଙ୍କର କରୁଣା ଓ ଦୟାଳୁ ପଣିଆ ପାଇଁ ଆଜି ସମସ୍ତଙ୍କ ହୃଦୟକୁ ଛୁଇଁପାରିଛନ୍ତି ।

Advertisment

ହାତ ସିନା ଗୋଟିଏ, ହୃଦୟ ବହୁତ ବଡ଼

ଏ କାହାଣୀ ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଡେଲିଭରି ଏକଜିକ୍ୟୁଟିଭଙ୍କର । ତାଙ୍କର ଗୋଟିଏ ହାତ ନାହିଁ, କିନ୍ତୁ ସେଥିପାଇଁ ମନରେ ଟିକିଏ ହେଲେ କ୍ଷୋଭ ନାହିଁ । କାହା ଠାରୁ ପାଇବାର ଆଶା ନାହିଁ, ସେ ନିଜେ ହିଁ ନିଜ ପାଇଁ ଆଦର୍ଶ ପାଲଟିଛନ୍ତି । ପ୍ରମୋଦ ସିଂହ ଭଡ଼ାରେ ନେଇଥିବା ବାଇକରେ ପ୍ରତିଦିନ ପ୍ରାୟ ୩୦ କିଲୋମିଟର ଯାତ୍ରା କରନ୍ତି । ହସ ହସ ମୁହଁରେ ଗୋଟିଏ ହାତରେ ଘରକୁ ଘର ଯାଇ ଫୁଡ ଡେଲିଭରି କରନ୍ତି । ପିଲାଦିନେ ଧାନ ମେସିନ ଦୁର୍ଘଟଣାରେ ସେ ତାଙ୍କର ବାମ ହାତ ହରାଇଥିଲେ, କିନ୍ତୁ ଏହା ତାଙ୍କ ସ୍ୱପ୍ନରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରିନଥିଲା ।

ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା ପ୍ରମୋଦ ୧୨ ଘଣ୍ଟା ସିଫ୍ଟରେ କାମ କରନ୍ତି ଏବଂ କାମ ପ୍ରତି ତାଙ୍କ ଭଲପାଇବା ହେତୁ ସେ ପଞ୍ଚ-ତାରା ରେଟିଂ ବଜାୟ ରଖି ପାରିଛନ୍ତି। ତାଙ୍କ ପାଇଁ ଏହି ଚାକିରି ଆୟ ଠାରୁ ଅଧିକ ଆଶା ଏବଂ ସମ୍ମାନର ଉତ୍ସ। ପ୍ରମୋଦଙ୍କ ପିଲାଦିନ ବେଶ କଷ୍ଟକର ଥିଲା, କିନ୍ତୁ ପ୍ରମୋଦ କେବେ ହାରମାନି ନାହାନ୍ତି । ଜଣେ ବନ୍ଧୁ ତାଙ୍କୁ ବେଙ୍ଗାଲୁରୁ ଯିବାରେ ସାହାଯ୍ୟ କରିଥିଲେ, ଯେଉଁଠାରେ ସେ ଏକ ଚାକିରି ପାଇଥିଲେ। ଗୋଟିଏ ହାତରେ ବ୍ୟସ୍ତବହୁଳ ବେଙ୍ଗାଲୁରୁ ରାସ୍ତାରେ ଗାଡ଼ି ଚଳାଇବା ଏକପ୍ରକାର ଚ୍ୟାଲେଞ୍ଜ । ତଥାପି ପ୍ରମୋଦ ସାହସ ଏବଂ ଯତ୍ନର ସହିତ ଡେଡଲାଇନରେ କାର୍ଯ୍ୟ ପୁରା କରନ୍ତି ।

ଆଉ ଏହି କାମ କରିବାର ପ୍ରେରଣା ସେ ଅନେକ ଲୋକଙ୍କୁ ଦିଅନ୍ତି । ସେ କହନ୍ତି, ମୁଁ "ପ୍ରତ୍ୟେକ ଦିନ ସାହାଯ୍ୟ କରିବାକୁ ଇଚ୍ଛୁକ ଥିବା ଅନେକ ଲୋକଙ୍କୁ ଭେଟେ। ଏହା ହିଁ ମୋତେ ଆଗକୁ ବଢ଼ାଏ । ଥରେ ବର୍ଷା ଯୋଗୁଁ ମୁଁ ସମୟରେ ଖାଦ୍ୟ ପହଞ୍ଚାଇ ପାରିନଥିଲି.. ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲି, କିନ୍ତୁ ଗ୍ରାହକ ମୋତେ ଟିପ୍‌ସ ଦେଇଥିଲେ । ଏବେ ମୁଁ କିପରି ଅଛି ପଚାରିବା ପାଇଁ ନିୟମିତ ଭାବରେ ସେ ମୋତେ ମେସେଜ କରନ୍ତି । ପ୍ରମୋଦଙ୍କ କାହାଣୀରୁ ଶିଖିବାକୁ ମିଳେ ଅକ୍ଷମତା ଜଣେ ବ୍ୟକ୍ତିର କ୍ଷମତାକୁ ପରିଭାଷିତ କରେ ନାହିଁ। ତାଙ୍କର ପ୍ରେରଣାଦାୟୀ ଯାତ୍ରା ପ୍ରମାଣିତ କରେ ଶକ୍ତି ଅଙ୍ଗପ୍ରତ୍ୟଙ୍ଗରେ ନୁହେଁ ବରଂ ଆତ୍ମାରେ ଥାଏ ।

ଠିକ୍ ସମୟରେ ପହଞ୍ଚି ମୃଣାଲ ବଞ୍ଚାଇପାରିଥିଲେ ଏକ ଅମୂଲ୍ୟ ଜୀବନ

ଖଚାଖଚ ଭିଡ଼ ଥିବା ରାସ୍ତାରେ ହଜାର ହଜାର ଲୋକ ଯିବାଆସିବା କରୁଥିଲେ । କିନ୍ତୁ କେହି ଗାଡ଼ିରୁ ଓହ୍ଲାଇ ଥରୁଟିଏ ପଚାରୁନଥିଲେ କ’ଣ ହୋଇଛି ? କୁଆଡ଼େ ଯିବେ ? ହେଲେ କାହାକୁ ଅପେକ୍ଷା ନକରି ଡେଲିଭରି ପାର୍ଟନର ମୃଣାଲ କିର୍ଦତ ଏକ ଜରୁରୀକାଳୀନ ପରିସ୍ଥିତିରେ ଅବସରପ୍ରାପ୍ତ କର୍ଣ୍ଣେଲ ମନ ମୋହନ ମଲିକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । କର୍ଣ୍ଣେଲ ମଲିକ ହଠାତ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କ ପୁଅ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ନେଇଯାଉଥିଲେ। ହେଲେ ପ୍ରବଳ ଟ୍ରାଫିକ୍ ଯୋଗୁଁ ସେମାନେ ଜାମରେ ଫସିଯାଇଥିଲେ ।

ଅନେକ ଦୁଇ ଚକିଆ ଯାନ ଆରୋହୀଙ୍କ ସାହାଯ୍ୟ ଲୋଡ଼ିବା ସତ୍ତ୍ୱେ, କେହି ଅଟକି ନଥିଲେ, ହେଲେ ମୃଣାଲ ମାନବିକତା ଦେଖାଇ ବିନା ଦ୍ୱିଧାରେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଭିଡ଼ ରାସ୍ତାରେ ଦ୍ରୁତ ଗତିରେ ଯାତ୍ରା କରି ସେ ଯାନବାହନଗୁଡ଼ିକୁ ରାସ୍ତା ଛାଡ଼ିବାକୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କୁ ଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇ ପାରିଥିଲେ । ଏପରିକି ପହଞ୍ଚିବା ପରେ ସେ ତୁରନ୍ତ ହସ୍ପିଟାଲ କର୍ମଚାରୀଙ୍କୁ କର୍ଣ୍ଣେଲଙ୍କ ଅବସ୍ଥା ବିଷୟରେ ସତର୍କ କରାଇ ଦେଇଥିଲେ। ତାଙ୍କର ସାହାଯ୍ୟ କରିବାର ମନୋବୃତ୍ତି ପାଇଁ କର୍ଣ୍ଣେଲ ମଲିକ ଜରୁରୀ ଚିକିତ୍ସା ପାଇପାରିଥିଲେ ଆଉ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ହଜିଯାଇଥିବା ଫୋନ୍ ଫେରାଇଲେ କ୍ୟାବ୍ ଡ୍ରାଇଭର

ଆଜିକାଲି ସ୍ପଷ୍ଟ ଦିବାଲୋକରେ ଚୋରି, ଡକାୟିତି, ମାରପିଟ ପରି ଅନେକ ଘଟଣା ସବୁବେଳେ ଶୁଣିବାକୁ ମିଳେ । ହେଲେ ହଜିଯାଇଥିବା ଦାମିକିଆ ଫୋନ୍ ଫେରାଇବା ଭଳି ମନୋଭାବ କେତେ ଜଣଙ୍କ ପାଖରେ ଥାଏ । ନିକଟରେ ବେଙ୍ଗାଲୁରୁରେ ଏପରି ଏକ ଘଟଣା ଘଟିଛି, ଯାହା ସୂଚାଇ ଦିଏ ଆଜି ବି ଭଲ ଲୋକ ଅଛନ୍ତି, ମାନବିକତା ବଞ୍ଚିଛି । ସମସ୍ତେ ଟଙ୍କା ପଛରେ ପାଗଳ ନୁହେଁ କି ରାତାରାତି ଧନୀ ହେବାପାଇଁ ସମସ୍ତଙ୍କୁ ସର୍ଟକର୍ଟ ଲୋଡ଼ା ନାହିଁ ।

ବେଙ୍ଗାଲୁରୁର ହେବଲ ପାଖରେ ଜଣେ ବ୍ୟକ୍ତି କ୍ୟାବ ବୁକ କରିବା ପାଇଁ ଫୋନ ବାହାର କରିବା ବେଳକୁ ଦେଖିଲେ ମୋବାଇଲେ ଆଦୌ ଚାର୍ଜ ନାହିଁ । ଅନ୍ୟ କୌଣସି ବିକଳ୍ପ ନଦେଖି ସେ ରାସ୍ତା ପାଖରେ ଠିଆ ହୋଇଥିବା ଟାକ୍ସି ଡ୍ରାଇଭର ପାଖକୁ ଯାଇଥିଲେ । ଆଉ ଟାକ୍ସି ଡ୍ରାଇଭର ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବାପାଇଁ ସହମତି ପ୍ରକାଶ କରିଥିଲେ ।

ତେବେ ଅଳ୍ପ ରାସ୍ତା ହୋଇଥିବାରୁ ଟାକ୍ସି ଡ୍ରାଇଭର ଜଣକ ଟଙ୍କା ନେବାକୁ ରାଜି ହୋଇନଥିଲେ । ହେଲେ ଘରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ ଜାଣିପାରିଲେ ତାଙ୍କ ମୋବାଇଲ କ୍ୟାବରେ ଛାଡ଼ି ଆସିଛନ୍ତି । କୌଣସି ଆପରୁୁ ବୁକ୍ କରିନଥିବାରୁ ଡ୍ରାଇଭରକୁ ଖୋଜିବା ତାଙ୍କ ପାଇଁ ଅସମ୍ଭବ ଥିଲା । ଶେଷରେ ନିରାଶ ହୋଇ ସେ ଫୋନ ହଜିଯାଇଥିବା ନେଇ ଥାନାରେ ରିପୋର୍ଟ ଦାଖଲ କରିଥିଲେ ଓ ଫୋନ ମିଳିବ ନାହିଁ ବୋଲି ଚିନ୍ତା କରିନେଇଥିଲେ ।

ହେଲେ ଆଶ୍ଚର୍ଯ୍ୟର କଥା ଫୋନ ଚାଲୁଥିବା ନେଇ ପରଦିନ ତାଙ୍କ ପାଖକୁ ଏକ ମେଲ ଆସିଥିଲା । କ୍ୟାବ ଡ୍ରାଇଭର ଫୋନ ପାଇବା ପରେ ତାକୁ ଚାର୍ଜ କରାଇ ଚାଲୁ କରିଥିଲେ । ଆଉ ଦିନକ ବ୍ୟବଧାନରେ ମହୀଶୂରରୁ ଫେରିବା ପରେ ବ୍ୟକ୍ତିଗତ ଭାବରେ ଆସି ସଂପୃକ୍ତ ବ୍ୟକ୍ତିକୁ ମୋବାଇଲ ଫେରାଇଥିଲେ । ମୋବାଇଲ ପାଇବା ପରେ ଖୁସି ହୋଇ ବ୍ୟକ୍ତି ଜଣକୁ କ୍ୟାବ ଡ୍ରାଇଭରଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ହେଲେ ସେ ଟଙ୍କା ନେବାକୁ ମନା କରିଦେଇଥିଲେ ।

ଏଭଳି ଘଟଣା ସବୁ ସବୁବେଳେ ପରନିନ୍ଦା ପରଚର୍ଚ୍ଚାରେ ବୁଡ଼ି ରହୁଥିବା ସମାଜକୁ ନୂଆ ବାର୍ତ୍ତା ଦେଇଥାଏ । ଏପରି ଛୋଟ ଛୋଟ ସଚ୍ଚୋଟ ଆଚରଣ ମନେ ପକାଇ ଦିଏ ଯେ ପ୍ରକୃତ ନାୟକମାନେ ଆମରି ମଧ୍ୟରେ ନୀରବରେ କାମ କରୁଛନ୍ତି । କୌଣସି ସ୍ୱାର୍ଥ ଆଶା ନକରି ହୃଦୟର ସହିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

Delivery Boy Human Interest Story Human Interest
Advertisment
Advertisment