• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ହାତରେ ଆଉ ୨୪ ଘଣ୍ଟା ବି ନାହିଁ। ଆରମ୍ଭ ହୋଇସାରିଛି ଅବଗଣନା ବା କାଉଣ୍ଟଡାଉନ । ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଦିନ। ଅପରାହ୍ଣ ୨ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରୟାନ-୩। ତେବେ ଇସ୍ରୋ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ରହିବ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଭାବେ ଅବତରଣ। ଯାହାକି ଅଗଷ୍ଟ ୨୩ ଆଡ଼କୁ ହେବ ବୋଲି ଆଶା ରଖିଛି ଇସ୍ରୋ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଚନ୍ଦ୍ରୟାନ-୩ ନିର୍ମାଣ ପଛରେ ଓଡ଼ିଶାର ବି ରହିଛି ବଡ଼ ଭୂମିକା। 

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ। ଜୁଲାଇ ୧୪ ଶୁକ୍ରବାର ଦିନ ୨ଟା ୩୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍। ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିତ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩। 

ଅଧିକ ପଢ଼ନ୍ତୁ: ଜହ୍ନ ରାଇଜକୁ ଯିବ ଚନ୍ଦ୍ରୟାନ-୩, ଚଳଚଞ୍ଚଳ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟର

ଏଥିରେ ରହିବ ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ତେବେ ଲଞ୍ଚିଂର ଅବ୍ୟବହିତ ପୂର୍ବରୁ ତିରୁପତି ଭେଙ୍କଟ ଚଲପତି ମନ୍ଦିରକୁ ଯାଇ ମିଶନର ସଫଳତା କାମନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏବଂ ଅନ୍ୟ ବୈଜ୍ଞାନିକ।

ଚଳିତଥର ଯେପରି ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣରେ କୌଣସି ସମସ୍ୟା ନଉପୁଜେ, ସେଥିଲାଗି ପୂର୍ବାପେକ୍ଷା ବଡ଼ ଆକାରର ଅବତରଣ ସ୍ଥଳକୁ ଟାର୍ଗେଟ୍ କରାଯାଉଥିବା ବେଳେ, ଯାନରେ ଅଧିକ ଇନ୍ଧନ ରଖାଯାଇଛି। ସବୁ ପ୍ରକାର ସମ୍ଭାବ୍ୟ ବୈଷୟିକ ତ୍ରୁଟି ପାଇଁ ଅଟୋମେଟେଡ୍ ବ୍ୟାକଅପ୍ ପ୍ଲାନ୍ ରଖାଯାଇଛି । ଯାହା ଫଳରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ଅବତରଣ ଓ ରୋଭରର ବିଚରଣ ସମ୍ଭବ ହୋଇପାରିବ ବୋଲି ଆଶା ରଖିଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ଏହି ମିଶନର ଆୟୁଷ ରହିବ ୧୪ ଦିନ। ଖର୍ଚ୍ଚ ହେଉଛି ୬୧୫ କୋଟି ଟଙ୍କା।

ରୋଚକ କଥା ହେଉଛି, ଚନ୍ଦ୍ରୟାନ-୩ର ବଜେଟ୍ ଭାରତର ସର୍ବାଧିକ ବ୍ୟୟବହୁଳ ଫିଲ୍ମ କୁହାଯାଉଥିବା 'ଆଦିପୁରୁଷ' ଠାରୁ ବି କମ୍। ଅର୍ଥାତ୍ ଫିଲ୍ମ ଠାରୁ ବି କମ୍ ବଜେଟରେ ଚନ୍ଦ୍ରପୃଷ୍ଠରେ ନାଁ ଲେଖିବାକୁ ଯାଉଛି ଭାରତ। ଏହା କେବଳ କୁହାକଥା ନୁହେଁ। ବାସ୍ତବରେ ଇସ୍ରୋ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ରୋଭରର ଗୋଟିଏ ଚକରେ ଇସ୍ରୋର ଲୋଗୋ ଏବଂ ଅନ୍ୟ ଚକରେ ଜାତୀୟ ପ୍ରତୀକ ଖୋଦିତ ହୋଇଛି।

ଅଧିକ ପଢ଼ନ୍ତୁ: ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ, ଚନ୍ଦ୍ରୟାନ-୩ର ଉତକ୍ଷେପଣ ପୂର୍ବରୁ ମନ୍ଦିରରେ ପ୍ରାର୍ଥନା

ଭାରତର ତୃତୀୟ ମୁନ୍ ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ବପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ନିର୍ମାଣ ହୋଇଛି ଏଠାରେ । ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା।

ଚନ୍ଦ୍ରଯାନ-୩ ମିଶନରେ କେବଳ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନୁହେଁ; ଚନ୍ଦ୍ରପୃଷ୍ଠରେ କଂପନ ଓ ଚନ୍ଦ୍ରପୃଷ୍ଠର ପ୍ଲାଜମା ମଣ୍ଡଳ ଆଦି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। 

  • Reported by:
  • ARACHANA SATPATHY