/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745860839.jpg)
କାଲି ‘କିଟ୍ କାଣ୍ଡ’ ଶୁଣାଣି
କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ପ୍ରାୟ ଅଢ଼େଇ ମାସ ପୂରିଲା, ହେଲେ ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ଏଯାଏଁ ରାଜ୍ୟ ସରକାରଙ୍କୁ ମିଳିଲା ନାହିଁ। ଅନ୍ୟପକ୍ଷରେ NHRC ଟିମ୍ ନିଜ ତଦନ୍ତ ପରେ କିଟ୍ ଓ କିସ୍ର ଗୁମର ଖୋଲି ଗତ ମାର୍ଚ୍ଚ ୨୭ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଗତ ୯ ତାରିଖରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିବା ବେଳେ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
କିଟ୍ ପ୍ରସଙ୍ଗରେ ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି। NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ। NHRC ଟିମ୍, ସରଜମିନ୍ ତଦନ୍ତ ପରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଥିଲେ। କମିଶନ ନିଜ ନିର୍ଦ୍ଦେଶନାମାରେ କହିଥିଲେ, କିଟର ଆନ୍ତର୍ଜାତିକ ସଂପର୍କ ଅଧିକାରୀ ବା IRO, ଶୃଙ୍ଖଳାଗତ କମିଟି ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖା କାରଣରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା, ଆତ୍ମହତ୍ୟାର 11 ମାସ ପୂର୍ବରୁ ପୀଡ଼ିତା ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଅଦ୍ବିକ ଶ୍ରୀବାସ୍ତବ ବିରୋଧରେ କିଟ୍ ମ୍ୟାନେଜମେଣ୍ଟ ପାଖରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ।
ଅଧିକ ପଢ଼ନ୍ତୁ: ପ୍ରଶାନ୍ତଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ ପଣ୍ଡା
ଅଦ୍ବିକ୍ ତାଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକମେଲିଂ କରୁଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ। କିଟ୍ ମ୍ୟାନେଜମେଣ୍ଟ ଏହି ଅଭିଯୋଗର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ଥିବା ବି ଜାଣିଥିଲେ। ଆଉ ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜି ମାମଲାକୁ ଚାପି ଦେବାର ଉଦ୍ୟମ କରିଥିଲେ। ସଂଗୀନ ମାମଲା ହୋଇଥିଲେ ବି ନା ପୋଲିସକୁ ଜଣାଇଥିଲେ ନା ନିଜ ତରଫରୁ କୌଣସି ପଦକ୍ଷେପ ନେଇଥିଲେ। ଯେଉଁଥିପାଇଁ ନିର୍ଯାତନା ଏବଂ ମାନସିକ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ସଂପୃକ୍ତ ଛାତ୍ରୀ।...
ସେହିପରି କିଟ୍ ଓ କିସ୍ ଜମି ଜାଲିଆତି ସହ କିସ୍ ଅବ୍ୟବସ୍ଥା ନେଇ ଖୁଲାସା କରିଥିଲେ NHRC ଟିମ୍। ତେବେ ମାର୍ଚ୍ଚ ୨୭ରେ NHRC ଦେଇଥିବା ଏହି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟ ଯାଇଥିଲେ କିଟ୍ ଓ କିସ୍ କର୍ତ୍ତୃପକ୍ଷ। ଗତ ଏପ୍ରିଲ ୯ରେ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ଏପ୍ରିଲ୍ ୨୬ ସୁଦ୍ଧା ଜବାବ ଦାଖଲ ପାଇଁ NHRCଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଏପ୍ରିଲ ୨୯ରେ ହେବାକୁ ଥିବା ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ ଅନୁପାଳନ ନକରିବାକୁ ଅନ୍ତରୀଣ ଆଦେଶ ଜାରି କରିଥିଲେ।
ବଡ଼ ପ୍ରଶ୍ନ, ଏବେ କେଉଁଠି ଅଟକିଛି କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ତଦନ୍ତ ? କାହିଁକି ରିପୋର୍ଟ ଦାଖଲ କରିପାରୁନି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ? ତଦନ୍ତ ସରିନି ନା ଜାଣିଶୁଣି ସମୟ ଗଡ଼ାଯାଉଛି ? ନା ତଦନ୍ତକୁ ଚାପି ଦେବାକୁ ପଡୁଛି କି ଚାପ ? ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ପ୍ରାୟ ଅଢ଼େଇ ମାସ ବିତିଥିଲେ ବି ସରକାରଙ୍କ ପାଖରେ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦାଖଲ କରି ନଥିବାରୁ ଉଠିଲାଣି ଏମିତି ଅନେକ ପ୍ରଶ୍ନ।
ଗତ ଫେବ୍ରୁଆରୀ ୧୬ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ଏହାପରେ ସାଥୀ ନେପାଳୀ ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ବିକ୍ଷୋଭକୁ ଚାପି ଦେବାକୁ ହୋଇଥିବା ହୀନ ଉଦ୍ୟମକୁ ନେଇ ଆନ୍ତର୍ଜାତିକ ସ୍ତରଯାଏଁ ରାଜ୍ୟ ନିନ୍ଦିତ ହେବାପରେ ଫେବ୍ରୁଆରୀ ୧୮ରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ୩ ଜଣିଆ କମିଟି। ଏହା ପରଦିନ ଏହି କମିଟି କିଟ୍ କ୍ୟାମ୍ପସ ଓ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ହଷ୍ଟେଲ ଯାଇ ଘଟଣାର ସରଜମିନ ତଦନ୍ତ କରିଥିଲା। ପରେ ରାଜ୍ୟ ଅତିଥି ଭବନରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ କଟ୍ର ବିଭିନ୍ନ ଅଧିକାରୀଙ୍କୁ ମାରାଥନ ଜେରା କରାଯାଇଥିଲା। ହେଲେ ଏଯାଏଁ କମିଟି ସରକାରଙ୍କୁ ରିପୋର୍ଟ ଦାଖଲ କରିନି। ଏ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, କିଟ୍ ପ୍ରସଙ୍ଗରେ ହେଉଥିବା ତଦନ୍ତକୁ ସରକାର ଖାମଖିଆଲି ଭାବେ ନେବାକୁ ଚାହୁଁନାହାନ୍ତି। ଏଥିପାଇଁ ତଳ ସ୍ତରରୁ ଆରମ୍ଭ କରି ଶୀର୍ଷ ପର୍ଯ୍ୟନ୍ତ ଯାହାକୁ ଯାହା ସମନ କରିବା କଥା ଡକେଇ ତଦନ୍ତ କରାଯାଇଛି। ସେପଟେ ଏହି ପ୍ରସଙ୍ଗରେ ଆମେ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ।
ଏବେ ସମସ୍ତଙ୍କ ଅପେକ୍ଷା, କିଟ୍ ପ୍ରସଙ୍ଗରେ NHRCଙ୍କ ନିର୍ଦ୍ଦେଶନାମାକୁ ନେଇ କି ରାୟ ଶୁଣାଉଛନ୍ତି ହାଇକୋର୍ଟ, ଆଉ କେବେ ତଦନ୍ତ ରିପୋର୍ଟ ଦାଖଲ କରୁଛି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)