• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଓଡ଼ିଶା ବିଧାନସଭା ନୋଟିସ୍ ବୋର୍ଡରେ ବିଜ୍ଞପ୍ତି ଲାଗିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଯାଇଛି, ୨୮ ତାରିଖରେ ନାମାଙ୍କନ ଶେଷ ହେବ । ତେବେ ଜୁନ୍‌ ୯ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ଜୁନ୍ ୩୦ରେ ନାମାଙ୍କନ ଯାଞ୍ଚ ହେବା ସହ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୨୧ରେ ହେବ ଭୋଟ ଗଣତି ।

ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ନିର୍ବାଚନ ବେଳେ କାହା ପାଖରେ ରହିଛି କେତେ ଭୋଟ୍ ?

କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି । ଏହାପରେ ୪୮.୯ ପ୍ରତିଶତ ଭୋଟ୍ ବିଜେପି ପାଖରେ ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଓ ମେଣ୍ଟ ଶାସନରେ ରହିଛି । ଏବେ ବିପକ୍ଷରେ ଥିବା କଂଗ୍ରେସ ପାଖରେ ରହିଛି ୨୧.୯% । ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ, କେରଳରେ ବାମ, ଦିଲ୍ଲୀ-ପଂଜାବରେ ଆପ୍ ଏବେ କ୍ଷମତାରେ ରହିଛି । ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ଓ ଅନ୍ୟାନ୍ୟ ପାର୍ଟି ପାଖରେ ୧୯.୭ ପ୍ରତିଶତ ଓ ୯.୫ ପ୍ରତିଶତ ରହିଛି । ଏହି ସଂଖ୍ୟାକୁ ଦେଖିଲେ ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱ ବହନ କରୁଛି ।

ଏବେ ନଜର ପକାଇବା, କେଉଁ ଦଳ ପାଖରେ ରହିଛି ସେହି ଗେମ୍ ଚେଞ୍ଜିଂ ନମ୍ବର ?

ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା YSR କଂଗ୍ରେସ, ଓଡ଼ିଶାରେ ବିଜେଡି ଏବଂ ତେଲେଙ୍ଗାନାରେ ଟିଆରଏସ୍ ପାଖରେ ରହିଛି ମ୍ୟାଜିକ୍ ନମ୍ବର । YSR କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଏବଂ ଟିଆରଏସ୍ ପାଖରେ ୨.୨ ପ୍ରତିଶତ ଭୋଟ୍ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ଦୁଇ ଗୃହର ସମସ୍ତ ସାଂସଦ, ସବୁ ରାଜ୍ୟର ବିଧାୟକଙ୍କ ଭୋଟକୁ ମିଶାଇ ଫଳାଫଳ ଘୋଷଣା ହୋଇଥାଏ ।

ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ହୋଇଥିବା ବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହାରାଷ୍ଟ୍ର ୯.୩୩%, ପଶ୍ଚିମବଙ୍ଗରେ ୮.୧୬%, ବିହାର ୭.୭୫%, ତାମିଲନାଡ଼ୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍ ରହିଛି ।