• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଅଦନାନ ମଂଜୁର, ଘର ଭୁବନେଶ୍ୱର ସତ୍ୟନଗର। ୟୁକ୍ରେନର ଭିନିସ୍ଥା ମେଡିକାଲ କଲେଜରେ ସେ ଦ୍ୱିତୀୟ ବର୍ଷର ଛାତ୍ର। ଅରୁନ୍ଧତୀ ଦାସ। ସେ ବି ଭୁବନେଶ୍ୱର କଳିଙ୍ଗ ବିବାହ ଅଞ୍ଚଳର ବାସିନ୍ଦା। ଦୁଇ ବର୍ଷ ତଳେ ୟୁକ୍ରେନର ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ନାମ ଲେଖାଇଥିଲେ। ଏବେ ସେ ତୃତୀୟ ବର୍ଷର ଛାତ୍ରୀ। ତେବେ କେବଳ ଏ ଦୁଇ ଜଣ ନୁହଁନ୍ତି, ଓଡ଼ିଶାରୁ ଏମାନଙ୍କ ଭଳି ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ। କାରଣ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରେ ସ୍ୱାଭାବିକ ଅବସ୍ଥାକୁ ନେଇ ସାରା ବିଶ୍ୱ ସନ୍ଦିହାନ ଥିବା ବେଳେ ଏମାନଙ୍କ ପାଠପଢ଼ାୁକ ନେଇ ବଢ଼ିଛି ଅନିଶ୍ଚିତତା।

ସୂଚନା ଅନୁସାରେ ବିଦେଶରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୟୁକ୍ରେନରେ ପଢୁଛନ୍ତି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ। ତା ଭିତରୁ ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କିନ୍ତୁ ଯଥେଷ୍ଟ ଅଧିକ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଭାରତ ଛାଡ଼ି ବିଦେଶ ବିଶେଷକରି ୟୁକ୍ରେନ୍ ଭଳି ଦେଶକୁ ମେଡିକାଲ ପାଠ ପଢ଼ିବାକୁ କାହିଁକି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସୁଅ ଛୁଟୁଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମ ଦେଶରେ ମେଡିକାଲ ପାଠ ପ୍ରତି ପିଲାଙ୍କ ଚାହିଦା ଅନୁସାରେ ସିଟ୍‌ର ବ୍ୟବସ୍ଥା ନାହିଁ। ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରୁ ଉତ୍ତୀର୍ଣ୍ଣ କରୁଥିବା ପିଲାଙ୍କ ମଧ୍ୟରୁ ୧ ଲକ୍ଷ ପିଲାଙ୍କ ପାଇଁ ଆଡମିଶନର ବ୍ୟବସ୍ଥା ଥିବା ବେଳେ ନିଟ୍ ଆବେଦନକାରୀ ସଂଖ୍ୟା ୩୦ ଲକ୍ଷରୁ ଅଧିକ। ସେହିଭଳି ସରକାରୀ ପ୍ରତିଷ୍ଠାନକୁ ବାଦ୍ ଦେଲେ ଦେଶରେ ମେଡିକାଲ ପାଠ୍ୟକ୍ରମର ଖର୍ଚ୍ଚ ଅତି ମହଙ୍ଗା।

ଏଭଳି ସ୍ଥିତିରେ ଭାରତରେ ଘରୋଇ ଅନୁଷ୍ଠାନ ଯେତିକି ଖର୍ଚ୍ଚ ହୁଏ, ୟୁକ୍ରେନରେ ତାର ୪ ଭାଗରୁ ମାତ୍ର ଗୋଟିଏ ଭାଗ ଖର୍ଚ୍ଚ ହୋଇଥାଏ। ସେହିଭଳି ନିଟ୍ ପରୀକ୍ଷା ଦେଇ ସିଟ୍ ପାଉନଥିବା ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ୟୁକ୍ରେନ୍ ମୁହାଁ କରାଇବାରେ ଏବେ ବଡ଼ ଭୂମିକା ନିର୍ବାହ କରୁଛନ୍ତି। ଏକାଧିକ ଘରୋଇ କନସଲଟାନ୍ସି ସଂସ୍ଥା ଯେଉଁ କାରଣରୁ ପ୍ରତିବର୍ଷ ୟୁକ୍ରେନ୍ ମୁହାଁ ହେଉଛନ୍ତି, ଅଧିକରୁ ଅଧିକ ଛାତ୍ରଛାତ୍ରୀ।

ବିଦେଶରୁ ମେଡିକାଲ ପାଠ ପଢ଼ି ଭାରତ ଫେରୁଥିବା ପିଲା, ସିଧାସଳଖ ଡାକ୍ତର ହେବାର ସୁଯୋଗ ନାହିଁ। ଭାରତରେ ମେଡିକାଲ ବୃତ୍ତିଧାରୀ ହେବାକୁ ଜାତୀୟ ସ୍ତରରେ ଫରେନ୍ ମେଡିକାଲ ଗ୍ରାଜୁଏଟ୍ ଏକଜାମ୍ ବା FMGE ପରୀକ୍ଷା ଦେବାକୁ ପଡ଼ିଥାଏ। ତେବେ ବିଶ୍ୱବ୍ୟାପୀ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ରହିଛି। ଇଣ୍ଡିଆନ ମେଡିକାଲ କାଉନସିଲ୍ ସମେତ ଓ୍ୱାଲର୍ଡ ହେଲ୍ଥ କାଉନସିଲ୍, ୟୁରୋପ ଓ ବ୍ରିଟେନ୍‌ରେ ୟୁକ୍ରେନ ଏମ୍ବିବିଏସ୍‌କୁ ସ୍ୱିକୃତୀ ଥିବାରୁ ଏଠାରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀ ବିଶ୍ୱର ଯେ କୌଣସି ଦେଶରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ବର୍ତ୍ତମାନ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ଓଡ଼ିଶା ଫେରୁଥିବାରୁ ଏମାନଙ୍କ ଭବିଷ୍ୟତ କଣ ହେବ, ତାକୁ ନେଇ ବଢ଼ିଛି ଚିନ୍ତା।

ରିପୋର୍ଟ: ବିବର୍ତ୍ତନ ପଣ୍ଡା