• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାଏ ସମସ୍ତେ ନିରୀହ, ନିଷ୍ପାପ । ଆଖିକୁ ଦିଶୁନି ସତ ହେଲେ ସୁନେଲୀ ସ୍ୱପ୍ନ ଦେଖିବାକୁ ସେମାନେ କିନ୍ତୁ ଭୁଲିନାହାନ୍ତି । ନିଜସ୍ୱ ଉଦ୍ୟମରେ ସାଧାରଣ ମଣିଷଟିଏ ପରି କିଛି କରିବାର ଜୁ ରଖିଛନ୍ତି । ସେଇଥି ପାଇଁ ତ ନିୟମିତ କ୍ଲାସ କରୁଛନ୍ତି, ପାଠ ପଢୁଛନ୍ତି । ହେଲେ ବଡ଼ ଦୁଃଖ କଥା କନ୍ଧମାଳ ଜିଲ୍ଲାର ଏକମାତ୍ର ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ରହିଛି । ହେଲେ ସରକାରଙ୍କ ଚରମ ଅବହେଳା ଲାଗି ଆଜି ସେମାନଙ୍କ ସ୍ୱପ୍ନ କେମିତି ପୂରଣ ହେବ ତାହାକୁ ନେଇ ମନରେ ସୃଷ୍ଟି ହେଲାଣି ସନ୍ଦେହ ।

ଆଜବେଷ୍ଟସ ଛପର ଘରେ ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ଚାଲିଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଦୃଷ୍ଟିବାଧିତ ପିଲା ସେଠାରେ ପାଠ ବି ପଡୁଛନ୍ତି । ହେଲେ ଶ୍ରେଣୀ ଗୃହର ଅନେକ କାନ୍ଥ ଦୁର୍ବଳ ଅବସ୍ଥାରେ ରହିଛି । ବର୍ଷା ହେଲା ମାତ୍ରେ ଆଜବେଷ୍ଟସରୁ ପାଣି ବି ଗଳୁଛି । ତେଣୁ ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ପିଲା । ସମସ୍ୟା ଏତିକିରେ ସରିନି ବରଂ ପିଲାଙ୍କ ଲାଗି ଲାଇବ୍ରେରୀ ନାହିଁ କି ବିଜ୍ଞାନଗାର ନାହିଁ । ଏମିତିକି ହଷ୍ଟେଲ ଡାଇନିଂର ବ୍ୟବସ୍ଥା ନଥିବାରୁ ପିଲାଏ ତଳେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ।

ଆମେ ସମସ୍ତେ ଜାଣନ୍ତି, ଦୃଷ୍ଟିବାଧିତ ପିଲାମାନେ ବ୍ରେଲି ଲିପିରେ ପାଠ ପଢୁଛନ୍ତି । କିନ୍ତୁ ସେହି ସ୍କୁଲରେ ଗୁଣାତ୍ମକ ଶିକ୍ଷାଲାଭ କରିବା ଲାଗି କୌଣସି ଭିତ୍ତିଭୂମି ହିଁ ନାହିଁ । ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କହୁଥିବା ରାଜ୍ୟ ସରକାରଙ୍କ ଦୃଷ୍ଟି ସତେ ଯେମିତି ଏଇ ସ୍କୁଲ ଉପରେ ପଡ଼ିନି ।

ଜିଲ୍ଲାରେ ଏଇ ଗୋଟିଏ ମାତ୍ର ଦୃଷ୍ଟିହୀନ ସ୍କୁଲ ଥିବାରୁ ଜିଲ୍ଲା ତଥା ବାହାର ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ବର୍ତ୍ତମାନ ସ୍କୁଲଟି ବନବାସୀ ସେବା ସମିତି ପକ୍ଷରୁ ପରିଚାଳିତ ହୋଇ ଆସୁଛି । ପିଲାଙ୍କୁ ପାଠ ପଢିବା ସହିତ ସଙ୍ଗୀତରେ ବି ପିଲାଙ୍କୁ ଦିଆଯାଉଛି ଶିକ୍ଷା । କିନ୍ତୁ ସରକାର ଯଦି ଅନ୍ୟ ସ୍କୁଲ ପରି ଏଇ ସ୍କୁଲକୁ ୫-ଟିରେ ଅନ୍ତର୍ଭୁକ୍ତ କରନ୍ତେ ଏବଂ ପିଲାଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତେ ତେବେ ପିଲାଏ ଭଲରେ ପାଠ ପଢିବା ସହିତ ନିଜର ଭବିଷ୍ୟତ ଗଢିବା ସହଜ ହୁଅନ୍ତା ବୋଲି କହିଛନ୍ତି ସ୍କୁଲ ଶିକ୍ଷକଙ୍କ ସହ ପରିଚାଳନା କମିଟି ।

(ବାଲିଗୁଡ଼ାରୁ ଅଜିତ ନାୟକଙ୍କ ରିପୋର୍ଟ)